ଉଚ୍ଛେଦ ନୁହେଁ ସ୍ଥାୟୀ ପ୍ରତିକାର ଦାବି
ସମ୍ବଲପୁର: ପୂର୍ବତଟ ରେଳପଥ ପକ୍ଷରୁ ଗୋଶାଳା ଅଞ୍ଚଳକୁ ଉଚ୍ଛେଦ କରିବାକୁ ନୋଟିସ୍ କରାଯାଇଛି । ଫଳରେ ଦୀର୍ଘ ୭୦ବର୍ଷ ହେବ ରହି ଆସୁଥିବା ଲୋକେ ବେଶ ଚିନ୍ତିତ ହୋଇ ପଡିଛନ୍ତି । ସେମାନଙ୍କ ଜୀବନ ଓ ଜୀବିକା ଉପରେ ଏହା ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି । ଏନେଇ ଅଞ୍ଚଳବାସୀ ସୋମବାର ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଏହାର ସ୍ଥାୟୀ ପ୍ରତିକାର କରିବାକୁ ଦାବି କରିଛନ୍ତି । ଅଞ୍ଚଳର ନିରାପତ୍ତା ଓ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରିବାକୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଳକ ଅନ୍ତର୍ଗତ ଗୋଶାଳା, ଗୌଡପଡା, ମେହେରପଡା, କଦମପଡା, କଳପଡା, କୁଡାପଡା, ଝାରମୁଣ୍ଡା, ଏଗ୍ରୀକଲଚର ଫାର୍ମ, ଗୋଶାଳା ବିଦୁ୍ୟତ୍ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ନିୟନ୍ତ୍ରିତ ବଜାର, ହରିଓଁ ଅନନ୍ତ ବନ ଗୋଶାଳା ଆଦି ରେଲୱେ ଜମିରେ ଗଢି ଉଠିଛି । ରେଳବାଇ ପକ୍ଷରୁ ଏହି ସ୍ଥାନ ଗୁଡିକ ଖାଲି କରିବାକୁ ନୋଟିସ୍ ଜାରି କରାଯାଇଛି । ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ଅଞ୍ଚଳବାସୀଙ୍କୁ ଉଚ୍ଛେଦ କରାଗଲେ ଅଞ୍ଚଳର ବହୁ କ୍ଷତି ହେବ । ଏହାକୁ ଦୃଷ୍ଟିରେ ରଖି ଏହି ସ୍ଥାନ ଗୁଡିକରେ କୌଣସି ପ୍ରକଳ୍ପ କରାନଗଲେ ଅଞ୍ଚଳବାସୀ ବେଶ ଉପକୃତ ହେବେ । ରେଳବାଇ ପକ୍ଷରୁ ଉଚ୍ଛେଦ ନୋଟିସ୍ ଜାରି କରାଯାଇଥିଲା । ଏଥିରେ ସରପଞ୍ଚ ସୁଷମା ସାହୁ, ମନୋଜ ସାହୁ, ମୁନୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।