ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ନାଁରେ ଗିରଫ ପରୱାନା

 ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା । ଅନ୍ତର୍ଜାତୀୟ ଅପରାଧ କୋର୍ଟ(ଆଇସିସି) ଉଭୟଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଯୁଦ୍ଧ ଅପରାଧ ଓ ମାନବୀୟ ଅପରାଧ ପାଇଁ କୋର୍ଟ ଏପରି ପଦକ୍ଷେପ ନେଇଛନ୍ତି । ଆଇସିସି କହିଛନ୍ତି ଯେ ନେତାନ୍ୟାହୁ ଓ ଗାଲାଣ୍ଟ ମାନବିକତା ବିରୋଧରେ ଅପରାଧ କରିଛନ୍ତି । ସେମାନେ ହତ୍ୟା ଓ ଅମାନବୀୟ କାଣ୍ଡ ଘଟାଇଛନ୍ତି । ଏଥିସହ ନେତାନ୍ୟାହୁ ଯୁଦ୍ଧ ସମୟରେ ଲୋକଙ୍କୁ ଭୋକିଲା ରଖିଥିଲେ । ସେମାନେ ଏହାକୁ ଯୁଦ୍ଧର ଏକ ମାଧ୍ୟମ କରିଥିଲେ । ଏପରି କରି ସେମାନେ ଯୁଦ୍ଧ ଅପରାଧ କରିଛନ୍ତି । ଗାଜାରେ ଇସ୍ରାଏଲ ମନଇଚ୍ଛା ଆକ୍ରମଣ କରିଥିବା ବେଳେ ସେଠାକୁ ଖାଦ୍ୟ, ପାଣି ଓ ମେଡିକାଲ ଉପକରଣ ପଠାଇବାରେ ବାଧା ସୃଷ୍ଟି କରିଥିଲା । ଏଥିପାଇଁ ମାନବୀୟ ସଙ୍କଟ ଦେଖାଯିବା ସହ ଛୋଟ ପିଲାଙ୍କ ସହ ଅନେକ ପ୍ରାଣ ମଧ୍ୟ ହରାଥିଲେ ବୋଲି ଅନ୍ତର୍ଜାତୀୟ ଅପରାଧ କୋର୍ଟ କହିଛନ୍ତି । ଏହି ଦୁଇ ସାଂଘାତିକ ଅପରାଧ ପାଇଁ ନେତାନ୍ୟାହୁ ଓ ଗାଲାଣ୍ଟ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି । ଗତବର୍ଷ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅପ୍ରତ୍ୟାଶିତ ହମଲା କରାଯାଇଥିଲା । ଏହାର ବଦଲା ନେବାକୁ ସେବେଠାରୁ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣ କରି ଚାଲିଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଗାଜାରେ ଥିବା ହସ୍ପିଟାଲ ଓ ସ୍କୁଲ ଭଳି ପ୍ରମୁଖ ଭିତ୍ତିଭୂମି ଗୁଡିକ ମଧ୍ୟ ମାଟିରେ ମିଶି ଯାଇଛି ।କୋର୍ଟ ଶୁଣାଣି ବେଳେ କହିଛନ୍ତି ଯେ ଇସ୍ରାଏଲ ଜାଣିଶୁଣି ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି ଓ ମେଡିକାଲ ଉପକରଣ ଯୋଗାଣକୁ ସୀମିତ କରିଥିଲା । ଏଥିଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା । ଏହାର ପ୍ରମାଣ ମଧ୍ୟ ମିଳିଛି । କୋର୍ଟ ୨୦୨୩ ଅକ୍ଟୋବର ୮ରୁ ୨୦୨୪ ମେ’ ୨୦ ମଧ୍ୟରେ ମିଳିଥିବା ତଥ୍ୟକୁ ଆଧାର କରି ଏପରି ରାୟ ଶୁଣାଇଛନ୍ତି ।