ବାଲି ବୋଝେଇ ହାଇୱା ଜବତ, ୫ ଗିରଫ
ତାଳଚେର ଖଣି ଉପନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଲି ଚୋରା ଚାଲାଣ ଉପରେ ଚଢ଼ଉ କରାଯାଇଛି । ଏହି ଚଢ଼ÿଉରେ ୫ଟି ବାଲି ବୋଝେଇ ହାଇୱା ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ମହାଦିଆ ଅଞ୍ଚଳରେ କିଛି ବାଲିମାଫିଆ ବିନା ୱାଇ ଫର୍ମରେ ବ୍ରାହ୍ମଣୀ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ନେଇ ପୂର୍ବରୁ ବହୁଥର ତାଳଚେର ଡିଡିଏମ୍ଙ୍କ ପାଖରେ ଅଭିଯୋଗ ହୋଇଥିଲା । କେତେକ ବାଲିମାଫିଆ ନିଜ ଇଚ୍ଛାରେ ନଦୀରୁ ବାଲି ଉଠାଇ ବିକ୍ରି କରୁଥିଲେ । ଏଥିଯୋଗୁଁ ଆଜି ତାଳଚେର ଡିଡିଏମ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଥର୍ମାଲ ପ୍ଲାଣ୍ଟରେ ଅଞ୍ଚଳରେ ଚଢ଼ଉ କରିଥିଲେ । ମହାଦିଆ ଅଞ୍ଚଳର ୫ଟି ହାଇୱା ଟ୍ରକ୍ ରେ ୫ଟି ନକଲି ୱାଇ ଫର୍ମ ଦ୍ୱାରା ବାଲି ଚୋରାଚାଲାଣ ଚାଲିଥିଲା । ଭାରପ୍ରାପ୍ତ ଡିଡିଏମ୍ ଶୁଭେନ୍ଦ୍ର ସାମଲ ଏବଂ ବାଲି ଖଣି ଅଧିକାରୀ ସୁକେସ୍ମିତା ମାଝୀ ଘଟଣାସ୍ଥଳରେ ପହଞ୍ଚ ଉକ୍ତ ହାଇୱା ଟ୍ରକକୁ ଜବତ କରିଥିଲେ । ୫ଟି ହାଇୱା (ଓଡ଼ି ୦୬ ଏଲ୍୩୭୭୭), (ଓଡ଼ି୧୯ପି୪୯୨୧), (ଓଡ଼ି୦୫ ଏଟି୮୭୧୯), (ଓଡ଼ି୩୫ ୫୫୯୯) ଏବଂ (ଓଆର ୦୪ ଏମ୍ ୨୦୮୮)କୁ ଜବତ କରିବା ସହ ୫ ଜଣ ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବଳରାମପ୍ରସାଦ ଗ୍ରାମର ରାଜେଶ ନାଏକ(୩୫) ଓ ମିଟୁ ନାଏକ(୩୦), ନରହରିପୁର ଗ୍ରାମର ମୁନିଲ କୁମାର ନାଏକ(୩୦), ବଦାଳୁ ଗ୍ରାମର ରାଜୁ ନାଏକ(୩୬), ତୁମୁସିଂହା ଥାନା କାମଗରା ଗ୍ରାମର ଲିକୁନ ମହାନ୍ତି(୨୩) । ଅନ୍ୟପଟରେ ମହାଦିଆ ବାଲି ଘାଟ ନିଲାମ ନେଇଥିବା ରତିକାନ୍ତ ରାଉତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଆଜି ଜବତ ହୋଇଥିବା ହାଇୱାଗୁଡ଼ିକୁ ବାଲି ଖଣି ଅଧିକାରୀ କେବଳ ପୁଲିସକୁ ହସ୍ତାନ୍ତର କରି ଚୁପ୍ ରହିଛନ୍ତି ବୋଲି ଅଭିଯୋଗ ହୋଇଛି । ତାଳଚେର ସନ୍ଥପଡ଼ା ବାଲି ଘାଟରୁ ଏହିଭଳି ବାଲି ଚୋରାଚାଲାଣବେଳେ ଜୋରିମାନା ଆଦାୟ କରାଯାଉଥିବା ବେଳେ ଆଜି ଜବତ ଗାଡ଼ିକୁ ଜୋରିମାନା ଆଦାୟ କରାଯାଇନାହିଁ । ମହାଦିଆ ବାଲିଘାଟ ନିଲାମଧାରୀଙ୍କୁ କାହିଁକି ଏତେ ଅନୁକମ୍ପା ବୋଲି ସନ୍ଥପଡ଼ା ବାଲି ଘାଟର ପରିଚାଳକ ଅଭିଯୋଗ କରିଛନ୍ତି ।