ଆଜି ନୂଆଁଖାଇ, ଉତ୍ସବମୁଖର ପଶ୍ଚିମ ଓଡିଶା 

ଆଜି ନୂଆଁଖାଇ, ଉତ୍ସବମୁଖର ପଶ୍ଚିମ ଓଡିଶା 


ଆଜ ନୂଆଖାଇ । ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡିଶା । ଦୁଲୁକୁଛି ମନ୍ଦିର ପରିସର  । ମା’ ସମଲେଶ୍ୱରୀ ଓ ବଲାଙ୍ଗିରର ମା’ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ  । ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କ ନିକଟରେ ଅର୍ପଣ କରିବାର ପରମ୍ପରାକୁ କୁହାଯାଏ ନୂଆଖାଁଇ  । ମା’ ନିକଟରେ ଅର୍ପଣ କରାଯାଉଥିବା ଚାଉଳକୁ ପଶୁପକ୍ଷୀ ବି ଅଇଁଠା କରି ନ ଥାନ୍ତି । ତେଣୁ ଫସଲ ପାଚିବା ପୂର୍ବରୁ ବିଲରୁ ଅମଳ କରି ଆଣି ମା’ଙ୍କୁ ଅର୍ପଣ କରାଯାଇଥାଏ । ଧରିତ୍ରୀ ଶସ୍ୟ ଶ୍ୟାମଳା ହେଉ, କାହାକୁ ଅନ୍ନ କଷ୍ଟ ନ ଲାଗୁ ବୋଲି ମାÿ’ଙ୍କ ନିକଟରେ ଗୁହାରୀ କରାଯାଇଥାଏ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପ୍ରଥମେ ଶୁଭ ଲଗ୍ନ ସକାଳ ୯ଟା୧୨ରୁ ୯ଟା ୨୭ ମଦ୍ୟରେ ନବାହ୍ନ ଲାଗି ହୋଇଛି । ଏହାପରେ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ବି ଲାଗି ହୋଇଛି ନବାହ୍ନ  । ସେହିପରି ବଲାଙ୍ଗିରରେ ବି ନିର୍ଦ୍ଧାରିତ ସମୟରେ ନବାହ୍ନ ଲାଗି ହୋଇଛି । ଏହି ସମୟରେ ଉଭୟ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ମା’ଙ୍କ ନିକଟରେ ନବାହ୍ନ ଲାଗି ହେବା ପରେ ଶ୍ରଦ୍ଧାଳୁମାନେ ପ୍ରସାଦ ପାଇଥିଲେ । ଏହାପରେ ପଶ୍ଚିମ ଓଡିଶାରେ ଘରେ ଘରେ ବେଶ୍ ଆନନ୍ଦ ଉଲ୍ଲାସ ସହିତ ଆରମ୍ଭ ହୋଇଯାଇଛି ନୂଆଁଖାଇ ପର୍ବ  । ଏହି ଅବସରରେ ଘରେ ଘରେ ସମସ୍ତ ପରିବାର ସଦସ୍ୟ ନୂଆ ବସ୍ତ୍ର ପିନ୍ଧିଥାନ୍ତି । ଏଥିସହ ନୂଆଁ ଅନ୍ନ ସହ ହୋଇଥାଏ ଭଳି କି ଭଳି ଖାଦ୍ୟ ପ୍ରସ୍ତୁତି । ପରିବାରର ସାନମାନେ ନୂଆ ବସ୍ତ୍ର ପିନ୍ଧି ବଡମାନଙ୍କ ଆର୍ଶିବାଦ ନେଇଥାନ୍ତି । ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ଖାଇଥାନ୍ତି । ନୂଆଁଖାଇ ପାଳନ ନିମନ୍ତେ ଦେଶବିଦେଶରୁ ଲୋକେ ନିଜ ଘରକୁ ଛୁଟି ଆସିଥାନ୍ତି ।