ଆସନ୍ତାକାଲି କୋରାପୁଟରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି
ଭୁବନେଶ୍ୱର: ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡି କେନ୍ଦ୍ର । ବର୍ଷା ପାଇଁ କୋରାପୁଟ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାରୁ ସ୍କୁଲ୍ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛୁଟି ଘୋଷଣା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ଜିଲ୍ଲାପାଳ । ଏହା ସହିତ ବର୍ଷା ବେଳେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ନିଜ ନିଜ ପକ୍କା ଘର କିମ୍ବା ଆଶ୍ରୟସ୍ଥଳରେ ରହିବାକୁ ସେ ଲୋକଙ୍କୁ କହିଛନ୍ତି । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ଆଜିଠାରୁ ୨ ତାରିଖ ସକାଳ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ଓ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ କିଛି ସ୍ଥାନରେ ଭୀଷଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତାକାଲି ସକାଳ ସାଢେ ୮ଟାରୁ ୩୧ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ସହିତ ଭୀଷଣ ବର୍ଷା ହୋଇପାରେ । ଏହି ସମୟରେ ବିଜୁଳି, ଘଡଘଡି ହେବାର ମଧ୍ୟ ସମ୍ଭାବନା ରହିଛି । ସେଥିପାଇଁ ଏହି ତିନି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡଘଡି ହେବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେଣୁ ଏହି ଜିଲ୍ଲାଗୁଡିକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ନୂଆପଡା, ବଲାଙ୍ଗିର, ବରଗଡ, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।