ନୀଳଗିରି ଏନ୍ଏସିରେ ମହାଘୋଟାଲା, ତଦନ୍ତ ଦାବି
ାା ପ୍ରଭାନୁ୍ୟଜ ।ା ନୀଳଗିରି,: ନୀଳଗିରି ଏନ୍ଏସିରେ ମହାଘୋଟାଲା ହୋଇଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ପ୍ରକାଶ ଯେ, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବେ ନିର୍ବାହୀ ଅଧିକାରୀଙ୍କ କବ୍ଜାରେ । ଏଠି ନା ଅଧ୍ୟକ୍ଷାଙ୍କ କଥା ଶୁଣାଯାଉଛି ନା କାଉନସିଲରଙ୍କ ମତ ନିଆଯାଉଛି । ଅଫିସର ଜଣକ କିଛି ସ୍ୱାର୍ଥନ୍ୱସୀ ବ୍ୟକ୍ତିଙ୍କୁ ଧରି ଉପରକୁ ଏନ୍ଏସିର ବିକାଶ କାର୍ଯ୍ୟ କରୁଥିବାର ଡିଣ୍ଡିମ ପିଟି ସର୍ବସାଧାରଣଙ୍କ ଅର୍ଥକୁ ଆତ୍ମସାତ କରିବାରେ ଲାଗି ପଡିଛନ୍ତି । ଗତ ଫେବୃଆରୀ ମାସ ୧୯ ତାରିଖରେ ଏନ୍ଏସିରେ ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସ ଯୋଗ ଦେଇଥିବାବେଳେ ନିଯୁକ୍ତିକୁ ଚାରିମାସ ନ ପୁରୁଣୁ ଏନ୍ଏସିର ଉନ୍ନତିକରଣ ନାଁରେ ବିଭିନ୍ନ ଯୋଜନାରେ ମହାଘୋଟାଲା କରିଥିବା ସାମ୍ନାକୁ ଆସିଛି । ଚଳିତ ରଥଯାତ୍ରାରେ ସହର ଓ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାମରେ ଜୁନ୨୬ ତାରିଖରେ ଏକ ରେଜୋଲୁସନରେ ୬ ଗୋଟି ପ୍ରସ୍ତାବ ପାରିତ ହୋଇ ଜୁନ୍ ୨୮ ତାରିଖରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବିଜ୍ଞପ୍ତି ପ୍ରକାଶନ ପାଇଁ ଚିଠି କରାଯାଇଥିଲା । ତେବେ ଗୋଟିଏ ଦିନ ନ ପୁରୁଣୁ ଜୁନ ୨୯ ତାରିଖରେ ଏକ ଖବର କାଗଜରେ ତଞ୍ଚକତା କରି ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଉକ୍ତ ପ୍ରସ୍ତାବର ୨ଗୋଟି କାର୍ଯ୍ୟର ଟେଣ୍ଡର ନିମନ୍ତେ ଗଣେଶ ଆସୋସିଏଟ, ମାର୍କର ଆସୋସିଏଟ ଓ ଏସଏନ ସଲୁସନ ନାମରେ ତିନିଗୋଟି ସଂସ୍ଥା ଆବେଦନ କରିଥିଲେ । ଉକ୍ତ ସଂସ୍ଥା ମଧ୍ୟରୁ ଜଗନ୍ନାଥ ମନ୍ଦିରରରେ ଲଗାଯାଇଥିବା ଏଲଇଡିକୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଗଣେଷ ଆସୋସିଏଟକୁ ୧୫ ଲକ୍ଷ ୨୬ ହଜାର ୨୦୦ ଟଙ୍କା ସର୍ବନିମ୍ନ ମୂଲ୍ୟରେ ଟେଣ୍ଡର