ଶିକ୍ଷା ବର୍ଷର ଆଧା ସରିଲାଣି ହେଲେ ମିଳୁନି ସ୍କୁଲ୍ ୟୁନିଫର୍ମ
ଆସିକା: ରାଜ୍ୟ ସରକାର ପକ୍ଷରୁ ପିଲାମାନଙ୍କୁ ସ୍କୁଲ ଅଭିମୁଖୀକରଣ କରିବା ପାଇଁ ମାଗଣାରେ ପାଠ୍ୟ ପୁସ୍ତକ, ଗଣ ପୋଷାକ, ସାଇକେଲ ଆଦି ଅନେକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କିନ୍ତୁ ଗତ କିଛି ବର୍ଷ ହେଲା ପୋଷାକ ବଣ୍ଟନରେ ବିଚିତ୍ର ନୀତିନିୟମ କାରଣରୁ ଛାତ୍ରଛାତ୍ରୀଙ୍କୁ ମିଳିନି ସ୍କୁଲ ୟୁନିଫର୍ମ । ଓଡିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଜୁଲାଇ ମାସ ଶେଷ ସୁଦ୍ଧା ପିଲାମାନଙ୍କୁ ଗଣ ପୋଷାକ ପ୍ରଦାନ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା କିନ୍ତୁ ଦୁର୍ଭାଗ୍ୟ ବିଷୟ ହେଲା ଶିକ୍ଷା ବର୍ଷର ଆଧା ସମୟ ଚାଲିଯାଇଥିବା ବେଳେ କିନ୍ତୁ ଛାତ୍ରଛାତ୍ରୀଙ୍କୁ ପୋଷାକ ମିଳିନି । ଏଥିନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ବିଷୟରେ ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।