ଡମ୍ପରକୁ ପିଟିଲା ବସ, ୯ ମୃତ
ରାସ୍ତା କଡରେ ଛିଡା ହୋଇଥିବା ଡମ୍ପରକୁ ପିଟିଲା ଯାତ୍ରୀବାହୀ ବସ୍ । ଚାଲିଗଲା ୯ ଜଣଙ୍କ ଜୀବନ । ସେହିପରି ୨୦ରୁ ଅଧିକ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶରେ ଘଟିଛି ଏଭଳି କିଛି ଭୟଙ୍କର ସଡକ ଦୁର୍ଘଟଣା । ଉତ୍ତରପ୍ରଦେଶରୁ ନାଗପୁର ଅଭିମୁଖେ ଯାଉଥିବା ଏକ ଲଗ୍ଜୁରୀ ଯାତ୍ରୀବାହୀ ବସ୍ ଡମ୍ପର ସହ ଧକ୍କା ହୋଇଛି । ଆଜି ଭୋରରୁ ମଇହର ଜିଲ୍ଲାର ନାଦାନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସି ଆଭା ଟ୍ରାଭେଲ୍ସର ଏହି ଲଗ୍ଜୁରୀ ବସ୍ ରାସ୍ତା ପାର୍ଶ୍ୱରେ ଛିଡା ହୋଇ ରହିଥିବା ଏକ ପଥର ଲୋଡ୍ ଡମ୍ପରକୁ ପଛପଟୁ ଧକ୍କା ଦେଇଛି । ଏଥିରେ ୯ ଜଣଙ୍କ ମୃତୁ୍ୟ ହୋଇଛି ।ସେହିପରି ୨୦ ଜଣ ଆହତ ହୋଇଛନ୍ତି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସେହିପରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମଇହର ଏସପି ସୁଧୀର ଅଗ୍ରୱାଲ କହିଛନ୍ତି ଯେ, ଦୁର୍ଘଟଣାରେ ୧୯ରୁ ୨୦ ଲୋକ ଆହତ ହୋଇଛନ୍ତି । ସେହିପରି ୬ ଜଣଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ଚିକିସôାଧୀନ ଅବସ୍ଥାରେ ଆଉ ୩ ଜଣ ପ୍ରାଣ ହରାଇଛନ୍ତି । ବସ୍ଟି ପ୍ରୟାଗରାଜରୁ ନାଗପୁର ଯାଉଥିଲା । ତେବେ ଦ୍ରୁତ ଗତିରେ ଅସି ଡମ୍ପରକୁ ଧକ୍କା ଦେବାକୁ ଏହି ଦୁର୍ଘଟଣା ଘଟିଛି । ଧକ୍କା ହେତୁ ବସର ଆଗ ଭାଗ ନଷ୍ଟ ହୋଇଯାଇଛି । ବସ୍ଡ୍ରାଇଭର ଆଖି ପଡି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ପୂରା ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।