ମଝି ସମୁଦ୍ରରେ ଟଳି ପଡ଼ିଲେ ବନ କର୍ମଚାରୀ

ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିଲେ। ସେଠାରେ ଅନ୍ୟମାନଙ୍କ ସହ ମିଶି ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ଧରିଥିଲେ। ମାତ୍ର ଏହାପରେ ଛାତିରେ ଯନ୍ତ୍ରଣା ହେଲା ଓ ଟଳିପଡିଲେ ବନକର୍ମଚାରୀ । ଏପରି ଏକ ଘଟଣା ଗତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଘଟିଛି। ମୃତ ବନକର୍ମଚାରୀଜଣକ ହେଲେ ଚଞ୍ଚଳ ମାଇତି ।

ଚଞ୍ଚଳ ମାଇତି ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାମ କରୁଥିଲେ। ଗତ ରାତିରେ ଅନ୍ୟ କର୍ମଚାରୀଙ୍କ ସହ ସେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୧୩ କିଲୋମିଟର ସମୁଦ୍ର ମଝିକୁ ଯାଇଥିଲେ। ସେଠାରେ ବନ କର୍ମଚାରୀମାନେ ବେଆଇନ ଭାବେ ମାଛ ମାରୁଥିବା ନାଗେଶ୍ୱର ନାମକ ଟ୍ରଲରକୁ ରାତି ପ୍ରାୟ ୧୨ଟା ବେଳକୁ ଜବତ କରିଥିଲେ। ଏଥିସହ ସେଥିରେ ଥିବା ମସ୍ୟଜୀବୀଙ୍କୁ ବନବିଭାଗ ଧରିଥିଲା ।  ଏହି ସମୟରେ ଶୋଷ ଲାଗିବାରୁ ଚଞ୍ଚଳ ମାଇତି ପାଣି ପିଇଥିବା ବେଳେ କିଛି ସମୟ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଦେଖୁ ଦେଖୁ ଆଖି ପିଛୁଳାକେ ସେଠାରେ ହିଁ ଟଳି ପଡ଼ିଥିଲେ ।ତାଙ୍କ ସହ ଥିବା ଅନ୍ୟ ବନ କର୍ମଚାରୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଭୋର ସମୟରେ ସେମାନେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଚଞ୍ଚଳ ମାଇତିଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଛନ୍ତି। ତାଙ୍କ ପୁଅ କହିଛନ୍ତି, କାଲି ରାତି ୮ ବେଳେ ଘରୁ ଡ୍ୟୁଟି ପାଇଁ ବାପା ବାହାରି ଯାଇଥିଲେ। ବାପାଙ୍କ ମୃତ୍ୟୁ ହୋଇଥିବା ରାତି ୪ଟାରେ ଖବର ପାଇଲୁ। ଏହି ଖବର ଆମକୁ ଶକ୍ତ ଆଘାତ ଦେଇଥିବା ବେଳେ ଆମେ ଏହାକୁ ସହଜେ ବିଶ୍ୱାସ କରି ପାରୁନୁ।