ପୁଣ୍ୟମାସ କାର୍ତ୍ତିକର ମହତ୍ତ୍ୱ
ଯଶସ୍ୱିନୀ ପଟ୍ଟନାୟକ : କାର୍ତ୍ତିକ ପୂର୍ଣ୍ଣିମା ଓଡ଼ିଆ ଘରର ଏକ ଶ୍ରେଷ୍ଠ ପର୍ବ । ଓଡ଼ିଆ "ଆ, କା, ମା, ବୈ' ଚାରି ମାସ ବୋଳି ମାନେ । ତନ୍ମଧ୍ୟରୁ କାର୍ତ୍ତିକ ମାସର ଗୁରୁତ୍ୱ ଅଧିକ । ତେବେ ଆମର ବାର ମାସରେ ତେର ପର୍ବ କଥାଟିର ପ୍ରଚଳନ ଅଛି । ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ପାଞ୍ଚଦିନକୁ ବକ ପଞ୍ଚବ ବୋଲି କୁହାଯାଏ । ବକ ମଧ୍ୟ ଏ ପାଞ୍ଚ ଦିନ ଆମିଷ ଭକ୍ଷଣ କରେ ନାହିଁ । ଏହି ପାଞ୍ଚ ଦିନ ଗ୍ରାମମାନଙ୍କରେ ରାସ ପାଳନ କରାଯାଏ । ପୁଷ୍କରିଣୀ ନିକଟରେ ଚଉରା ନିର୍ମିତ ହୋଇ ଲିପା ପୋଛା ହୁଏ । ତା' ଉପରେ ପଞ୍ଚବର୍ଣ୍ଣର ମୁରୁଜ ପଡ଼େ । ଗ୍ରାମ୍ୟ କିଶୋରୀ ଅରୁଆ ଚାଉଳ, କଦଳୀ ଆଉ ଗୁହର ଭୋଗ କରି ଚଉରା ନିକଟରେ ଗୀତ ବୋଲନ୍ତି । "ରାମ ସଙ୍ଗେ ସୀତା ଖେଳନ୍ତି ଯୁବା ଚଉଦ ମୁଠି, ତିନି ମୁଠି ଯୁବା ସରିଲା, ରାମ ହୋଇଲେ ଠିଆ' ଇତ୍ୟାଦି ତାଳହୀନ ଘଣ୍ଟବାଦୀ ସହ ଗୀତ ସରୋ ହୁଳ ହୁଳି ଶବ୍ଦରେ ଗାଁ କମ୍ପୁଥାଏ । ଭୋଗ ବାଣ୍ଟି ଓଷେଇତି ଘରକୁ ଫେରେ । ତା ପରେ ଆରମ୍ଭ ହୁଏ ରାସ ସ୍ଥଳୀରେ ଲିପାପୋଛା । ଆଉ ମୁରୁଜ ପକା । ଭୋର ସମୟରେ ଦାଣ୍ଡ ପହଁରା । ସନ୍ଧ୍ୟାବେଳେ ଗାୟକ କଣ୍ଠରୁ ରାସଲୀଳା ଗୀତ ଭାସି ଆସେ । ଚମକ୍ରାର ସେ ପରିବେଶ । ଆହୁରି ଚମକ୍ରାର ଗାୟକ ସହ ପାଳିଆମାନଙ୍କର ପାଳିଧରା ଓ ତା ୩ ସହ ମୃଦଙ୍ଗ ତତା ଝାଞ୍ଜ ବାଦ୍ୟର ମିଳିତ ଧ୍ୱନି । ସ୍ଥାନେ ସ୍ଥାନେ ଏହି ପାଞ୍ଚ ଦିନ, କୌଣସି ସ୍ଥାନରେ ସମଗ୍ର ମାସଟି ଚଉରା ପାଖରେ ଆକଶ ଦୀପ ବସେ । ସନ୍ଧ୍ୟାବେଳେ ବ୍ରାହ୍ମଣ ଭୋଗ କରନ୍ତି । ଛିଦ୍ର ଯୁକ୍ତ ଠେକିରେ ଥିବା ଦ୍ୱୀପକୁ ଲଗାଇ ବାଉଁଶରେ ବନ୍ଧା ଯାଇଥିବା ଦଉଡ଼ି ସାହାଯ୍ୟରେ ଠେକିକୁ ଉପରକୁ ଉଠାନ୍ତି । ଉକ୍ତ ଦୀପାଲୋକ ମୁଖ୍ୟତଃ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗୀକୃତ । କାରଣ ଦିପାବଳି ଅମାବାସ୍ୟା ଦିନ କାଉଁରିଆ କାଠି ଜାଳି ଉପରକୁ ଉଠାଇ ସେମାନେ ଗାଆନ୍ତି "ବଡ଼ବଡ଼ିଆ ହୋ ଅନ୍ଧାରରେ ଆସ, ଆଲୁଅରେ ଯାଅ' । ତେଣୁ ପିତୃପୁରୁଷଙ୍କ ସ୍ମାରକୀ ଉଦେ୍ଦଶ୍ୟରେ, ସେମାନଙ୍କ ଆତ୍ମାର ସଦ୍ଗତି ତଥା ଆଲୋକିତ ପଥର ସନ୍ଧାନ ଦେବାଲାଗି ଏହାର ପରିକଳ୍ପନା । ଏହା ମଧ୍ୟରେ ଲୁଚି ରହିଛି ଚମକ୍ରାର ଦର୍ଶନ ।
କାର୍ତ୍ତିକ ମାସର ବିଶିଷ୍ଟ ଆକର୍ଷଣ ହେଲା ଚକୁଳିଆ ପଣ୍ଡାଙ୍କ ଗାଁ ଭ୍ରମଣ । ମୁଣ୍ଡରେ ତାଳପତ୍ରର ଛତା । ହାତରେ ଶୁଖିଲା ଲାଉ ଚୋପାର ଭାଣ୍ଡ ଭିକ୍ଷା ନେବା ଉଦେ୍ଦଶ୍ୟରେ ଧରା ହୋଇଥାଏ । ସେମାନେ ଗ୍ରାମ ଦାଣ୍ଡରେ ବୁଲନ୍ତି । କାହା ଦ୍ୱାରକୁ ଭିକ୍ଷା ଉଦେ୍ଦଶ୍ୟରେ ଯାଆନ୍ତି ନାହିଁ । ତାଙ୍କର ପ୍ରଧାନ ବିଶେଷତ୍ୱ ହେଲା ସେମାନେ ଗୋଟିଏ ଗୋଟିଏ ଆଶୁକବି । ସଙ୍ଗେ ସଙ୍ଗେ ପଦ ସଂଯୋଜନା କରି ଗୀତ ବୋଲନ୍ତି । ପରିସ୍ଥିତି ତଥା ପରିବେଶକୁ ଲକ୍ଷ୍ୟ କରି ଗୀତ ବୋଲିଥାନ୍ତି । ଏଥିରୁ ଧର୍ମଶିକ୍ଷା ମଧ୍ୟ ବହୁତ ହୁଏ । ପ୍ରାଚୀନ ପୌରାଣିକ ଘଟଣାର ସୂଚନା ଏହି ଗୀତମାନଙ୍କରେ ଥିବାରୁ ଶ୍ରୋତାର ଜ୍ଞାନର ବିକାଶ ମଧ୍ୟ କେତେ ପରିମାଣରେ ହୋଇଥାଏ । ଆସ୍ତେ ଆସ୍ତେ ଏ ସଂସ୍କୃତି ଲୋପ ପାଇବାକୁ ବସିଲାଣି । ଗାଁ ଦାଣ୍ଡରେ ଆଉ ତାଳପତ୍ରର ଛତା ଦିଶୁନି କି ପଣ୍ଡାର ସେ ମନଚହଟା ଗୀତ ଭାସି ଆସୁନାହିଁ । ସାମ୍ପ୍ରତିକ ସଭ୍ୟତା କାବୁ କରି ବସିଛି ପ୍ରାଚୀନ ସଭ୍ୟତାକୁ । ଯୋଗୀ ଭିକାରୀଙ୍କ କରୁଣ ରସାପ୍ଲୁତ ଲହରୀ ଭାସି ଆସୁନି । ଯୋଗୀ ଭିକାରୀକୁ ଭିକ୍ଷା