ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି ଶ୍ରମିକ


  ନିଆଳିରୁ ଅଞ୍ଜୁଶା ଦାସ :ପେଟ ପାଇଁ ଶ୍ରମିକ ତା’ର ଜୀବନକୁ ବାଜି ଲଗାଇ କାମ କରୁଛି । କୌଣସି ଶ୍ରମଜୀବୀଙ୍କୁ ଅସୁରକ୍ଷିତ ଭାବେ କାର୍ଯ୍ୟ କରାଇବା ଶ୍ରମ ଆଇନ ବିରୋଧ ହୋଇଥିବାବେଳେ ନିଆଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ପାନୀୟଜଳ ପ୍ରକଳ୍ପରେ ନିର୍ମାଣ କରାଯାଉଥିବା ବଡ ବଡ ଟାଙ୍କିରେ କାର୍ଯ୍ୟ କରୁଥିବା ଶ୍ରମିକ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି । ପଞ୍ଚାୟତୟ ଜଳ ସଂକଟ ଦୂର କରିବାକୁ ମେଗା ପାଣି ପ୍ରକଳ୍ପ ନିଆଳି ବ୍ଲକ୍ରେ ଚଳିତ ବର୍ଷ ୬୪ ପ୍ରକଳ୍ପ ଶଗଡାଇଲୋ, କପିଳେଶ୍ୱର ପୁର, ଗ୍ରାମରେ ସୁ-ଉଚ୍ଚ ଓଭର୍ହେଡ୍ ପାଣି ଟାଙ୍କି ନିର୍ମାଣ ହେଉଛି । ଏହି ସବୁ ପାଣି ଟାଙ୍କି ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖାଦେଇଛି । କାମ ହାତେଇବା ଠିକାଦାରଙ୍କ ବେପରୁଆ ନୀତି ଯୋଗୁଁ ଭୂମି ଠାରୁ ୬୦ ଫୁଟ୍ ଉଚ୍ଚରେ ଶ୍ରମିକ ବିନା ସୁରକ୍ଷା ସାମଗ୍ରୀ ପରିଧାନରେ କାମ କରାଯାଉଥିବା ଦେଖିବାକୁ ମିଳିଛି । ଯାହାକି ପାଦେ ପାଦେ ବିପଦ ରହିଛି । ଶ୍ରମିକମାନଙ୍କୁ ସେଫ୍ଟି ବେଲ୍ଟ, ହେଲ୍ମେଟ୍ ଓ ଗ୍ଲୋବ୍ ଆଦି ସାମଗ୍ରୀ ଯୋଗାଇ ଦିଆଯାଉନାହିଁ । ଶ୍ରମିକମାନେ ବାଉଁଶ ଉପରେ ୬୦ ଫୁଟ୍ ଉପରେ ଝୁଲି ରହି ବିପଦ ସଂକୁଳ ଅବସ୍ଥାରେ କାମ କରୁଛନ୍ତି । ପରିବାର ଚଳାଇବାକୁ ଆବଶ୍ୟକ ଟଙ୍କା ପାଇଁ ମୂଲ ଲାଗୁଥିବା ଶ୍ରମିକମାନଙ୍କୁ ଠିକାଦାର ବିପଦ ମୁହଁକୁ ଠେଲି ଦେଲା ଭଳି ଅଭିଯୋଗ ହେଉଛି । ଯାହାକୁ ବୁଦ୍ଧିଜୀବୀ  ମହଲରେ ନାପସନ୍ଦ କରାଯାଇଛି ।