କାର୍ତ୍ତିକେଶ୍ୱରଙ୍କ ଭସାଣି ଶୋଭାଯାତ୍ରା
ତାଳଚେର: ତାଳଚେରରେ ଶ୍ରୀ ପ୍ରଭୁ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଟଙ୍କ ପୂଜା ଗତ ପଞ୍ଚୁକ ଠାରୁ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୧୧ଦିନ ପୂଜା ପାଇଥିବାବେଳେ ବୁଧବାରରେ ପ୍ରଭୁ ଶ୍ରୀ କାର୍ତ୍ତିକଶ୍ୱେରଙ୍କୁ ମେଲାଣି ଦିଆଯାଇଛି । ଏହି ଅବସରରେ ବିଶେଷ ଆକର୍ଷଣୀୟ ୭୫କେଜି ଲଡୁକୁ ୫୮ହଜାର ୮ଶହ ଟଙ୍କାରେ ନିଲାମ ଡ଼ାକି କାରିଗରପଡ଼ାର ଅମିତ ସୁମିତ ନିଲାମ ନେଇଥିବା ଜଣାପଡ଼ିଛି । ନଗରକାର୍ତ୍ତିକ ପୂଜା କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଢ଼େଙ୍କାନାଳ ପୂର୍ବତନ ସାଂସଦ ମହେଶ ସାହୁ, ସମ୍ମାନୀୟ ଅତିଥିଭାବେ ନଗରପାଳ ପବିତ୍ର ଭୂତିଆ ଯୋଗ ଦେଇ ଭାଇଚାରା ସହରରେ ଗଣେଶ ପୂଜା ପରି ପ୍ରଭୁ କାର୍ତ୍ତିକଶ୍ୱେର ଓ ରାଧାକୃଷ୍ଣଙ୍କ ପୂଜା କରି ତାଳଚେର କଳା ସଂସ୍କୃତିକୁ ବଜାୟ ରଖିବା ସହିତ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିବା ସହ ଲଡୁ ଓ ଆଜ୍ଞାମାଳା ବିଜେତାଙ୍କୁ ଅର୍ପଣ କରି ଶୋଭାଯାତ୍ରା ଆରମ୍ଭ କରିଥିଲେ । ତାଳଚେର ନଗର କାର୍ତ୍ତିକଶ୍ୱର କମଟି ପକ୍ଷରୁ ସଭାପତି ଦେବୀମିଶ୍ର ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ବିବରଣୀ ପାଠ କରିଥିଲେ । ଏହି ମଞ୍ଚରେ ଉପସଭାପତି କେଶବ ଭୂତିଆ ସଂଯୋଜନା କରିଥିବା ବେଳେ ଡିଗଲ ମିଶ୍ର, ବଜରଙ୍ଗ ଅଗ୍ରୱାଲ, ଆନନ୍ଦ ମହାରଣା, ସର୍ବେଶ୍ୱର କୁଅଁର, ପ୍ରଫୁଲ୍ଲ ଦାସ ମଞ୍ଚ ଉପରେ ରହି ସକି୍ରୟ ସହଯୋଗ କରିଥିଲେ । ଅପରାହ୍ନ୧.୩୦ମିନିଟ୍ ସମୟରେ ମେଢ଼ ଗୁଡ଼ିକ ଗୋଟିଏ ପରେ ଗୋଟିଏ ପୂର୍ବରୁ ଲଟେରୀ ମାଧ୍ୟମରେ ପାଇଥିବା କ୍ରମିକ ସଂଖ୍ୟା ଅନୁଯାୟୀ ବନଦାଣ୍ଡ ସାହି ଠାରୁ ବାହାରି ବିସର୍ଜନ କରାଯାଇଥିଲା । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା ।