ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି ବୈଠକ, କୃଷି ଓ ଶିଳ୍ପାୟନ ଉନ୍ନତିକରଣକୁ ଗୁରୁତ୍ୱ
ଅନୁଗୁଳ: ଅନୁଗୁଳ ଜିଲ୍ଳା ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତୀ ବେହେରାଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏ ଅବସରରେ ଆଲୋଚନା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଦିଶା ବୈଠକରେ ଶିଳ୍ପାଞ୍ଚଳ ଅନୁଗୁଳ ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିଳ୍ପୟନର ସମ୍ପ୍ରସାରଣ, ନିରନ୍ତର ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ଶିକ୍ଷା ଓ ଦକ୍ଷତାକୁ ମଜବୁତ କରିବା ସହ ଚାଷ ଓ ଚାଷୀର ବିକାଶ, ଜଳସେଚନର ସୁଦୃଢ଼ୀକରଣ, ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ, ଜଳସେଚନ, ମୌଳିକ ସମସ୍ୟାର ସମାଧାନ, ପର୍ଯ୍ୟଟନର ବିକାଶ, ଆନୁଷଙ୍ଗିକ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ବିଷୟରେ ଆଲୋଚନା ହୋଇଥିଲା ।