ବିକାଶ ନାଁରେ ଝୁମ୍ପୁରି ସାହିକୁ ଭୂତେଇଛି ମିଶି୍ରଲାଲ କମ୍ପାନୀ , ବୋରିଂରେ ଶେଷ ହୋଇଛି ପାରିପାଶ୍ୱିର୍କ ଉନ୍ନୟନ
ଯାଜପୁର-ଯଖପୁରା: ପାରିପାଶ୍ୱିର୍କ ଉନ୍ନୟନ କରିବା ହେଉଛି ଗୋଟିଏ ଶିଳ୍ପସଂସ୍ଥାର ପ୍ରମୂଖ ଦାୟିତ୍ୱ । ବିଶେଷ କରି ଶିଳ୍ପ ପାଇଁ ପ୍ରଭାବିତ ଅଞ୍ଚଳର ବିକାଶକୁ ଶିଳ୍ପସଂସ୍ଥା ଗୁରୁତ୍ୱ ଦେବାକୁ କୁହାଯାଉଛି । ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ମିଶ୍ରିଲାଲ କମ୍ପାନୀ ବିକାଶ ନାଁରେ କାରଖାନା ପାଚେରୀ କଡ଼କୁ ଲାଗି ରହିଥିବା ଆଦିବାସୀ ଅଧୂଷିତ ଝୁମ୍ପୁରି ସାହିବାସୀଙ୍କୁ ଭୁତେଇବାରେ ଓସ୍ତାଦଗିରି ଦେଖାଇଛି ।
ଶିଳ୍ପର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବ ବୋଲି ଯେଉଁ ବିଶ୍ୱାସ ସରକାର ଏବଂ ପ୍ରଶାସନ ପକ୍ଷରୁ ଦିଆଯାଉଛି, ତାହା କିନ୍ତୁ ଅବିଶ୍ୱାସରେ ପରିଣତ ହେଉଛି । ସ୍ଥାନୀୟ ଲୋକଙ୍କ ଉନ୍ନତି ପାଇଁ କମ୍ପାନୀ ଉତ୍ତରଦାୟୀ ହେଉନି । ଆଦିବାସୀ ଅଧୂଷିତ ଗାଁ ପଙ୍କପାଳ ପଞ୍ଚାୟତ ଝୁମ୍ପୁରୀ ସାହି । କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ମିଶ୍ରିଲାଲ କମ୍ପାନୀର ପାଚେରୀକୁ ଲାଗିଛି ସାହିଟି । ଝୁମ୍ପୁରି ସାହିର ସମସ୍ତ ପରିବାର ଆଦିବାସୀ ଜନଜାତିର । ସାହିରେ ଅନେକ ମୌଳିକ ସମସ୍ୟା ରହିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମିଶ୍ରିଲାଲ କମ୍ପାନୀ ପାଚେରୀକୁ ସାହିଟି ଲାଗି ରହିଥିଲେ ମଧ୍ୟ କମ୍ପାନୀ ତରଫରୁ ସାହିଟିର ଉନ୍ନତି ପାଇଁ କେବେ ଚେଷ୍ଟା କରିନାହିଁ ବୋଲି ସାହି ଲୋକ କ୍ଷୋଭର ସହ କହିଛନ୍ତି । ବରଂ ୫୩ ନମ୍ବର ଜାତୀୟ ରାଜପଥରୁ ସାହିକୁ ଯାଇଥିବା ରାସ୍ତାକୁ ମିଶ୍ରିଲାଲ କମ୍ପାନୀ ବ୍ୟବହାର କରୁଛି । ସାହିଲୋକ କହିବା କଥା କି ବହୁ ଆଗରୁ ଆମ୍ଭେମାନେ ଏଠି ବସବାସ କରି ରହୁଥିଲୁ । ଆମ ସାହିକୁ ଆସିବା ପାଇଁ ସଂପୃକ୍ତ ରାସ୍ତାଟି ଏକ ମାତ୍ର ବିକଳ୍ପ । ମାତ୍ର ରାସ୍ତାକୁ ଏବେ ମିଶ୍ରିଲାଲ କମ୍ପାନୀ ମାଡ଼ି ବସିଛି । ଫଳରେ କମ୍ପାନୀର ଶହଶହ ଗାଡି ରାସ୍ତାରେ ଆସି ରାସ୍ତାଟିକୁ ନଷ୍ଟ କରୁଛି । କମ୍ପାନୀକୁ ପ୍ରତି ଦିନ ଭାରି ଯାନ ସବୁ ଆସୁଛି । ଫଳରେ ସାହିକୁ ଯାଇଥିବା ରାସ୍ତା ଭାଙ୍ଗି ରୁଜିଯାଉଛି । ଏତେ ବଡ କମ୍ପାନୀର ସମସ୍ତ ଗାଡ଼ି ମୋଟର ଏହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ ରାସ୍ତାର ଉନ୍ନତି ପାଇଁ କମ୍ପାନୀ ଚେଷ୍ଟା କରୁନାହିଁ । କେବଳ ମରାମତି କରି ନିଜର ଦାୟିତ୍ୱ ସାରି ଦେଉଛି । ରାସ୍ତା ଯେଉଁ ଖାଲକୁ ସେହି ଖାଲ । କମ୍ପାନୀ ହେଲା ପରେ ଅଗ୍ରାଧିକାର ଭିତିରେ ପ୍ରଥମେ ଝୁମ୍ପୁରି ସାହି ଲୋକ ସମସ୍ତ ସୁବିଧା ସୁଯୋଗ କାରଖାନାରେ ପାଇବା କଥା । ସେ ନିଯୁକ୍ତି ହେଉ ଅଥବା ସାହିର ପାରିପାର୍ଶ୍ୱିକ ଉନ୍ନତି । କିନ୍ତୁ ମିଶ୍ରିଲାଲ କମ୍ପାନୀ ହେବା ପରଠାରୁ କମ୍ପାନୀରେ ସାହିରୁ ମାତ୍ର ହାତଗଣତି କେଇ ଜଣ ନିଯୁକ୍ତି ପାଇଛନ୍ତି । ଅନ୍ୟ ସମସ୍ତ ପରିବାର କାମ କରିବାକୁ ଅନ୍ୟତ୍ର ଯାଉଛନ୍ତି । ଝୁମ୍ପୁରିସାହି ଲୋକମାନଙ୍କ କହିବା କଥା କି ଆମ ଗାଁକୁ ଲାଗି ରହିଛି ମିଶ୍ରିଲାଲ କାରଖାନା । ଆମେ କଣ ମିଶ୍ରିଲାଲ କାରଖାନାରେ କାମ କରିବା ପାଇଁ ଯୋଗ୍ୟ ନୁହେଁ ? କାରଖାନା ବାଲା ଆଜି ପର୍ଯ୍ୟନ୍ତ ଆମର କିମ୍ବା ଆମ ଗ୍ରାମର କୌଣସି ଉନ୍ନତି କରିନାହାନ୍ତି ବୋଲି କହିଛନ୍ତି । କାରଖାନାର ସମସ୍ତ ଧୂଳି ଧୁଅାଁ ଆମେ ଖାଉଛୁ କିନ୍ତୁ କମ୍ପାନୀ ଆଜି ପର୍ଯ୍ୟନ୍ତ ଆମର କୌଣସି ସୁବିଧା ସୁଯୋଗ କରିନାହିଁ । ଝୁମ୍ପୁରି ସାହିରେ କମ୍ପାନୀ ମାତ୍ର ଗୋଟିଏ ବୋରିଂ କରି ତାର ବିକାଶ କାର୍ଯ୍ୟ ଶେଷ କରି ଦେଇଛି । କରିଥିବା ବୋରିଂ ଅଧପାନ୍ତରିଆ ହୋଇ ପଡ଼ିରହିଛି । ବୋରିଂ ଖୋଲିଛି କିନ୍ତୁ ପାଣି ନେବା ପାଇଁ କୌଣସି ଆନୁଷଙ୍ଗିକ ଜିନିଷ ଲଗାଇ ନାହିଁ । ସରକାରୀ ସୁବିଧା ସୁଯୋଗ ବି ଗାଁରେ ନାହିଁ । ଆଲୋକିକରଣ ହେଉ ଅଥବା ରାସ୍ତା କି ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହାରିକୁ ଦିଆଯାଇ ନାହିଁ । ଗାଁର ସମସ୍ତ ପରିବାର ସରକାରୀ ଜାଗାରେ ଅବସ୍ଥିତ ଥିବାରୁ ସରକାରୀ ନିୟମ ଅନୁଯାୟୀ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯାଉ ନାହିଁ ବୋଲି ସ୍ଥାନୀୟ ପଙ୍କପାଳ ସରପଞ୍ଚ କହିଛନ୍ତି । ଗାଁର ସମସ୍ତ ଘରକୁ ଦେଖିଲେ ଶିଳ୍ପାଞ୍ଚଳର ବିକାଶ ଜଳଜଳ କରି ଦେଖାଯାଉଛି ବୋଲି କଥା ଛଳରେ ଗ୍ରାମବାସୀ କହିଛନ୍ତି । ଯେହେତୁ ଗାଁର ସମସ୍ତ ପରିବାର ସରକାରୀ ଜମିରେ ଘର କରିଛନ୍ତି ସେମାନେ ସରକାରଙ୍କ ନିକଟରେ ନିଜ ନାମରେ ଜମି ପଟ୍ଟା ପାଇଁ ଆବେଦନ କରିନାହାନ୍ତି । ସରପଞ୍ଚ କହିଛନ୍ତି କି ସେମାନଙ୍କୁ ଜମି ପଟ୍ଟା ଦେବା ପାଇଁ ଗ୍ରାମରେ ଏକ ପଲ୍ଲୀସଭାକରି ତାଙ୍କୁ ପଟ୍ଟା ଦେବାର ବ୍ୟବସ୍ଥା କରିବୁ । ଝୁମ୍ପୁରି ସାହିର ଦୁଃଖ ସରକାରୀ ସ୍ତରରେ ହେଉ ଅଥବା ବେସରକାରୀ ସ୍ତରରେ ହେଉ କେବେ ଦୂର କରାଯିବାର ଉଦ୍ୟମ କରାଯାଇନି । ବର୍ତ୍ତମାନସରକାର ଲୋକଙ୍କ ସରକାର ବୋଲି କୁହାଯାଉଛି । ଆଦିବାସୀଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କରୁଛି ବୋଲି କହୁଛନ୍ତି ସରକାର । ଦେଖାଯାଉ ଝୁମ୍ପୁରି ସାହି ଲୋକଙ୍କ ଅସୁବିଧା କେବେ ଦୂର ହେଉଛି ?