ଅଯୋଗ୍ୟ ରାସନକାର୍ଡ ହିତାଧିକାରୀ ଚିହ୍ନଟ ଦାବି

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ପଞ୍ଚାୟତବାସୀ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ଚିହ୍ନଟ ସହ ସେମାନଙ୍କ ଠାରୁ ତମାମ ସାମଗ୍ରୀ ଅସୁଲ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ପଞ୍ଚାୟତର ବିଭିନ୍ନ ଗ୍ରାମରେ ୧୦ ଏକର ଚାଷଜମି ଥିବା ପରିବାର, ସରକାରୀ କର୍ମଚାରୀ, ପେନସନ ଭୋଗୀ, ୨ ତାଲା ବା ୧ ତାଲା କୋଠାଘର ଥିବା ପରିବାର, ୪ ଚକିଆ ଗାଡି ସହ ଆଦି ଥିବା ବହୁ ରାସନକାର୍ଡ ପାଇଁ ଅଯୋଗ୍ୟ ପରିବାର ହିତାଧିକାରୀ ଭାବେ ଦୀର୍ଘ ଦିନ ଧରି ସାମଗ୍ରୀ ଉଠାଉଥିବା ନିଜସ୍ୱ ଅନୁସନ୍ଧାନରୁ ତଥ୍ୟ ଉପସ୍ଥାପନ କରିଛନ୍ତି । ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ଧନେଶ୍ୱର ଖୁଣ୍ଟିଆ, ସମିତି ସଭ୍ୟା ଜ୍ୟୋତିସ୍ମୀତା ସାହୁ, ଦୟାନିଧି ପଣ୍ଡା, ମନୋଜ କୁମାର ରାଉତ, ଧନେଶ୍ୱର ବିଶ୍ୱାଳ, ତପନ କୁମାର ସ୍ୱାଇଁ, ରାଧାକାନ୍ତ ଦାସ, ରଞ୍ଜନ କୁମାର ଖଟୁଆ ପ୍ରମୁଖ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତଙ୍କୁ ଆବାସିକ କାର୍ଯ୍ୟାଳୟରେ ଗୁରୁବାର ସକାଳେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରି ଉପଯୁକ୍ତ ତଦନ୍ତ ସହ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏହି ଅଭିଯୋଗ ଉପରେ ତଦନ୍ତ ପାଇଁ ଉନ୍ନୟନ ଅଧିକାରୀ ଶ୍ରୀ ଦତ୍ତ ଆଶ୍ୱାସନା ଦେଇଥିବା ଜଣାଯାଇଛି ।