ଦୁଇବର୍ଷ ଧରି ହାଇମାଷ୍ଟ ଲାଇଟ୍ ଅଚଳ

 ଢେଙ୍କାନାଳ: ଦୀର୍ଘ ଦୁଇ ବର୍ଷ ଧରି ଅଚଳ ପଡିଛି ହାଇମାସ୍କ ଲାଇଟ୍ । ଯାତାୟତରେ ଅସୁବିଧା ଭୋଗୁଛନ୍ତି ପଥଚାରୀ । ଯାହାକୁ ନେଇ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଛି । ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଏକ ମାତ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସମ୍ମୁଖ ଭାଗରେ ଲଗାଯାଇଥିବା ହାଇମାସ୍କ ଲାଇଟ୍ଟି ଦୀର୍ଘ ଦୁଇ ବର୍ଷ ହେଲା ଅଚଳ ହୋଇପଡିଛି । ଫଳରେ ରାତ୍ରିକାଳୀନ ରୋଗୀ ସେବାରେବ୍ୟାପକ ସମସ୍ୟା ସୃଷ୍ଟି ହେଉଛି । ଉକ୍ତ ଆଲୋକ ବନ୍ଦ ରହିବା ଫଳରେ  ସ୍ୱାସ୍ଥ୍ୟକେନ୍ଦ୍ରର ସମ୍ମୁଖ ଭାବ ସମ୍ପୂର୍ଣ୍ଣ ଅନ୍ଧକାର ରହୁଛି । ଯାହାଫଳରେ ରାତ୍ରିକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଏଠାକୁ ଆସୁଥିବା ରୋଗୀଙ୍କ ଠାରୁ ଆରମ୍ଭ କରି ସାଥିରେ ଆସୁଥିବା ସହକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏତେ ଅସୁବିଧା ସତ୍ତ୍ୱେ ବାରମ୍ବାର ଦାବି ପରେ ମଧ୍ୟ ଉକ୍ତ ସମସ୍ୟାର ସମାଧାନ କରିବାରେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଅପରପକ୍ଷରେ ରୋଗୀ କଲ୍ୟାଣ ସମିତି ମାଧ୍ୟମରେ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ ଅନୁଦାନ ସରକାର ପ୍ରଦାନ କରୁଥିବାବେଳେ ଉକ୍ତ ଅନୁଦାନ ରାଶି କେଉଁ କାର୍ଯ୍ୟରେ ବ୍ୟବହାର ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଇ ଆଲୋକ ବ୍ୟବସ୍ଥାରେ ସୁଧାର ଆଣିବାକୁ ସାଧାରଣରେ ଦାବି ହେଉଛି ।