ବେଆଇନ ବାଲିଘାଟ ବନ୍ଦ କଲା ପ୍ରଶାସନ

 ବିଞ୍ଝାରପୁର: ବିଞ୍ଝାରପୁର ତହସିଲ ଇଲାକାରେ ରୀତିମତ ଚାଲିଥିଲା ବେଆଇନ ଘାଟ । ସ୍ଥାନୀୟ ଲୁଟେରା ବିନଦାସରେ ଲୁଟି ଚାଲିଥିଲେ ବାଲି, ମୋରମ । ଯାହା ଫଳରେ ରାଜସ୍ୱ ହରାଉଥିଲେ ସରକାର । ବେଆଇନ ଘାଟକୁ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପୂର୍ବକ ରାସ୍ତାକାଟି ବାଟବନ୍ଦ କରାଯାଇଛି । ପ୍ରଶାସନ ପକ୍ଷରୁ ଜେସିବି ଲଗାଇ କାଟି ଦିଆଯାଇ ରାସ୍ତା । ବିଞ୍ଝାରପୁର ତହସିଲର ବାଙ୍ଗରା ଠାରୁ ଗୁହାଳୀ ପର୍ଯ୍ୟନ୍ତ ଖରସ୍ରୋତା ନଦୀର କଲରାପାଳ, ମନେଇ, କଲ୍ୟାଣପୁର, ଗୌଡସାହି, ବିଞ୍ଝାରପୁର-୧, ବିଞ୍ଝାରପୁର-୨, ବାଙ୍କିପାଳ, ଘଣ୍ଟିଆଳି, ଗୁହାଳି-୧, ଗୁହାଳି-୨ଆଦି ସ୍ଥାନମାନଙ୍କରେ ବାଲି ସଇରାତ ସରକାରୀ ନିଲାମ କରାଯାଇ ନିଲାମଧାରୀ ମାନଙ୍କୁ ବାଲି ବିକ୍ରୟ ପାଇଁ ଦିଆଯାଇଥିଲା । ହେଲେ ନିଲାମଧାରୀ ସରକାରୀ ନିୟମ ଉଲଙ୍ଘନ କରି ଚଢା ଦାମରେ ବାଲି ବିକ୍ରିୟ କରିଆସୁଥିଲେ । ଖାଲି ସେତିକି ନୁହେଁ ନଦୀର ମଧ୍ୟ ଭାଗରେ କମ୍ପ୍ରେସର ମେସିନ ଲଗାଇ ବାଲି ଉତ୍ତୋଳନ କରୁଥିଲେ । ତାହା ସହିତ ସରକାରୀ ବାଲିଘାଟ ଚଳାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ନିଲାମଧାରୀଙ୍କ ନିକଟରେ ନଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ନୋଟିସ କରାଯାଇଥିଲା । ହେଲେ ବାଲି ସଇରାତ ନିଲାମଧାରୀମାନେ ପ୍ରଶାସନ ପ୍ରଦତ ନୋଟିସକୁ ଅବମାନନା କରି ବେଆଇନ ଭାବରେ ବାଲିଘାଟ ଚଳାଇ ଆସୁଥିଲେ । ଏଥି ସକାଶେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଞ୍ଝାରପୁର ସମେତ ଅନ୍ୟ କେତେକ ବେଆଇନ ବାଲିଘାଟର ରାସ୍ତାକୁ ଜେସିବି ଲଗାଇ କାଟି ଦେଇଛି । ବାଲିଘାଟର ରାସ୍ତା କଟା ସମୟରେ ତହସିଲଦାର କୈଳାସ ଚନ୍ଦ୍ର ମହାଳିକ, ଲଘୁ ଖଣିଜ ବିଭାଗର ଉପନିଦେ୍ର୍ଦଶକ ଜୟପ୍ରକାଶ ନାୟକ, ବିଞ୍ଝାରପୁର ଥାନାଧିକାରୀ ବାମଦେବ ନନ୍ଦ ପ୍ରମୁଖ ଉପସ୍ଥିତି ରହିଥିଲେ ।