ଅଶୋକଝର ବିକାଶ ପରିଷଦ ନାଁରେ ଚାନ୍ଦା ଆଦାୟ!
ପାଣିକୋଇଲି: ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନ ସ୍ତଳ ସୁକିନ୍ଦାର ଅଶୋକଝରକୁ ଯାଉଥିବା ପର୍ଯ୍ୟଟକଙ୍କ ଠାରୁ ବେଆଇନ ଭାବେ ଚାନ୍ଦା ଆଦାୟ କରାଯାଉଛି । ଅଶୋକଝର ବିକାଶ ପରିଷଦ ନାମରେ ଚାନ୍ଦା ଆଦାୟ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ଏସପିଙ୍କ ନିକଟରେ ହୋଇଛି । ସାମନ୍ତରାପୁର ଗ୍ରାମର ଦେବେନ୍ଦ୍ର ମହାନ୍ତ ଓ ପଙ୍କଜ ମହାନ୍ତଙ୍କ ସମେତ ଆଉ କିଛି ଯୁବକ ଅଶୋକଝର ବିକାଶ ପରିଷଦ ସମିତି ନାମରେ ଅଶୋକଝରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଠାରୁ ଦୁଇ ଚକିଆ, ଚାରି ଚକିଆ ଯାନ ଲାଗି ଚାନ୍ଦା ଆଦାୟ କରୁଛନ୍ତି । ଏନେଇ ଲେମ୍ବା ପଞ୍ଚାୟତର ସରପଞ୍ଚ କଳ୍ପନା ପାତ୍ର, ୱାର୍ଡ଼ସଭ୍ୟ ବାବୁଲି ଦାସ, ଲଳିତା ଶୁଣ୍ଢି, ଲିଲି ମାଝୀ, ଲାଲ ମୋହନ ସାହୁ, ଭକ୍ତବନ୍ଧୁ ମହାନ୍ତ, କପିଳ ପ୍ରଧାନ, ବିଶ୍ୱନାଥ ପାତ୍ର ପ୍ରମୁଖ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏସପିଙ୍କୁ କରିଥିବା ଅଭିଯୋଗ ମତେ ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତରେ ଅବସ୍ଥିତ ଜିଲାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଶୋକଝର ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବର୍ତ୍ତମାନ ପର୍ଯ୍ୟଟନ ଓ ପିକନିକର ଋତୁ ଚାଲିଥିବାରୁ ଜିଲା ଏବଂ ବାହାରୁ ବହୁ ପର୍ଯ୍ୟଟକ ଆସୁଛନ୍ତି । ଯାହାର ଫାଇଦା ଉଠାଇବାକୁ କିଛି ଯୁବକ ନିୟମିତ ଲାଗିପଡ଼ିଛନ୍ତି । ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଛନ୍ତି । ରାଜ୍ୟ ସରକାର ଉକ୍ତ ପର୍ଯ୍ୟଟନସ୍ଥଳୀକୁ ଲେମ୍ବୋ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି । ତେବେ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ଏହାର ଗଣପର୍ବ ମକର ସଂକ୍ରାନ୍ତି ନିମନ୍ତେ ପଞ୍ଚାୟତ ତରଫରୁ ତହସିଲଦାର ଓ ଜଙ୍ଗଲ ବିଭାଗ ଠାରୁ ଅନୁମତି ମଗାଯାଇଛି । କିନ୍ତୁ ସାମନ୍ତରାପୁର ଗ୍ରାମର କେତେଗଣ ପର୍ଯ୍ୟଟକଙ୍କ ଠାରୁ ବେଆଇନ ଭାବେ ଚାନ୍ଦା ଆଦାୟ କରୁଛନ୍ତି । ଦେଖିବାର ଅଛି ଅଭିଯୋଗ ପରେ ପୁଲିସ ପକ୍ଷରୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।