କୋଚିଂ ସେଣ୍ଟରରେ ପାଣିପଶି ମୃତ୍ୟୁବରଣ କରିଥିବା ୪ ଛାତ୍ରଙ୍କ ପରିବାରକୁ ଦେଲେ ୧୦ ଲକ୍ଷ ଟଙ୍କା : ବିକାଶ ଦିବ୍ୟକିର୍ତ୍ତୀଙ୍କ

ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକିର୍ତ୍ତୀ ଦୁର୍ଘଟଣାରେ ମୃତ୍ରୁ୍ୟବରଣ କରିଥିବା ୪ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ମୃତ ଛାତ୍ରଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଦିଲ୍ଲୀ ରାଜେନ୍ଦ୍ର ନଗରରେ ଥିବା ରାଓ କୋଚିଂ ସେଣ୍ଟରେ ପାଣି ପଶିଯିବା ଯୋଗୁଁ ହୋଇଥିଲା । ଅନ୍ୟ ଜଣେ ଛାତ୍ରଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା ।

ସହାୟତା ରାଶି ଘୋଷଣା କରି ବିକାଶ ଦିବ୍ୟକିର୍ତ୍ତୀ କହିଛନ୍ତି କି, ମୃତ ୪ ଛାତ୍ରଙ୍କ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛନ୍ତି । ଏଭଳି ଦୁଖଦ ସମୟରେ ମୁଁ ସେମାନଙ୍କ ସହ ଛିଡା ହୋଇଛି । ଏହାସହ ସେ କହିଛନ୍ତି କି, ଯେତେ ଟଙ୍କା ଦେଲେ ବି ସେହି ପରିବାର ଦୁଖକୁ ଲିଭାଇ ଦିଆଯାଇପାରିବ ନାହିଁ ।

ବିକାଶ ଦିବ୍ୟକିର୍ତ୍ତି କହିଛନ୍ତି ଯେ, ରାଓ ଆଇଏଏସରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସହାୟତା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ପାଇଁ ଷ୍ଟଡି ମେଟେରିଆଲ, ନିଶ୍ଳୁକ କୋଚିଂ ଓ ଘର ଯୋଗାଇ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ସେ ସୋମବାର ଦିନ କରୋଲ ବାଗରେ ଥିବା ତାଙ୍କ କାର୍ଯ୍ୟାଳୟ ସହ ସଂପର୍କ କରିବାକୁ ରାଓ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ।