ମହାରାଷ୍ଟ୍ର-ଝାଡଖଣ୍ଡରେ କିଏ ମାରିବ ବାଜି!
ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଶେଷ ପର୍ଯ୍ୟାୟର ମତଦାନ ଜାରି ରହିଛି। ମହାରାଷ୍ଟ୍ରରେ ଯେତେବେଳେ ଲୋକମାନେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୮୮ଟି ଆସନରେ ନିଜର ମତଦାନ କରୁଛନ୍ତି, ଏହି ସମୟରେ ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହାଇଛି। ଏଠାରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ନଭେମ୍ବର ୧୩ରେ ହୋଇଥିଲା। ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପଡୁଛି। ଏହା ବ୍ୟତୀତ ୟୁପିର ୯ଟି ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର କେଦାରନାଥ ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଦିଆଯାଉଛି। ଏହାପୂର୍ବରୁ କେରଳର ହାଇ ପ୍ରୋଫାଇଲ ସଂସଦୀୟ ଆସନ ୱାୟାନାଡରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ଏହିସବୁର ରେଜଲ୍ଟ ନଭେମ୍ବର ୨୩ରେ ଆସିବ। କିନ୍ତୁ ଏହାପୂର୍ବରୁ, ଆଜି ସଂଧ୍ୟାରେ ଏକଜିଟ ପୋଲ ଆସିବ, ଯେଉଁଥିରେ ବିଭିନ୍ନ ଏଜେନ୍ସି କେଉଁ ରାଜ୍ୟର କିଏ କ୍ଷମତାସୀନ ହେବ ତାହାର ଆକଳନ କରିବେ।ଯଦି ମହାରାଷ୍ଟ୍ର ନିର୍ବାଚନକୁ ଦେଖିବା ରାଜ୍ୟରେ, ମହାୟୁତି କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ଦଳ ମହା ବିକାଶ ଅଗାଡୀ (MVA) ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ ପାଇଁ ଆଶା ରଖିଛନ୍ତି। ମହାୟୁତିର ମହାମେଣ୍ଟର ଭାଜପା ୧୪୯ଟି ଆସନରେ, ଶିବସେନା ୮୧ଟି ଆସନରେ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୫୯ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇଛନ୍ତି।ମହା ବିକାଶ ଅଗାଡିରେ କଂଗ୍ରେସ ୧୦୧ଜଣ ପ୍ରାର୍ଥୀ, ଶିବସେନା (ୟୁବିଟି) ୯୫ଜଣ ପ୍ରାର୍ଥୀ ଏବଂ ଏନସିପି (ଶରତ ପାୱାର) ୮୬ ଜଣ ପ୍ରାର୍ଥୀ ଦେଇଛନ୍ତି। ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଟେହାଦ-ଉଲ-ମୁସଲିମ (AIMIM) ସମେତ ଛୋଟ ଦଳ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ବିଏସପି ୨୩୭ଜଣ ପ୍ରାର୍ଥୀ ଏବଂ AIMIM ୧୭ ଜଣ ପ୍ରାର୍ଥୀ ଦେଇଛନ୍ତି।ଝାଡଖଣ୍ଡରେ ଶାସକ ଇଣ୍ଡିଆ ମେଣ୍ଟ ଓ ଏନଡିଏ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ଜେଏମଏମ ନେତୃତ୍ୱାଧୀନ ମିଳିତ ମେଣ୍ଟ ଏହାର କଲ୍ୟାଣକାରୀ ଯୋଜନା ଆଧାରରେ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ହିନ୍ଦୁତ୍ୱ, ବାଂଲାଦେଶରୁ ଅନୁପ୍ରବେଶ ଏବଂ ବର୍ତ୍ତମାନର ସରକାରଙ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇ ଭାଜପା ନିର୍ବାଚନରେ ଏଣ୍ଟ୍ରି କରିଛି। ରାଜ୍ୟରେ ୮୧ଟି ବିଧାନସଭା ଆସନ ଅଛି। ଯଦି ସୋରେନ କ୍ଷମତାକୁ ଫେରନ୍ତି, ତେବେ ସେ ଇତିହାସ ସୃଷ୍ଟି କରିବେ। ଯଦି ସେ ପରାସ୍ତ ହୁଅନ୍ତି, ତେବେ ୨୪ବର୍ଷ ଧରି ଚାଲିଆସୁଥିବା ପରମ୍ପରା ଝାଡଖଣ୍ଡରେ ଜାରି ରହିବ।