ଶିବାଜୀ ଆମ ଦେବତା, ମୁଁ କ୍ଷମା ମାଗୁଛି: ମୋଦି  

ଶିବାଜୀ ଆମ ଦେବତା, ମୁଁ କ୍ଷମା ମାଗୁଛି: ମୋଦି  

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଜ ଛତ୍ରପତି ଶିବାଜୀ ଆମ ଦେବତା, ମୁଁ ମୋ ଆରାଧ୍ୟଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ମହାରାଷ୍ଟ୍ରର ପାଲଘରରେ ଏକ କାର୍ଯ୍ୟକୁ ସମ୍ବୋଧିତ କରିବା ବେଳେ ମୋଦି କହିଛନ୍ତି, "ମୁଁ ଏ ସ୍ଥାନରେ ପହଞ୍ଚିବା କ୍ଷଣି ଶିବାଜୀଙ୍କ ନିକଟରେ କ୍ଷମା ମାଗିଥିଲି । ସେ ଆହୁରି କହିଛନ୍ତି, ଯେଉଁମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସେମାନଙ୍କର ଦେବତା ବୋଲି ଭାବନ୍ତି ଏବଂ ଏହି ଘଟଣାକୁ ନେଇ ଗଭୀର ଆଘାତ ପାଇଛନ୍ତି, ମୁଁ ମୁଣ୍ଡ ନୁଆଁଇ ସେମାନଙ୍କୁ କ୍ଷମା ମାଗୁଛି । ଆମ ପାଇଁ ଆମ ଦେବତାଙ୍କଠାରୁ ବଡ଼ କିଛି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 
ସିନ୍ଧୁଦୁର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀଙ୍କର ୩୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଅଗଷ୍ଟ ୨୬ରେ ଏହି ଷ୍ଟାଚୁ୍ୟ ଭୁଶୁଡ଼ି ପଡ଼ିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ଆଜି ଠିକାଦାରଙ୍କୁ ଗିରଫ କରାଯାଇଛି । ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ ନୌସେନା ଦିବସ ଅବସରରେ ମୋଦି ଉନ୍ମୋଚନ କରିଥିଲେ । ଭାରତୀୟ ନୌସେନା ଓ ରାଜ୍ୟ ସରକାରଙ୍କ ସହଯୋଗରେ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ଏଥିପାଇଁ ମୋଟ ୨.୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ମୂର୍ତ୍ତି ନିର୍ମାଣକୁ ବର୍ଷେ ପୂରି ନ ଥିବାବେଳେ ଗତ ସୋମବାର ଭୁଶୁଡି ପଡିଥିଲା । ଏନେଇ ମାଲଭାନ ପୁଲିସ୍ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନିମ୍ନମାନର କାର୍ଯ୍ୟ ପାଇଁ ମୂର୍ତ୍ତି ଭୁଶୁଡ଼ି ପଡ଼ିଥିବା ପୂର୍ତ୍ତ ବିଭାଗ ଅଭିଯୋଗ କରିଥିଲା । ଅଭିଯୋଗ କ୍ରମେ ଆଜି ପୁଲିସ ଏହାର ଠିକାଦାରଙ୍କୁ ଗିରଫ କରିଛି ।