ରୋହିତ ଓ ବିରାଟଙ୍କୁ ଟପିଲେ ପନ୍ତ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଟପିଛନ୍ତି ୱିକେଟ କିପର ଋଷଭ ପନ୍ତ । ଦୀର୍ଘ ୨ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ଋଷଭ ପନ୍ତ କମାଲ କରିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଶତକ ମାରିବା ପରେ ଆଇସିସି ର୍ୟାଙ୍କିଙ୍ଗରେ ରୋହିତ ଓ ବିରାଟଙ୍କୁ ଟପିଛନ୍ତି । କାର ଦୁର୍ଘଟଣା ପୂର୍ବରୁ ପନ୍ତ ରାଙ୍କିଙ୍ଗର ଟପ୍ ୧୦ରେ ଥିଲେ । ସେ ୨ ବର୍ଷ ପରେ ସୁସ୍ଥ ହୋଇ ପଡିଆକୁ ଫେରିବା କ୍ଷଣି ପୁଣି ବ୍ୟାଟିଂ ରାଙ୍କିଙ୍ଗର ଟପ ୧୦ରେ ପ୍ରବେଶ କରିଛନ୍ତି । ବର୍ତ୍ତମାନ ପନ୍ତ ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି । ତେବେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ରାଙ୍କିଙ୍ଗରେ ଅବନତୀ ହୋଇଛି । ଆଇସିସି ପକ୍ଷରୁ ଜାରି ତାଲିକା ଅନୁଯାୟୀ, ପନ୍ତ ୭୩୧ ପଏଣ୍ଟ ସହ ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ଅଛନ୍ତି । ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୫୬ ରନର ଇନିଂସ ଖେଳିଥିବା ଟିମ ଇଣ୍ଡିଆର ଓପନର ଯଶସ୍ୱୀ ଜୈସୱାଲ ୭୫୧ ପଏଣ୍ଟ ସହ ୫ମ ସ୍ଥାନ ଦଖଲ କରିଛନ୍ତି । ଭାରତର ଅଧିନାୟକ ରୋହିତ ଶର୍ମା ଯଦିଓ ଟପ୍ ୧୦ରେ ରହିଛନ୍ତି, କିନ୍ତୁ ତାଙ୍କୁ ୫ଟି ସ୍ଥାନ ହରାଇବାକୁ ପଡିଛି । ସେ ମାତ୍ର ୭୧୬ ପଏଣ୍ଟ ସହ ରାଙ୍କିଙ୍ଗର ୧୦ନମ୍ବର ସ୍ଥାନରେ ଅଛନ୍ତି । ବିରାଟ କୋହଲି ମଧ୍ୟ ୫ଟି ସ୍ଥାନ ତଳକୁ ଖସି ଟପ ୧୦ରୁ ବାଦ ପଡି ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି । ପୂର୍ବରୁ ଭଳି ୮୯୯ ପଏଣ୍ଟ ସହ ଜୋ ରୁଟ ୧ନଂ ସ୍ଥାନରେ, ୮୫୨ ପଏଣ୍ଟ ସହ କେନ ୱିଲିୟମସନ ଦ୍ୱିତୀୟୟରେ ଓ ଡାରେଲ ମିଚେଲ ୭୬୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି । ଅନ୍ୟପକ୍ଷରେ ଟେଷ୍ଟ ବୋଲିଂ ରାଙ୍କିଙ୍ଗ କଥା ବିଚାରକୁ ନେଲେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି । କିନ୍ତୁ ୨ ନଂ ସ୍ଥାନକୁ ଲମ୍ଫ ମାରିଛନ୍ତି ଯଶପ୍ରୀତ ବୁମ୍ରା । ରବୀନ୍ଦ୍ର ଜାଡେଜା ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୬ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ।