ଆଇଏଏସ୍ କୃତକାର୍ଯ୍ୟଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧନା
୨୦୨୩ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୯ଜଣ କୃତି ଆଇଏଏସ୍ ଙ୍କ ପିତାମାତାଙ୍କୁ ଭୁବନେଶ୍ୱର ଠାରେ ରାଜଭବନର ସଭା ଗୃହରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଆଇଏଏସ୍ ପାଇଥିବା ସମସ୍ତ ସଫଳ କୃତଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ସେମାନଙ୍କ ପିଲାମାନଙ୍କ ସଫଳତା ପଛରେ ସେମାନଙ୍କର କାହାଣୀ ଶୁଣିଥିଲେ । ସମସ୍ତ ପିତାମାତାଙ୍କୁ ମହାମହିମ ନିଜ ହାତରେ ଉତ୍ତରୀୟ ପିନ୍ଧାଇ ସଫଳ ପୁତ୍ରମାନଙ୍କୁ ସମାଜର ସାଧାରଣ ବର୍ଗଙ୍କ ପାଇଁ ନିସ୍ୱାର୍ଥପର ଭାବେ କାମ କରିବାକୁ ପୁତ୍ରମାନଙ୍କୁ ପ୍ରବାର୍ତ୍ତାଇବାକୁ ଆହ୍ୱାନ ଦେଇଥିଲେ । ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଥିବା ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଧୀନ ନଡ଼ପୁର ଗ୍ରାମର ସୌରଭ ଦାସଙ୍କ ପିତା ଶିକ୍ଷାବିତ୍ ମୀନକେତନ ଦାସ ଓ ମାତା ବେତନଟୀ କଲେଜର ପୂର୍ବତନ ଅଧ୍ୟକ୍ଷ ସଂଯୁକ୍ତା ଜୀଙ୍କୁ ରାଜ୍ୟପାଳ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଆଇଏଏସ୍ ସୌରଭ ଦାସ ବେତନଟୀ ଅଞ୍ଚଳର ଗର୍ବ ଓ ଗୌରବ ହୋଇଥିବା ବେଳେ ସମ୍ବର୍ଦ୍ଧନା ଉତ୍ସବରେ ବଡବାପା ବେତନଟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଶ୍ୟାମସୁନ୍ଦର ଦାସ ଓ ଭାଇ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ବର୍ଦ୍ଧନା ମହାମହିମ ରାଜ୍ୟପାଳ ଦେବା ଫଳରେ ଏହା ସମଗ୍ର ରାଜ୍ୟର ଯୁବ ସମାଜକୁ ପ୍ରେରଣା ଯୋଗାଇବ ବୋଲି ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କୁହାଯାଇଛି ।