କେନ୍ଦ୍ରକୁ ଝଟକା : ଆଇଟି ଆଇନରେ ସଂଶୋଧନକୁ କୋର୍ଟଙ୍କ ଖାରଜ

 କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଲାଗିଛି ବଡ ଝଟକା । ସୂଚନା ପ୍ରଯୁକ୍ତି ଆଇନ ବା ଆଇଟି ଆକ୍ଟରେ ୨୦୨୩ରେ କେନ୍ଦ୍ର ସରକାର କରିଥିବା ସଂଶୋଧନକୁ ଆଜି ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଆଇଟି ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ ଗୋଟିଏ ଫ୍ୟାକ୍ଟ ଚେକିଂ ୟୁନିଟ ବା ତଥ୍ୟ ଯାଞ୍ଚ କମିଟି ଗଠନ କରିବାକୁ ଚାହୁଁଥିଲେ । ଏହି ୟୁନିଟ ସୋସିଆଲ ମିଡିଆରେ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରକାଶ ପାଉଥିବା ପୋଷ୍ଟର ସତ୍ୟତା ଯାଞ୍ଚ କରିବା ସହ ମିଛ ପୋଷ୍ଟଗୁଡିକୁ ହଟାଇବାର କ୍ଷମତା ରଖି ଥାଆନ୍ତା । ତେବେ କେନ୍ଦ୍ରର ଏପରି ଆଭିମୁଖ୍ୟ ବିରୋଧରେ ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରା କୋର୍ଟରେ ପହଞ୍ଚିଥିଲେ । ଏବେ ବମ୍ବେ ହାଇକୋର୍ଟ କେନ୍ଦ୍ରର ଏହି ସଂଶୋଧନକୁ ରଦ୍ଦ କରିଦେଇଛନ୍ତି । 
ଜଷ୍ଟିସ ଏଏସ ଚନ୍ଦ୍ରୁକର କହିଛନ୍ତି, ସୂଚନା ପ୍ରଯୁକ୍ତି ସଂଶୋଧନ ନିୟମ, ୨୦୨୩ରେ ଫ୍ୟାକ୍ଟ ଚେକ ୟୁନିଟ(ଏଫସିୟୁ) ତିଆରି କରିବାକୁ କେନ୍ଦ୍ରକୁ କ୍ଷମତା ଦେଇଛି । ଅନଲାଇନରେ ଫେକ ନୁ୍ୟଜକୁ ଚିହ୍ନଟ କରିବା ଉପରେ ଏହି ୟୁନିଟ କାର୍ଯ୍ୟ କରିବ । କିନ୍ତୁ ଏହା ସମ୍ବିଧାନର ଧାରା ୧୪ ଓ ୧୯କୁ ଉଲ୍ଲଙ୍ଘନ କରୁଛି । ତେଣୁ ପ୍ରସ୍ତାବିତ ଆଇଟି ଆକ୍ଟ ସଂଶୋଧନକୁ ଅଗ୍ରାହ୍ୟ କରାଯାଉଛି । ଏହି ପ୍ରସଙ୍ଗରେ ପ୍ରଥମେ ଡିଭିଜନ ବେଞ୍ଚ ଶୁଣାଣି କରିଥିଲେ । ଜାନୁଆରି ମାସରେ ବେଞ୍ଚ ବିଭାଜିତ ରାୟ ପ୍ରକାଶ କରିବାରୁ ମାମଲା ତୃତୀୟ ବିଚାରପତିଙ୍କ ପାଖକୁ ଯାଇଥିଲା । ଆଜି ତୃତୀୟ ବିଚାରପତି କେନ୍ଦ୍ର ବିରୋଧରେ ରାୟ ଦେଇଛନ୍ତି । ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ନିଜର ତଥ୍ୟ ଯାଞ୍ଚ ୟୁନିଟ୍ ବା ଏଫସିୟୁର ଅପରେସନାଲ ଷ୍ଟାଟସ ନେଇ ପ୍ରକାଶ କରିଥିବା ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଥିଲେ । ବମ୍ବେ ହାଇକୋର୍ଟ ଏହା ଉପରେ ନିଷ୍ପତ୍ତି ନ ନେବା ଯାଏ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ସରକାରଙ୍କ ସଂଶୋଧନ ବିରୋଧରେ କୋର୍ଟ ଯାଇଥିବା କୁନାଲ କାମରା ଓ ଅନ୍ୟ ଆବେଦନକାରୀଙ୍କ କହିବା କଥା ଯେ ଏପରି ସଂଶୋଧନ ଅକାରଣରେ ବାକ ସ୍ୱାଧୀନତା ଉପରେ କଟକଣା ଲଗାଇବ । ଏହି ପ୍ରୋଭିଜନ ଦ୍ୱାରା ସରକାରୀ ନେତୃତ୍ୱାଧୀନ ୟୁନିଟ ଅନଲାଇନରେ ନିଜକୁ ସୁହାଇଲା ଭଳି ପଦକ୍ଷେପ ନେବ । ଯାହା ଜଣେ ବ୍ୟକ୍ତିଙ୍କ ବାକ ସ୍ୱାଧୀନତାକୁ କ୍ଷୁଣ୍ଣ କରିବ ବୋଲି ଆବେଦନକାରୀ କହିଥିଲେ ।