ଦିଆଯାଇଥିବାବେଳେ ମନ୍ଦିର ସମ୍ମୁଖସ୍ଥ ଫାଉଣ୍ଟେନ ନିର୍ମାଣ ପାଇଁ ଗୁଜୁରାଟ ରାଜ୍ୟ ସୁରଟର ମାର୍କର ଆସୋସିଏଟ ୧୨ଲକ୍ଷ ୫୨ ହଜାର ଟଙ୍କାର ସର୍ବନିମ୍ନ ମୂଲ୍ୟରେ କାର୍ଯ୍ୟଦେଶ ପାଇଁ ଏନ୍ଏସି ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଥିଲା । ତେବେ ଉକ୍ତ ଟେଣ୍ଡର କାଗଜକୁ ଜଣେ ବ୍ୟକ୍ତିଙ୍କ ହସ୍ତାକ୍ଷର ଥାଇ କିପରି ଦୁଇଟି ସଂସ୍ଥାକୁ ପ୍ରଦାନ କରାଗଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଟେଣ୍ଡରରେ ହେରଫେର ହୋଇଥିବା ସ୍ପଷ୍ଟ ଜଣାପଡୁଛି । ଅପରପକ୍ଷରେ ଲଇଡି ଟେଣ୍ଡର ବାବଦରେ ୧୬ ଲକ୍ଷ ୭୮ ହଜାର ୮୨୦ ଟଙ୍କା ଏବଂ ଫାଉଣ୍ଟନ ବାବଦରେ ୧୩ ଲକ୍ଷ ୭୭ ହଜାର ୨୦୦ ଟଙ୍କା ଉଭୟ ଗଣେଷ ଆସୋସିଏଟ (କବିସୂର୍ଯ୍ୟନଗର)ଓ ମାର୍କର ଏସୋସିଏଟ(ସୁରଟ) ବିଲ୍ ପୈଠ କରାଯାଇଛି । ଏହାର ବଜାର ମୂଲ୍ୟ କେତେ, କିଏ ଏହାକୁ ତର୍ଜମା କରିଥିଲେ, ଲକ୍ଷାଧିକ ଟଙ୍କାର ଅର୍ଥରାଶି ଥିବା ବେଳେ ଏହାକୁ ଅନଲାଇନ କରାଗଲା କି ଅଫଲାଇନ କରାଗଲା ତାହା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଏଥିସହିତ ଉକ୍ତ କାର୍ଯ୍ୟର ଗ୍ୟାରେଣ୍ଟି ଅବଧି କେତେ ରହିଛି ତାହା ମଧ୍ୟ ଉଲ୍ଲେଖ କରାଯାଇନାହିଁ । ତେବେ ଉକ୍ତ ଅଧିକାରୀ ଜଣକ ନିଜକୁ ସୁହାଇଲା ଭଳି ପକେଟ ଗରମ କରିବାର ଅଭିଳାସ ରଖି ଓଡିଶାରେ ଅନେକ ବଡ ବଡ ସଂସ୍ଥା ଏଭଳି କାର୍ଯ୍ୟ ପାଇଁ ଦକ୍ଷତା ରଖିଥିବାବେଳେ ସୁଦୁର ଗୁଜୁରାଟ ଭଳି ରାଜ୍ୟରୁ ଟେଣ୍ଡରଧାରୀ ଆଣି କାର୍ଯ୍ୟ କରିବା ଲୋକଙ୍କ ଚକ୍ଷୁଶୀଳ ହୋଇଛି । କାହା ବଳରେ ବଳିଆନ ହୋଇ ଅଧିକାରୀ ଜଣକ ଏନ୍ଏସିରେ ଏଭଳି ମହାଘୋଟାଲା କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି? ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ନେଇ ଏନ୍ଏସିବାସୀ ଦାବି କରିଛନ୍ତି । ଏ ନେଇ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ କାର୍ଯ୍ୟରେ କୌଣସି ଦୁର୍ନୀତି ହୋଇନଥିବା କହିଛନ୍ତି ।