ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବୁଧବାର ସକାଳୁ ସକାଳୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ ୭ଟା ୨୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାକୁ ନେଇ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପ୍ରଥମେ ଲୋକେ ଏହା ଭୂମିକମ୍ପ ବୋଲି ଅନୁମାନ କରି ପାରିନଥିବା ବେଳେ ଧୀରେ ଧୀରେ ଲୋକେ ଏହା ଭୂମିକମ୍ପ ବୋଲି ଜାଣିଥିଲେ । ପ୍ରାୟ ପାଞ୍ଚରୁ ସାତ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ଏହି ଭୂମିକମ୍ପ ତେଲେଙ୍ଗାନାର ଭଦ୍ରାଚଳମରୁ ଆରମ୍ଭ ହୋଇ ଓଡ଼ିଶାର ମାଲକାନଗିରି ଜିଲ୍ଲା ସମେତ ଛତିଶଗଡ଼ର କିଛି ସ୍ଥାନରେ ଅନୁଭବ ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଟାରେ ଏହି ଭୂକମ୍ପର ସିସି ଟିଭି ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଖୁବ୍ କମ ସମୟ ପାଇଁ ଝଟକା ଅନୁଭୂତ ହୋଇଥିଲା । ତେବେ ଝଟ୍କା ଅନୁଭୂତ କରିବାପରେ ଲୋକେ ଭୟଭିତ ହେବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିନି । ତେବେ ଜିଲ୍ଲାରେ ପୂର୍ବରୁ ମଧ୍ୟ ଏହିପରି ମୃଦୁ ଭୂମିକମ୍ପ ହୋଇଥିବା ବେଳେ ଲୋକେ ବର୍ତ୍ତମାନ ଭୂକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।