ତିରୁପତି ପ୍ରସାଦରେ ପୋକ

ତିରୁପତି ତିରୁମାଲା ମନ୍ଦିରର ପ୍ରସାଦକୁ ନେଇ ଥମୁନି ବିବାଦ । ଏଠାରେ ଲଡୁରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବି ମିଶା ଯାଉଥିବା ନେଇ ବିବାଦ ଥମି ନଥିବା ବେଳେ ଏବେ ଏହାର ପ୍ରସାଦରୁ ବାହାରିଛି ପୋକ । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଭକ୍ତ । ତେବେ ଏହି ଅଭିଯୋଗକୁ ତିରୁମାଲା ତିରୁପତି ଦେବସ୍ଥାନମ ଖଣ୍ଡନ କରିଛି । ପ୍ରକୃତରେ ଏହି ଘଟଣା ହେଉଛି ଅକ୍ଟୋବର ୨ ତାରିଖ ତଥା ବୁଧବାରର । ଚନ୍ଦୁ ନାମକ ଜଣେ ଭକ୍ତ ୱରଙ୍ଗଲାରୁ ତିରୁମାଲା ମନ୍ଦିରକୁ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଦର୍ଶନ ପାଇଁ ଆସିଥିଲେ । ସେ ମନ୍ଦିର ଭିତରେ ଲଣ୍ଡା ହେବା ପରେ ପ୍ରସାଦ ସେବନ କରିବାକୁ ଯାଇଥିଲେ । ତେବେ ପ୍ରସାଦ ଖାଇବା ବେଳେ ସେଥିରେ ଏକ ପୋକ ଚାଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ କହିଥିଲେ । କିନ୍ତୁ ସେମାନେ ଯାହା ପ୍ରତିକ୍ରିୟା ରଖିଥିଲେ ତାହା ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ବୋଲି ଭକ୍ତଜଣକ କହିଛନ୍ତି । ସେମାନେ କହିଥିଲେ ଯେ, ବେଳେବେଳେ ଏଭଳି ଘଟେ ।
ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତ ଜଣଙ୍କ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏଥିସହ ଏଥିରୁ ଟିଟିଡି କର୍ତ୍ତୃପକ୍ଷଙ୍କ ଘୋର ଅବହେଳା ପଦାରେ ପଡିଛି । ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।  ଏହି ପୂରା ଘଟଣାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ପ୍ରସାଦ ସେବନ ପାଇଁ ବ୍ୟବହୃତ କଦଳୀ ପତ୍ରରୁ ଏହି ପୋକ ଆସିଥାଇପାରେ ବୋଲି ମନ୍ଦିର ଅଧିକାରୀମାନେ କହିଛନ୍ତି । ତେବେ ଏହି ଅବହେଳା ଗ୍ରହଣୀୟ ନୁହେଁ । ଯଦି ପିଲାମାନେ କିମ୍ବା ଅନ୍ୟମାନେ ଏହି ଦୂଷିତ ଖାଦ୍ୟ ଖାଇ ଅସୁବିଧାରେ ପଡନ୍ତି ଏଥିପାଇଁ କିଏ ଦାୟୀ ରହିବେ ବୋଲି ଭକ୍ତ ଜଣକ ପ୍ରଶ୍ନ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର କର୍ମଚାରୀମାନେ ସେମାନଙ୍କୁ ଅପମାନିତ ଓ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ବୋଲି ଭକ୍ତ ଚନ୍ଦୁ ଅଭିଯୋଗ କରିଛନ୍ତି ।