ପାଲାକୁ ଶାସ୍ତ୍ରୀୟ ମାନ୍ୟତା ଦାବି
ପୁରୀ: ନୀଳାଚଳ ନିଖିଳ ଉକôଳ ପାଲାଗାୟକ ପରିଷଦର ୪୬ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଗାୟକ, ଗାୟିକା, ବାଦକ, ସଂଗୀତ ଶିଳ୍ପୀମାନେ ଯୋଗଦାନ କରିଥିଲେ । ଲକ୍ଷ୍ମୀକ୍ଷର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥି ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଯୋଗଦାନ କରି ପାଲାଗାୟକଙ୍କ ଦାବି ଓ ଅଭିଯୋଗ ଯଥାର୍ଥ ବୋଲି ପ୍ରତିପାଦିତ କରି ଯଥାଶୀଘ୍ର ଏ ସଂକ୍ରାନ୍ତରେ ସରକାରଙ୍କ ସଂସ୍କୃତି ବିଭାଗ ସହ ଆଲୋଚନା କରି ପାଲାଗାୟକଙ୍କ ଦାବି ପୂରଣ ଦିଗରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରିଷଦ ସମ୍ପାଦକ ଲମ୍ବୋଦର ବେହେରା, ସାଂସ୍କୃତିକ ସମ୍ପାଦକ ମଙ୍ଗରାଜ ବିଶ୍ୱାଳ, ରାମଚନ୍ଦ୍ର କର, ପ୍ରତାପ ପ୍ରଧାନ, ବସନ୍ତ ରାଉତ, ମଦନମୋହନ ଜେନା, ସୁଦର୍ଶନ ମହାପାତ୍ର, ନିରୋଦ ଦାସ, ବନବିହାରି ଗ୍ରହାଚାର୍ଯ୍ୟ, ରବୀନ୍ଦ୍ର ସାମନ୍ତରାୟ, ରିଶ୍ମାମୟୀ ମାନ୍ଧାତା, ଶ୍ରୀମନ୍ଦିର ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖ ଉଦ୍ବୋଧନ ଦେଇ କହିଥିଲେ ଯେ, ୪୫ବର୍ଷ ଧରି ନିଖିଳ ଉକôଳ ପାଲାଗାୟକ ପରିଷଦ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରିଆସୁଛି । ପରିଷଦ ପକ୍ଷରୁ ଗତବର୍ଷ ମହାମହିମ ରାଜ୍ୟପାଳଙ୍କୁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ବକ୍ତାମାନେ କହିଥିଲେ ଯେ, ଶାସ୍ତ୍ରୀୟ ନାଟକ ପାଲା ଓଡ଼ିଶାର ଏକ ପାରମ୍ପରିକ ବିଦଗ୍ଧ ଓ ନିଜସ୍ୱ କଳା । ଅନେକ ପ୍ରକାର କଳା ବିଲୁପ୍ତ ହୋଇଥିବା ବେଳେ ପାଲାଗାୟକ ଏଯାବତ୍ ତାର ମାନଦଣ୍ଡକୁ ବଜାୟ ରଖିଛନ୍ତି । ଯେତେବେଳେ ଇଲେକ୍ଟ୍ରୋନିକ ମିଡ଼ିଆ ଓ ପ୍ରିଣ୍ଟମିଡିଆର ଯୁଗ ନଥିଲା ସେତେବେଳେ ପାଲା କଳାକାରମାନେ ଗଣମାଧ୍ୟମର ଭୂମିକା ତୁଲାଉଥିଲେ । କବି ଦୀନକୃଷ୍ଣ, ଜୟଦେବଙ୍କ କଥା ପାଲା ଗାୟକମାନେ ପ୍ରଚାର କରିଥାନ୍ତି । ତେଣୁ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପାଲାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବା ସହ ପାଲା ଗାୟକଙ୍କୁ ସ୍ୱତନ୍ତ୍ର ମାନ୍ୟତା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ପାଲା ଗାୟକଙ୍କୁ ସ୍ୱତନ୍ତ୍ର ଅର୍ଥ ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ପାଲା କଳାର ଉନ୍ନତି ପାଇଁ ଏକ ସ୍ଥାୟୀ ଘର ଯୋଗାଇ ଦିଆଯିବା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ପାଲା ଏକାଡେମୀ ପ୍ରତିଷ୍ଠା ଓ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରାଯିବା ପାଇଁ ଦାବି ଜଣାଇଥିଲେ । ପାଲାଗାୟକଙ୍କ ଏକ ଶୋଭାଯାତ୍ରା ଶରଧାବାଲିରୁ ବାହାରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପର୍ଯ୍ୟନ୍ତ ଯାଇଥିଲା । ପାଲା ଗାୟକମାନେ ବଡ଼ଦାଣ୍ଡରେ ଖୋଳ କରତାଳ ବଜାଇ ଚାମର ହଲାଇ ଜଗନ୍ନାଥଙ୍କ ଜୟଜୟକାର ଧ୍ୱନି ଦେଇ ଯାଉଥିବା ଦେଖାଯାଇଥିଲା ।