ବାଇକ ଚାବିରେ ସ୍ତ୍ରୀକୁ ଆକ୍ରମଣ ; ସ୍ୱାମୀ ଗିରଫ

ଭୁବନେଶ୍ୱର, ୭ା୯ : ଶଶୁର ଘରୁ ନିଜ ଛୁଆକୁ ନେଇ ଭୁବନେଶ୍ୱର ଚାଲିଆସିଥିବା ଛୁଆକୁ ଫେରାଇବାକୁ ସ୍ୱାମୀ ଘରକୁ ଆସି ସ୍ତ୍ରୀ ମାଗିବାରୁ ବାଇକ ଚାବିରେ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ । ଏନେଇ ଥାନାରେ ଅଭିଯୋଗ ପରେ ଭରତପୁର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଫୁଲେଶ୍ୱରୀ ବସ୍ତିର ବୃନ୍ଧାବନ ସେଠୀ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଓ ଅଭିଯୁକ୍ତ ପରସ୍ପର ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ, ଅର୍ଥଲାଗି ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଉଭୟଙ୍କ ଦୁଇଟି ସନ୍ତାନ ଥିବା ବେଳେ ଅଭିଯୁକ୍ତ କୌଣସି ଭରଣ ପୋଷଣ ଦେଉନଥିବାରୁ ଅଭିଯୋଗକାରିଣୀ ଦୁଇ ଛୁଆଙ୍କୁ ନେଇ ନିଜ ବାପା ଘରେ ରହୁଥିଲେ । ଏହି ସମୟରେ ଅଭିଯୁକ୍ତ ଶଶୁର ଘର ନିକଟ ତା ଭଉଣୀ ଘରକୁ ଯାଇ ସେଠାରୁ କାହାକୁ କିଛି ନକହି ଝିଅକୁ ସାଙ୍ଗରେ ନେଇ ଭୁବନେଶ୍ୱର ଚାଲିଆସିଥିଲା । ହେଲେ ଆଉ ସ୍ତ୍ରୀ ପାଖକୁ ଛାଡିନଥିଲା । ଯାହାକୁ ନେଇ ଅଭିଯୋଗକାରିଣୀ ସ୍ୱାମୀ ଘରକୁ ଆସି ତାଙ୍କ ଝିଅକୁ ଦେବାକୁ କହିଥିଲେ । ଏହି ସମୟରେ ଉଭୟଙ୍କ ଭିତରେ ଝଗଡା ଆରମ୍ଭ ହୋଇଥିଲା । ଏତିକି ବେଳେ ଅଭିଯୁକ୍ତ ସ୍ୱାମୀ ତା ବାଇକ ଚାବିରେ ସ୍ତ୍ରୀର ମୁହକୁ ଓ ଦେହକୁ ବାରମ୍ବାର ଆକ୍ରମଣ କରିଥିଲା । ଯାହାଫଳରେ ଅଭିଯୋଗକାରିଣୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲକୁ ପଠାଇବା ପରେ ସେ ସୁସ୍ଥ ହୋଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।