ସମତା କପ୍ ଫୁଟବଲ ସେମିଫାଇନାଲ
ସମ୍ବଲପୁର: ସମାଜରୁ ପୁରୁଷ-ମହିଳା ଭେଦଭାବ ଦୂରୀକରଣ, ହିଂସାର ପ୍ରତିକାର ଏବଂ ସାମାଜିକ ସମାନତା ପାଇଁ କାର୍ଯ୍ୟ କରୁଥିବା ‘ପତଙ୍ଗ' ଅନୁଷ୍ଠାନ ପକ୍ଷରୁ ଏଠାରେ ଚାଲିଥିବା ସମତା କପ୍ ଫୁଟବଲର ସେମିଫାଇନାଲ ଆସନ୍ତାକାଲି ଫୋର୍ସି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ଓ ଶନିବାର ଫାଇନାଲ ମ୍ୟାଚ୍ ଖେଳାଯିବା ବୋଲି ‘ପତଙ୍ଗ'ର କାର୍ଯ୍ୟକ୍ରମ ପରିଚାଳକ ସୂର୍ଯ୍ୟନାରାୟଣ ଦାଶ ଏବଂ ଯୁବ ନିର୍ଦ୍ଦେଶକ ବିଜୟ କୁମାର ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସମତା କପ୍ର ଦ୍ୱିତୀୟ ସଂସ୍କରଣରେ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାର ୧୮୮ ପୁଅ ଓ ୧୪୧ ଜଣ ଝିଅଙ୍କୁ ନେଇ ଗଠିତ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ଟିମ୍ମାନଙ୍କରେ ପୁଅ ଝିଅ, ସାଧାରଣ, ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ ସହିତ ବିଭିନ୍ନ ଧର୍ମବଲାମ୍ବୀ ଖେଳାଳୀ ମିଳିତ ଭାବେ ଅଂଶଗ୍ରହଣ କରିଛନ୍ତି । ଆସନ୍ତାକାଲି ସମ୍ବଲପୁରର ଟିପୁ ପଡ଼ା ଫୁଟବଲ କ୍ଲବ୍, ଏସ୍ ଜଟୁପଡ଼ା କ୍ଲବ୍, ବରଗଡ଼ ୟୁନାଇଟେଡ଼୍ କ୍ଲବ ଏବଂ ଦେବଗଡ଼ର ମନୋରମା କ୍ଲବ୍ ମଧ୍ୟରେ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ । ଫାଇନାଲ ଖେଳରେ ଭାରତର ଦୃଷ୍ଟିବାଧିତ କ୍ରିକେଟ୍ ସଂଘର ସଭାପତି ତଥା ଅନ୍ତର୍ଜାତୀୟ ଖେଳାଳି ମହମ୍ମଦ ଜାଫର ଇକ୍ବାଲ ଉପସ୍ଥିତ ରହିବେ ।