କିଏ ବୁଝିବ ଡଭାର ପଞ୍ଚାୟତବାସୀଙ୍କ ଦୁଃଖ?

 ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଡଭାର ପଞ୍ଚାୟତର ଚାଷୀ ୨୦୨୨ ମସିହାରେ ହୋଇଥିବା ବନ୍ୟାରେ ଫସଲ କ୍ଷୟକ୍ଷତି ଆଜିଯାଏଁ ପାଇପାରିଲେ ନାହିଁ । ସେଥିପାଇଁ ଗ୍ରାମବାସୀ ତକôାଳୀନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଠାରୁ ଜିଲ୍ଲାପାଳ, ବିଡିଓ, ତହସିଲଦାର, ବ୍ଲକ୍ ଓ ଜିଲ୍ଲା କୃଷି ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ ନୂତନ ସରକାରଙ୍କ ଆଗମନ ପରେ ନିମାପଡା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଗ୍ରାମବାସୀ ସାକ୍ଷାତ କରିବା ସହିତ ଜିଲ୍ଲାପାଳ ଓ ପିଡିଙ୍କ ନିକଟକୁ ମଧ୍ୟ ଯାଇଥିଲେ ମାତ୍ର ଆଜିପର୍ଯ୍ୟନ୍ତ କିଛି ସୁଫଳ ମିଳିଲା ନାହିଁ । ସରକାର ତ ବଦଳିଲେ ହେଲେ ପରିସ୍ଥିତି ସମାନ ରହିଛି । ବନ୍ୟ ହେଲା ଲୋକେ କ୍ଷତି ସହିଲେ ହେଲେ ସହାୟତା ପାଇଲେ ନାହିଁ । ଏ ନେଇ ବାରମ୍ବାର ଅଭିଯୋଗ ହୋଇଛି ସତ କିନ୍ତୁ ହେଲେ ଆଜିବି ସ୍ଥିତି ସମାନ ରହିଛି ।
ଗ୍ରାମରେ ଥିବା ଯୁବକ ସଂଘ ସଭାପତି ଅଭିଯୋଗ କରିଛନ୍ତି କି, ଅଞ୍ଚଳ ପ୍ରତି ସରକାର ଓ ସରକାରୀ ଅଧିକାରୀଙ୍କ ହୀନମନ୍ୟତା କ'ଣ ପାଇଁ ରହିଛି । ଏବେ ସେମାନଙ୍କର ଶେଷ ଆସ୍ଥା ହେଉଛି ଉଚ୍ଚ ନ୍ୟାୟାଳୟ । ଏ ସମ୍ପର୍କରେ ସଂଘ ସଭାପତି ଜିତେନ୍ଦ୍ରିୟ ବେହେରା ଗଣମାଧ୍ୟମ ସମ୍ମୁଖରେ ନିଜ ଅଞ୍ଚଳର ସାମୂହିକ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ଅନ୍ୟ ପଟେ ୯ ଅକ୍ଟୋବର ୨୦୨୪ ଗୋପବନ୍ଧୁଙ୍କ ଜୟନ୍ତୀକୁ ଉପମୁଖ୍ୟମନ୍ତ୍ରୀ ଡଭାର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରତିଶ୍ରୁତି ଦେବା ଓ ଗ୍ରାମକୁ ଗୋପବନ୍ଧୁ ଦାସଙ୍କ କର୍ମଭୂମୀ ଆଧାରରେ ଐତିହ୍ୟ ଗ୍ରାମ ଘୋଷଣା କରିବାର ମିଛ ପ୍ରତିଶ୍ରୁତି ଦେବା । ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ଓ ବ୍ଲକ୍ ଉପାଧ୍ୟକ୍ଷ ନିଜ ଦଳୀୟ କାର୍ଯ୍ୟକ୍ରମ କରାଇବାର ପ୍ରଚେଷ୍ଟା ଏ ଅଞ୍ଚଳ ପ୍ରତି ଆଉ ଏକ ପ୍ରତାରଣା କରିଛି ବୋଲି ଶ୍ରୀଯୁକ୍ତ ବେହେରା ଅଭିଯୋଗ କରିଛନ୍ତି । ସେଦିନ ସଭାରେ ଉପସ୍ଥିତ ୫୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ମନରେ ଆଘାତ ଦେଇଛି । ଆହୁରି ମଧ୍ୟ କହିଛନ୍ତି, ଯେଉଁ ନେତା ସେଦିନ ବାହାଦୁରୀ ମାରି ଆସିଥିଲେ ଯେ ନିଶ୍ଚୟ ପ୍ରଭାତୀ ପରିଡା ଆସିବେ ସେମାନେ ଏବେ ଚୁପ୍ ଅଛନ୍ତି କାହିଁକି? ଏଣୁ ଏ ସବୁ ଘଟଣାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ, ବିଜେପି ଓ ତାଙ୍କ ଦଳର ନେତା ଏବଂ ତାଙ୍କ ଦ୍ୱାରା ପରିଚାଳିତ ପ୍ରଶାସନ ଡଭାରର ସାଧାରଣ ଜନତାଙ୍କ ପ୍ରତି ଅଣଦେଖା କରୁଛନ୍ତି ।