ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବ ଆହତ

 ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଗୁମଲେଇ ରୋଡ଼ ଠାରେ ଏକ ଏନ୍କାଉଣ୍ଟରରେ ପୁଲିସ ଦ୍ୱାରା ୱାଣ୍ଟେଡ ଅପରାଧୀ ଶିବ କରାଳୀ ଆହତ ହୋଇଛି । ତା'ର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ତାକୁ ବୁର୍ଲା ଭିମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଉପରକୁ ଗୁଳି ଚଳାଇବାରୁ ପାଲଟା ଗୁଳି ଚାଳନା କରିଥିଲା ପୁଲିସ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି । 
ପ୍ରକାଶ ଯେ, ଜିଲ୍ଲାର ଚାରମାଲ ଥାନା ଅଞ୍ଚଳରେ ଗତ ମାସ ୨୨ ତାରିଖ ଏକ ଡକାୟତି ହୋଇଥିଲା । ଦୁଇଟି ଗାଡ଼ିରେ ଦୁର୍ବୃତ୍ତମାନେ ଜାତୀୟ ରାଜପଥ ସଂଖ୍ୟା ୫୫ର ଗ୍ରୀଡ଼ ନିର୍ମାଣସ୍ଥଳୀରେ ପହଞ୍ଚô ଥିଲେ । ଏହି ଗ୍ୟାଙ୍ଗ୍ ଗ୍ରୀଡ଼ର ସୁରକ୍ଷା କର୍ମଚାରୀ ଓ ଆଠ ଜଣ ଶ୍ରମିକଙ୍କୁ ବାନ୍ଧି ଦେଇ ଏକ କୋଠରୀରେ ବନ୍ଦ କରି ଆତଙ୍କରାଜ ସହିତ ନିର୍ମାଣ ସାମଗ୍ରୀ ନେଇ ପଳାୟନ କରିଥିଲେ । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି ସାରିଛି  । ଚୋରି ସାମଗ୍ରୀର ୮୦ ପ୍ରତିଶତ ସମ୍ପତ୍ତି କୋଲକାତାରୁ ଉଦ୍ଧାର କରାଯାଇଛି ବୋଲି ଅତିରିକ୍ତ ଏସ୍ପି ହରେଶଚନ୍ଦ୍ର ପାଣ୍ଡେ କହିଛନ୍ତି । ଅଭିଯୁକ୍ତ ଶିବ କରାଳୀ ଫେରାର୍ ଥିଲା । ଆଜି ଜିଲ୍ଲାର ରେଙ୍ଗାଲି ଥାନା ଇଲାକାରେ ସେ ଉପସ୍ଥିତ ଥିବା ପୁଲିସକୁ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ପୁଲିସ ତାକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ତେବେ ରମ୍ପେଲା ଛକ ଠାରେ ତାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୁଲିସ  । ହେଲେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବ୍ରେ ପୁଲିସ ପକ୍ଷରୁ ମଧ୍ୟ ଗୁଳି ଚଳା ଯାଇଥିଲା ।  ଫଳରେ ତା'ର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ତାକୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ତାକୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି । ସେ ବିପଦ ମୁକ୍ତ ଥିବା ପୁଲିସ ସୂତ୍ରରୁ ପ୍ରକାଶ । ଶିବ କରାଳୀଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି ।