ମନ୍ଦିର ସହ ଏଟିଏମରୁ ସିରିଜ ଚୋରି
ସୋର: ସୋର ପୌରପାଳିକା ଅନ୍ତର୍ଗତ ଲିଙ୍ଗପଡାରେ ଏକ ମନ୍ଦିର ସମେତ ସବିରା ବଜାରରୁ ଏକ ଏଟିଏମରୁ ଗତକାଲି ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ଜଣାପଡିଛି । ଚୋରମାନେ ପୁଲିସର ନିଷ୍କ୍ରିୟତାକୁ ପରିଖିବା ପରେ ଆଉ ପୁଲିସକୁ ଡରୁନଥିବା ଚର୍ଚ୍ଚା ହେଉଛି । ଗତ ଚାରିଦିନ ମଧ୍ୟରେ ସୋରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବେଳେ ପୁଲିସର ହାତ ଅଦ୍ୟାବଧି ଖାଲି ପଡ଼ିଛି । ଗତ ୧୭ ତାରିଖରେ ଟ୍ରେଜେରୀ କଲୋନିରୁ ସିରିଜି ଚୋରି ହୋଇଥିବା ବେଳେ ଗତ ୧୯ ତାରିଖ ରାତିରେ ଉତ୍ତରେଶ୍ୱର ବସଷ୍ଟାଣ୍ଡ ନିକଟସ୍ଥ ଏକ ଗ୍ରୋସେରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମେତ ନଗଦ ଟଙ୍କା ଚୋରି ହୋଇଥିଲା ।ପୁଣି ଗତକାଲି ରାତିରେ ଲିଙ୍ଗପଡା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କ ସୁନା ରୁପା ଅଳଙ୍କାର ଓ ପିତ୍ତଳ ପୂଜା ଉପକରଣ ଚୋରି ହୋଇଥିବା ବେଳେ ସବିରା ବଜାର ସ୍ଥିତ ଏସବିଆଇ ଏଟିଏମରୁ ଚୋରି ହୋଇଥିବା ଜଣାପଡିଛି । ପୂର୍ବରୁ ଏହି ଏଟିଏମ ତିନିଥର ଚୋରି ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ଏଟିଏମକୁ ଭାଙ୍ଗିଥିବା ବେଳେ ଟଙ୍କା ନେଇ ପାରି ନଥିବା ଜଣାପଡିଛି । ଆଜି ସକାଳେ ସ୍ଥାନୀୟ ଲୋକେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ଏ ବାବଦରେ ପୃଥକ ପୃଥକ ଅଭିଯୋଗ ହେବା ପରେ ପୁଲିସ ଦୁଇଟି ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । ସୋର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜାଗାରେ ପୁଲିସର ନିଷ୍କ୍ରିୟତା ଓ ଚୋର ମାନଙ୍କର ସକ୍ରିୟତା ଲୋକଙ୍କ ମନରେ ଚିନ୍ତାର କାରଣ ପାଲଟିଛି ।