ସରକାରୀ ଚିକିତ୍ସାଳୟରେ ଯକ୍ଷ୍ମାରୋଗର ଔଷଧ ନିୟମିତ ମିଳୁ
ରାଜରୋଗ ଭାବେ ବେଶ ଅପବାଦ ମୁଣ୍ଡାଇ ଥିବା ଭୟାନକ ଯକ୍ଷ୍ମା ଏକ ସଂକ୍ରାମକ ଓ ଦୀର୍ଘ ଅବଧିର ଚିକିତ୍ସା ରଖିଥାଏ । ଏସବୁ ଭିତରେ ରାଜ୍ୟରେ ମୌସୁମୀ ବର୍ଷା ବଢ଼ିଥିବାବେଳେ ଉଦ୍ବେଗଜନକ ଭାବେ ଯକ୍ଷ୍ମାର ପ୍ରକୋପତା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଗତ ଛଅ ମାସରୁ ଊଦ୍ଧ୍ୱର୍ ସମୟ ହେବ କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଯକ୍ଷ୍ମାରୋଗର ଔଷଧର ଘୋର ଅଭାବ ପରିସ୍ଥିତିକୁ ସଙ୍ଗୀନ କରିଦେବାର ଆଶଙ୍କା ସୃଷ୍ଟି ହେଲାଣି । ସୂଚନାଯୋଗ୍ୟ ଯକ୍ଷ୍ମାରୋଗ, ଦୈନିକ ଯକ୍ଷ୍ମାମୃତୁ୍ୟ ଏବଂ ମଲ୍ଟି ଡ୍ରଗ ପ୍ରତିରୋଧ ଟିବିରେ ଆମ ଦେଶ ବିଶ୍ୱରେ ଏକ ନମ୍ବର । ଏହି ସମୟରେ ଯକ୍ଷ୍ମା ଔଷଧର ଅଭାବ କେବଳ ଯକ୍ଷ୍ମାରୋଗୀଙ୍କ ସଂଖ୍ୟା ବଢ଼ାଇବ ତାହାନୁହେଁ ଏହାମଧ୍ୟ ଏମଡ଼ିଆର ରୋଗୀ ସଂଖ୍ୟା ବହୁ ଗୁଣିତ କରିବ । ଇତମଧ୍ୟରେ ଔଷଧ ଅଭାବରୁ ଅନେକ ଯକ୍ଷ୍ମାରୋଗୀଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଏହି ରୋଗର ଲମ୍ବା ସମୟର ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ରୋଗୀକୁ ସର୍ବନିମ୍ନ ଏକ ମାସ ପାଇଁ ଔଷଧ ପ୍ରଦାନ କରାଯାଉଥିଲା । ବର୍ତ୍ତମାନ କିନ୍ତୁ ଷ୍ଟକ ଅଭାବ ଦର୍ଶାଇ ମାତ୍ର ପାଞ୍ଚଦିନ ପାଇଁ ପ୍ରଦାନ କରାଯାଉଛି । ରୋଗୀମାନେ ବାରମ୍ବାର ଡାକ୍ତରଖାନା ଯିବା ପାଇଁ ଅଯଥା ସମୟ ଓ ଅର୍ଥ ଅପଚୟ କରୁଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ବଡ଼ଡାକ୍ତରଖାନା, ଜିଲ୍ଲାସ୍ତରୀୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏପରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ଔଷଧ ପ୍ରଦାନରେ ଅନିୟମିତତା ରହୁଛି । ଏସବୁକୁ ଦୃଷ୍ଟିରେ ରଖି ଯକ୍ଷ୍ମାରୋଗର ସମସ୍ତ ଔଷଧ ସରକାରୀ ଚିକିତ୍ସାଳୟ ମାନଙ୍କରେ ନିରବଚ୍ଛିନ୍ନ ବିନା ମୂଲ୍ୟରେ ଉପଲବ୍ଧତାକୁ ପୁନଃ ସ୍ଥାପିତ କରିବା ପାଇଁ ସମସ୍ତ ସ୍ତରରେ ତୁରନ୍ତ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବୀ ହେଉଛି ।
ନାରାୟଣ ଚନ୍ଦ୍ର ବିଶ୍ୱାଳ, ଉପସଭାପତି
ମେଡ଼ିକାଲ ସର୍ଭିସ ସେଣ୍ଟର ଓଡ଼ିଶା, ଭୁବନେଶ୍ୱର