ପାରୁଥିବା ଯାଏ ପାରିକରିବି, ୪୫ବର୍ଷ ହେଲା ନୌକା ଚଲାଉଛନ୍ତି ବାସୁଦେବ

ପାରୁଥିବା ଯାଏ ପାରିକରିବି, ୪୫ବର୍ଷ ହେଲା ନୌକା ଚଲାଉଛନ୍ତି ବାସୁଦେବ

ବରୀ: ବୟସ ୬୦ ଡେଇଁଲାଣି । କିନ୍ତୁ ମନର ଦମ୍ଭ କମିନି । ବାପ-ସାଅାଁତଙ୍କ ପରି ଆଜିବି ଡଙ୍ଗାରେ ଯାତ୍ରୀଙ୍କୁ ନଈ ପାରି କରାଉଛନ୍ତି । ଦୀର୍ଘ ୪୫ବର୍ଷ ଧରି ଡ଼ଙ୍ଗା କାତ ମାରି ଆସୁଥିବା ବାସୁଦେବ କୁହନ୍ତି ପାରୁଥିବ ଯାଏ ପାରି କରିବି । ଆମେ କହୁଛୁ ୧୫ବର୍ଷ ବୟରୁ ଯାତ୍ରୀଙ୍କୁ ନଦୀ ପାରି କରାଉଥିବା ବାସୁଦେବ ମଲିକଙ୍କ କଥା ।  ଯାଜପୁର ଜିଲା ବରୀ ବ୍ଲକ ଭଅଁରା ପଞ୍ଚାୟତର ଭଅଁରା ଗାଁର ବାସୁଦେବ । ଭଅଁରା ଗ୍ରାମଟି ନଦୀନାଳ ଅଞ୍ଚଳରେ । ଗୋଟିଏ ପଟେ ଖରସ୍ରୋତା ନଦୀ ରହିଥିବା ବେଳେ ଅନ୍ୟ ପାର୍ଶ୍ୱରେ ତନ୍ତୀଘାଇ ନଦୀ ପ୍ରଭାବିତ । ଅଞ୍ଚଳର କେହିକି ଘରୁ ପଦାକୁ ବାହାରିଲେ ନଦୀ ପାର ହେବାକୁ ପଡିଥାଏ । ବାପ ସାଅନ୍ତ ଅମଳରୁ ଘାଟ ବୋହୁଛନ୍ତି ନାଉରୀ ବାସୁଦେବଙ୍କୁ ଯେତେ ବେଳେ ୧୫ ବର୍ଷ ହେଇଥିଲା ସେତେ ବେଳେ ଠାରୁ ବାପଙ୍କ ସାଙ୍ଗରେ ଭଅଁରା ଘାଟରେ ଡଙ୍ଗାରେ ଲୋକମାନଙ୍କୁ ନଦୀ ପାରି କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଆଗରୁ ବଡ଼ନା, ବଡ଼ ଡ଼ଙ୍ଗାରେ ବହୁ କଷ୍ଟରେ କାତ ଓ ହାଲିସରେ ଡ଼ଙ୍ଗା ଲଗାଇଥାନ୍ତି । ଏବେ ମଟର ଚାଳିତ ଭୁଟୁଭୁଟୁ ଡଙ୍ଗା । ଭୁଟୁଭୁଟି ଡ଼ଙ୍ଗାରେ ଯାତ୍ରୀଙ୍କୁ ସକାଳରୁ ରାତି ପର୍ଯ୍ୟନ୍ତ ନଦୀ ପାରିଥାନ୍ତି । ସେହି ଘାଟକୂଳ ତନ୍ତୀଘାଇ ନଦୀକୂଳରେ ବସି ଯାତ୍ରୀଙ୍କୁ ଅପେକ୍ଷା କରିଥାନ୍ତି । ନାଉରୀ ବାସୁଦେବ କୁହନ୍ତି ବୟସ ମୋତେ ୬୦ ହେଲାଣି । ପିଲାବେଳୁ ଡଙ୍ଗା ବୋହି ଆସୁଛି । ତନ୍ତୀଘାଇ ନଦୀରେ ଏବେ ସେତୁ କାର୍ଯ୍ୟଆରମ୍ଭ ହେଲାଣି । ଯେ ପର୍ଯ୍ୟନ୍ତ ଡ଼ଙ୍ଗା ପାର ହେବା ପାଇଁ ଲୋକ ଆସୁଥୁବେ ସେପର୍ଯ୍ୟନ୍ତ ଡଙ୍ଗା ବୋହୁଥିବି ବୋଲି କୁହନ୍ତି ବାସୁଦେବ ।