ମଧ୍ୟାହ୍ନ ଭୋଜନରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ


ବୋରିଗୁମ୍ମାରୁ ଦୟାନିଧି ପଟ୍ଟନାୟକ  :  କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ୧୩୨ ଗୋଟି ବିଦ୍ୟାଳୟରେ ୧୦ ହଜାର ୮୦୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ଦାଇତ୍ତ୍ୱ ନେଇଛି ସେଣ୍ଟ୍ରାଲ କିଚେନ । ନିମ୍ନମାନର ଖାଦ୍ୟକୁ ବିରୋଧ କରି ବିଦ୍ୟାଳୟ ସଭାପତି ଏବଂ ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଖୁବ ଶୀଘ୍ର ଏହାର ତଦନ୍ତ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ । ସେପଟେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଆମେ ସରକାରସ୍ତରରେ ତଦନ୍ତ ପରେ ସେଣ୍ଟ୍ରାଲ କିଚେନକୁ ବାତିଲ କରିବୁ । ବର୍ତ୍ତମାନ ସେଣ୍ଟ୍ରାଲ କିଚେନ ଖାଦ୍ୟରୁ ମୁହଁ ଫେରେଇ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବେ ଘରୋଇ ଖାଦ୍ୟ ଉପରେ ନିର୍ଭର କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବୋରିଗୁମ୍ମା ବ୍ଲକର ଖଟୁଲୁଗୁଡା, ନନ୍ଦର୍ଲା, ପୋର୍ଜା ମୁଣ୍ଡିଗୁଡା, ବିଶୋଇପୁଟ, ମାଝୀଗୁଡା, ରେଙ୍ଗାଳଗୁଡା ଏବଂ ଫଟାହାଣ୍ଡି ବିଦ୍ୟାଳୟ ରେ ବନ୍ଦ ରହିଛି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ଦୀର୍ଘ ମାସ ଧରି ସେଣ୍ଟ୍ରାଲ କିଚେନର ମିଡ ଡେ ମିଲ ଖାଦ୍ୟ ସକାଳ ୯ଘଣ୍ଟାରୁ ଗାଡ଼ି ଯୋଗେ ବିଦ୍ୟାଳୟରେ ପହଞ୍ଚେ ସ୍କୁଲକୁ ଭୋଜନ ଆସିବା ବେଳକୁ ରନ୍ଧା ଖାଦ୍ୟ ଥଣ୍ଡା ଏବଂ ଗନ୍ଧ ବାହାରିଥାଏ । ବେଳେବେଳେ ଭାତରୁ ପୋକ ଏବଂ ତରକାରୀରୁ ଆସରପା ବାହାରେ ଆଉ ଅଣ୍ଡା ସମ୍ପୂର୍ଣ୍ଣ ସିଝି ନଥିବା ଯୋଗୁଁ ଚୋପା ଛଡେଇ ବାରେ ଅସୁବିଧା ହୁଏ । ଏ ସବୁକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ବିଦ୍ୟାଳୟରେ ସେଣ୍ଟ୍ରାଲ କିଚେନ ଖାଦ୍ୟ ନଆସିବା ଫଳରେ କୁନିକୁନି ପିଲାମାନେ ନିଜ ଘରୁ ଟିଫିନ ବକ୍ସରେ ଖାଦ୍ୟ ନେଇ ବିଦ୍ୟାଳୟକୁ ଆସୁଛନ୍ତି । ନଚେତ ଖାଇବା ଛୁଟିରେ ପିଲାମାନେ କିଏ ଏକ କିଲୋମିଟର ତୋ କିଏ ଦୁଇ କିଲୋମିଟର ଚାଲିଚାଲି ଘରକୁ ଯାଇ ଭୋଜନ ଖାଇ ଆସୁଛନ୍ତି ନଚେତ ଭୋକ ଉପାସରେ ରହୁଛନ୍ତି । ଯଦି ବିଦ୍ୟାଳୟରେ ପୁନଃ ପାଚିକା ବ୍ୟବସ୍ଥା କଲେ ଛାତ୍ରଛାତ୍ରୀ ଉପଯୁକ୍ତ ଗରମ ଖାଦ୍ୟ ପାଇପାରିବେ ବୋଲି କହିଛନ୍ତି ଅଭିବାବକ । ବୋରିଗୁମ୍ମା ବ୍ଲକର ଅନେକ ବିଦ୍ୟାଳୟରେ ସେଣ୍ଟ୍ରାଲ କିଚେନ ଖାଦ୍ୟ ନିମ୍ନମାନର ହୋଇଥିବା ଯୋଗୁଁ ପିଲାମାନେ ନଖାଇ କୁଣ୍ଡରେ ଫୋପାଡି ଦେଉଥିବା ଦେଖିବାକୁ ମିଳିଛି । ଏବେ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକରେ ସେଣ୍ଟ୍ରାଲ କିଚେନ ମଧ୍ୟାହ୍ନ ଭୋଜନକୁ ବିରୋଧ କରି ଏକ ମାସରୁ ଦେଢ଼ ମାସ ବିତିଲାଣି ଛାତ୍ରଛାତ୍ରୀ ଘରୋଇ ଖାଦ୍ୟ ଆଣୁଛନ୍ତି ତ ଆଉ କିଏ କିଏ ଭୋକ ଉପାସରେ ପାଠ ପଢୁଛନ୍ତି ତଥାପି ସରକାରଙ୍କ ଦୃଷ୍ଟି ପଡୁନାହିଁ । ଦେଖିବାକୁ ବାକିରହିଲା କେବେ ଏହାର ସମାଧାନ ହେଉଛି ।