‘ମିଶନ ଶକ୍ତିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି’
ବାଲେଶ୍ୱର: ବକେୟା ପ୍ରାପ୍ୟ ଦାବିରେ ଭୁବନେଶ୍ୱର ରାଜରାସ୍ତାରେ ଆନେ୍ଦାଳନକୁ ଓହ୍ଲାଇଛନ୍ତି ମିଶନ ଶକ୍ତିର ହଜାର ହଜାର ମହିଳା କର୍ମୀ । ବିଗତ ୯ମାସ ଧରି ସରକାର ସେମାନଙ୍କୁ ମାସିକ ଭତ୍ତା ଦେଇନଥିବା ଆରୋପ ଉଠିଛି । ଏହି ଆନେ୍ଦାଳନରେ ଏବିକେ, ସିଆରପି, ବ୍ୟାଙ୍କ ମିତ୍ର, ଏଲଏସପି, କୃଷି ମିତ୍ର, ପ୍ରାଣୀ ମିତ୍ର ପ୍ରଭୃତି ୬ଗୋଟି ବର୍ଗର କର୍ମୀ ସାମିଲ ହୋଇ ସେମାନଙ୍କ ବକେୟା ପାରିଶ୍ରମିକ ପ୍ରଦାନ ପାଇଁ ଦାବି ଉଠାଇଛନ୍ତି । ବିଜୁ ଜନତା ଦଳର ନେତାମାନେ ମଧ୍ୟ ଏଥିରେ ସାମିଲ ହୋଇ ଆନେ୍ଦାଳନର ଉଷ୍ମତାକୁ ବଢେଇବା ପାଇଁ ଚେଷ୍ଟା କରିଛନ୍ତି । ତେବେ ମିଶନ ଶକ୍ତି କର୍ମୀଙ୍କ ପାଇଁ ବିଜେଡି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିବା, ଯାହା ସ୍ପଷ୍ଟ ଦିବାଲୋକରେ ଦୃଶ୍ୟମାନ ହେଉଛି ବୋଲି କହିଛନ୍ତି ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ । ରାଜ୍ୟରେ ନୂତନ ସରକାର ଗଠନକୁ ୬ ମାସ ହୋଇଥିବାବେଳେ ମିଶନ ଶକ୍ତି କର୍ମୀମାନେ ୯ମାସର ପାରିଶ୍ରମିକ ଦାବି କରୁଛନ୍ତି । ନୂତନ ସରକାର ଗଠନ ହେବା ପୂର୍ବରୁ ବିଜେଡି ସରକାର, କର୍ମୀମାନଙ୍କ ୩ମାସର ପାରିଶ୍ରମିକ କାହିଁକି ଦେଇନଥିଲେ, ତାହାର ଉତ୍ତର ରଖିବାକୁ ଆନେ୍ଦାଳନରେ ମିଛି ମିଛିକା ଗର୍ଜିବାକୁ ଯାଇଥିବା ନେତାଙ୍କୁ ବିଧାୟକ ଶ୍ରୀ ଦତ୍ତ ଆହ୍ୱାନ ଦେଇଛନ୍ତି । ୨୦୧୯ରେ ତତ୍କାଳୀନ ରାଜ୍ୟ ସରକାର ମିଶନ ଶକ୍ତି ସହ ୫ ବର୍ଷିଆ ଚୁକ୍ତି କରିଥିଲେ । ୨୦୨୪ ଏପ୍ରିଲ ମାସରେ ଚୁକ୍ତି ଅବଧି ସରିଗଲା ପରେ ବି ତତ୍କାଳୀନ ବିଜେଡି ସରକାର ସେହି ଚୁକ୍ତିର ନବୀକରଣ କଲେ ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ମହିଳାମାନେ ରାଜରାସ୍ତାରେ ଯେଉଁ ଭଳି ନିଜ ହକ୍ ପାଇଁ ଆନେ୍ଦାଳନ କରୁଛନ୍ତି, ତାହାର ପ୍ରମୁଖ କାରଣ ହେଉଛି ବିଜୁ ଜନତା ଦଳ । ନିର୍ବାଚନ ପୂର୍ବରୁ ବିଜେଡି ସରକାର ବହୁ ବଡ ବଡ ଚୁକ୍ତି କରିଥିବାବେଳେ ନିର୍ବାଚନ ଆଚରଣ ବିଧି ଲାଗିବା ପୂର୍ବରୁ ସଂଖ୍ୟାଧିକ ନିଦେ୍ର୍ଦଶ ଲାଗୁ କରାଇଥିଲେ । ତା’ହେଲେ ମହିଳାମାନଙ୍କ ପ୍ରତି ବିଜେଡି ସରକାର ଏଭଳି ଅବହେଳା ପ୍ରଦର୍ଶନ କାହିଁକି କଲେ ବୋଲି ଶ୍ରୀ ଦତ୍ତ ପଚାରିଛନ୍ତି । ମହିଳାଙ୍କୁ ସଶକ୍ତ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶୁଭାରମ୍ଭ କରିଥିଲେ । ମାତ୍ର ଗତ ଦଶନ୍ଧି ମଧ୍ୟରେ ବିଜେଡି ସରକାର କେବଳ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ମିଶନ ଶକ୍ତି ନାମରେ ମହିଳାଙ୍କୁ ବ୍ୟବହାର କରୁଥିଲେ, ତାହା ଆଜି ପ୍ରମାଣିତ ହୋଇଛି । ନିର୍ବାଚନ ସମୟରେ ହୋଇଥିବା ସର୍ଭେରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଜେଡି ଠାରୁ ଦୂରେଇ ଯାଉଥିବା ନେଇ ଆଭାସ ମିଳିବାରୁ, ସେତେବେଳେ ସରକାର ମିଶନ ଶକ୍ତି କର୍ମୀଙ୍କ ନ୍ୟାର୍ଯ୍ୟ ଦାବିକୁ ଏଡାଇ ଯାଇଥିଲେ । ଏ ବାବଦରେ ବିଜେଡି ନେତାମାନେ ଉତ୍ତର ନ ଦେଇ ଖସି ବୁଲିବାର ଆଳ ଦେଖାଉଛନ୍ତି ବୋଲି ବିଧାୟକ ଶ୍ରୀ ଦତ୍ତ ଆକ୍ଷେପ କରିଛନ୍ତି । ବିଗତ ସରକାର ଅମଳରେ ଜିପିଏଲଏଫ ଓ ବିଏଲଏଫ ନିକଟରେ ଗଚ୍ଛିତ ଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର କାହିଁକି ଦିଆଯାଉନି, ବିଜେଡି ନେତାମାନେ ଉତ୍ତର ଦେବାକୁ ଶ୍ରୀ ଦତ୍ତ ଆହ୍ୱାନ ଦେଇଛନ୍ତି ।