ଦେଲେ ଯେଉଁ ପୁଣ୍ୟ ଅର୍ଜନ ହୁଏ ବୋଲି ମଣିଷ ମନରେ ବିଶ୍ୱାସ ଥିଲା ତାହା କ୍ରମଶଃ ତା ମନରୁ ଲିଭି ଲିଭି ଆସୁଛି । କାର୍ତ୍ତିକ ମାସରେ ଦେବ ମନ୍ଦିର ପ୍ରାଙ୍ଗଣରେ "ସପ୍ତା' ବସି ଭାଗବତ ପାଠ ମଧ୍ୟ ଲୋପ ପାଇବାକୁ ବସିଲାଣି । ସାତଦିନ ଧରି ଏ ଉତ୍ସବ ଚାଲେ । ନଡ଼ିଆ ପତ୍ର ଘେରା ଆବଦ୍ଧ ସ୍ଥାନ ମଧ୍ୟରେ ଗୋଟିଏ କଣକୁ ବର୍ଗାକାର ଗର୍ତ୍ତଟିଏ ଖୋଳାଯାଏ । ଦିବାରାତ୍ରି, ସେଠାରେ ଧୁନି ଲାଗିଥାଏ । ବକ୍ତା ବା ପୂଜକ ଭାଗବତ ପାଠ କରନ୍ତି । ଗ୍ରାମ ମଧ୍ୟରୁ ଜଣେ ଧର୍ମପରାୟଣ ମୁଖ୍ୟ ବ୍ୟକ୍ତି କର୍ତ୍ତା ହୋଇଥାନ୍ତି । ସେ ଶ୍ରୋତାର କାମ କରନ୍ତି । ଗୋଟିଏ ବେଳା ପ୍ରସାଦ ସେବନ । ସାତଦିନ ପର୍ଯ୍ୟନ୍ତ ଏହା ଚାଲେ । ଉଦ୍ୟାପନ ଦିବସରେ ଗ୍ରାମବାସୀମାନଙ୍କ ପକ୍ଷରୁ ଚାନ୍ଦା ସଂଗୃହୀତ ହୋଇ ସମସ୍ତଙ୍କୁ ପଂକ୍ତି ଭୋଜନରେ ଅପ୍ୟାୟିତ କରାଯାଏ । କାର୍ତ୍ତିକ ମାସର ପୂର୍ଣ୍ଣାହୁତି ପର୍ବ କାର୍ତ୍ତିକ ପୂର୍ଣ୍ଣିମା । ମାସଟିଯାକର ଅନ୍ତିମ ଦିନ । ସତର୍କତା ସହ ଶୁଦ୍ଧପୁତ ଭାବରେ ଉକ୍ତ ଦିନଟି ପାଳନ କରାଯାଏ ଆବାଳ ବୃଦ୍ଧ ବନିତାଙ୍କ ଉପାସ୍ୟ ଆଶୁତୋଷଙ୍କ ପୂଜାରେ । ପ୍ରାତଃ କାଳରେ, ସ୍ନାନ କରେ ପଲ୍ଲୀବଧୂ ଓ ପଲ୍ଲୀର କନ୍ୟା । କି ଗ୍ରାମୀଣ କି ସହରୀ ମଣିଷ, ଉକ୍ତ ଦିବସଟିକୁ ସମସ୍ତେ ପବିତ୍ରତାର ସହ ପାଳନ କରନ୍ତି । ସ୍ନାନ ସାରି ଡଙ୍ଗା ଭସାଯାଏ । ଡଙ୍ଗାରେ ଥାଏ ପାନ, ଗୁଆ ଓ ବଳିତା । ସୋଲ ବା କଦଳୀ ପାଟୁଙ୍ଗାରେ ନିର୍ମିତ ଡଙ୍ଗାକୁ ନଦୀ ବା ପୁଷ୍ପରିଣୀ ଜଳରେ ଭସାଇ ଦେଇ ଓଡ଼ିଆ ଘରର ବଧୂ ଗାଇ ଉଠେ "ଆ କା ମା ବୈ... ପାନ ଗୁଆ ଖାଇ, ପାନଗୁଆଯାକ ତୋର, ମାସକ ଧର୍ମ ମୋର' । ବଳିତା ନିଷ୍କାମର ପ୍ରତୀକ, ପାନ ସ୍ତ୍ରୀର ଆଉ ଗୁଆ ପୁରୁଷର । ଓଡ଼ିଆ ସାଧବ ପୁଅ ଜାଭା, ବୋର୍ଣ୍ଣିଓ, ସୁମାତ୍ରା ଆଦି ଦ୍ୱୀପପୁଞ୍ଜକୁ ବାଣିଜ୍ୟ କରିବାକୁ ଯାଉଥିଲା । ତାରକସି କାମ, ପିତ୍ତଳ ବାସନ, ସମ୍ବଲପୁରୀ ବସ୍ତ୍ର, ହାତୀଦାନ୍ତ ନିର୍ମିତ ପଦାର୍ଥର ଯଥେଷ୍ଟ ଆଦର ଥିଲା । ଓଡ଼ିଆ ଶିଳ୍ପୀର ଶିଳ୍ପନୈପୁଣ୍ୟ ଫୁଟି ଉଠିଥିଲା ପ୍ରତ୍ୟେକ କର୍ମରେ । ଫେରି ଆସୁଥିଲା ସାଧବ ପୁଅ ଧନଧାନ୍ୟରେ ବୋଇତ ଭରି ନିଜ ରାଜ୍ୟକୁ । ଓଡ଼ିଶାର ଗର୍ବ ଓ ଗୌରବର ସ୍ମାରକୀ ସାଧବ ପୁଅର ବୋଇତ ଯାତ୍ରାର ସ୍ମରଣ ଉଦେ୍ଦଶ୍ୟରେ ଡଙ୍ଗାଭସା ପର୍ବ । ସକାଳୁ ଡଙ୍ଗା ଭସାଇ ହୁଳହୁଳି ଧ୍ୱନି ଦେଇ ଓଡ଼ିଆ ଘରର ବୋହୂ ସଦାଶିବଙ୍କ ମନ୍ଦିର ଉଦେ୍ଦଶ୍ୟରେ ଯାତ୍ରା କରେ । ବାଟରେ ଦାତାମାନଙ୍କ ଦାନକୁ ଅପେକ୍ଷା କରି ବସିଥିବା ଭିକାରୀମାନଙ୍କୁ ଦାନ ଦେଇ ସେ ଶିବ ମନ୍ଦିରରେ ପହଞ୍ଚେ । ଭୋଗ କରେ । ପରିବାର ତଥା ସଂସାରର କଲ୍ୟାଣ ମାନସେ । ତେବେ ଶିବ ମନ୍ଦିରରେ ରାତିରୁ ବନ୍ଧା ହୋଇଥିବା ତରଣ ସେ ପାଏ । ଏ କ୍ଷେତ୍ରରେ ଧବଳେଶ୍ୱରଙ୍କ ପୀଠର ଯାତ୍ରା ବିଶେଷ ଉଲ୍ଲେଖଯୋଗ୍ୟ । ସେହି ପଞ୍ଚକ ପାଞ୍ଚଦିନ ମଧ୍ୟରେ ପଡ଼େ ବଡ଼ଓଷା । ଓଷାର ନାମକରଣ ଦୃଷ୍ଟିରୁ ଏହା ଶ୍ରେଷ୍ଠ ଓଷା । ମୁଖ୍ୟତଃ ଆଶୁତୋଷଙ୍କ ଉଦେ୍ଦଶ୍ୟରେ ଉଦ୍ଦିଷ୍ଟ । ଓଷେଇତି ସେଦିନ ପାଣି ଟୋପାଏ ବି ପିଏ ନାହିଁ । ଶିବଙ୍କ ପାଦତୋକ ଓ ବେଲପତ୍ର ଧବଳେଶ୍ୱରଙ୍କ ପୀଠରେ ନିର୍ମିତ ଗଜାମଣ୍ଡା ପାଇବା ପରେ ପରେ ସେ ଓଷା ଶେଷ କରେ । ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠରେ ବହୁ ଭକ୍ତଙ୍କ ସମାଗମ ହୁଏ । ସମଗ୍ର କାର୍ତ୍ତିକ ମାସଟି ଧର୍ମମାସ ନାମରେ ବିଦିତ । ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣ ନଥାଏ । ଶୀତର ପ୍ରକୋପ ମଧ୍ୟ ବିଶେଷ ଅନୁଭୂତ ହୋଇନଥାଏ । ତେଣୁ ଏହି ନାତିଶୀତୋଷ୍ଣ ଜଳବାୟୁ ବୋଇତ ବାହିନେବା ପାଇଁ ବୋଇତିଆଳିଙ୍କ ପକ୍ଷରେ ସହଜ ହୋଇଥାଏ । ସାଧବପୁଅ ବାଣିଜ୍ୟ ତରୀ ଏହି ସମୟରେ ସମୁଦ୍ରରେ ବାହି ନଥାନ୍ତି । ତେଣୁ ଗୋଟିଏ ପକ୍ଷରେ କୁମାର ପୂର୍ଣ୍ଣିମାରେ କାର୍ତ୍ତିକେୟ (କୁମାର)ଙ୍କ ଉଦେ୍ଦଶ୍ୟରେ ଆବାହନ ଓ ସମଗ୍ର ମାସଟି କାର୍ତ୍ତିକେୟଙ୍କ ନାମାନୁସାରେ କାର୍ତ୍ତିକମାସ ଏବଂ ଅନ୍ତିମ ଦିବସରେ କାର୍ତ୍ତିକେୟଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା ମଧ୍ୟରେ ମାସଟି ଶେଷ ହୁଏ । ସମଗ୍ର କାର୍ତ୍ତିକ ମାସଟି କେବଳ ଓଡ଼ିଆ ଜାତି କାହିଁକି ହିନ୍ଦୁମାନଙ୍କ ଲାଗି ଏକ ଧର୍ମର ମାସ । କୁମାର ପୂର୍ଣ୍ଣିମାର ପନ୍ଦର ଦିନ ପରେ ଦିପାବଳି ଅମାବାସ୍ୟା ପଡ଼େ । ବିଶେଷତଃ ଦୀପାବଳି ମାରାୱାଡ଼ି ସମ୍ପ୍ରଦାୟର ବ୍ୟକ୍ତିମାନଙ୍କ ଲାଗି ଏକ ବଡ଼ ପର୍ବ । ଆଡ଼ମ୍ବର ସହକାରେ ସେମାନେ ଏହାକୁ ପାଳନ କରନ୍ତି । ସେମାନଙ୍କ ବ୍ୟବସାୟର ନୂଆ ଖାତା ତା' ପରଦିନଠାରୁ ଆରମ୍ଭ ହୁଏ । ଦୀପାବଳି ସହ ମା' କାଳୀଙ୍କ ପୂଜା ଅନୁଷ୍ଠିତ ହୁଏ । ଦଶହରାରେ ମା' ଆଦ୍ୟାଶକ୍ତି ଦୁର୍ଗାଙ୍କର, କୁମାର ପୂର୍ଣ୍ଣିମାରେ ମା' ଲକ୍ଷ୍ମୀଙ୍କର ଏବଂ କାଳୀପୂଜାରେ ମା' କାଳୀଙ୍କର ଆରାଧନା କରାଯାଇଥାଏ । ନିଜେ ଅଜ୍ଞାନ ଅନ୍ଧକାରରୁ ଆଲୋକମୟ ପରିବେଶକୁ ଆସିବା ଲାଗି ପିତୃପୁରୁଷ ତଥା ମାମୁଘରର ପୂଜା ଏ ମାସର ବୈଶିଷ୍ଟ୍ୟ । ତେଣୁ ଧର୍ମଶାସ୍ତ୍ର ପ୍ରମାଣ ଦେଇଛନ୍ତି, ଉକ୍ତ ମାସରେ ଆମିଷ ଭକ୍ଷଣ ମଧ୍ୟ ନିଷିଦ୍ଧ । କାର୍ତ୍ତିକ ମାସର ମହତ୍ତ୍ୱ ଅନ୍ୟ ମାସ ତୁଳନାରେ ଯେ ଶ୍ରେଷ୍ଠ ତଥା ଅଧିକ ଏହା ନିଃସନେ୍ଦହରେ କୁହାଯାଇପାରେ ।