ଅଜଣା ଜଗତର ଡାକ (୨୫)
ଅସୀମ ଭାବିଲେ ଶୋମ୍ପେନମାନେ ତାଙ୍କ ଭାବିବା ଜଙ୍ଗଲୀ ଲୋକଙ୍କଠାରୁ ଟିକେ ଭିନ୍ନ ଲାଗୁଛନ୍ତି । ଏମାନେ ଏକ ଦ୍ୱୀପ, ଅଲଗା ଯାଗାରେ ଅଛନ୍ତି, ଟିକିଏ ଅଲଗା ହେବେ ନିଶ୍ଚୟ । ସେମାନଙ୍କର ଅଣ୍ଟାରେ ଲେଙ୍ଗୁଟି ଅଛି । ସେଇଟା ତ ସେ ଆଗରୁ ଅନେକ ଫଟୋରେ ଦେଖିଛନ୍ତି । ବୋଧହୁଏ ଏକଦମ ଲଙ୍ଗଳା ଜଙ୍ଗଲୀ ମଣିଷ ଫଟୋରେ ସେ ଦେଖିନାହାନ୍ତି । ଏକଦମ ଲଙ୍ଗଳା ହୋଇଥିଲେ ମଣିଷ ସେତେବେଳେ ମାଙ୍କଡ ହୋଇଥାନ୍ତା । ତେଣୁ ମାଙ୍କଡକୁ ମଣିଷ ହିସାବରେ ଚିତ୍ରଣ କରିବାକୁ କେହି ନୃତତ୍ତ୍ୱବିଦ ଠିକ ଭାବିନାହାନ୍ତି । ତେଣୁ ଅସୀମ ବର୍ଣ୍ଣନା କରାଯାଇଥିବା ହିସାବରେ ପ୍ରାୟ ଏକ ପ୍ରକୃତ ଜଙ୍ଗଲୀ ମଣିଷ ଦେଖିଲେ । ସେ ନିଜ ଭିତରେ ଥିବା ଚିତ୍ରରେ ସାମାନ୍ୟ ପରିବର୍ତ୍ତନ ଆଣୁଥିଲେ ।
ଯଦି ଏମାନେ ଜଙ୍ଗଲୀ ମଣିଷ ତେବେ କ’ଣ ଆଜିକାର ମଣିଷ ପରି ବ୍ୟବହାର କରିବେ? ମଣିଷ ବିବର୍ତ୍ତନବାଦରେ ଆଗକୁ ବଢୁଛି ।
ଯଦି ସେମାନେ ଆଜିକାର ମଣିଷ ସହ କେବେ ସାକ୍ଷାତ କରିଥିବେ ତାଙ୍କର କ’ଣ ପରିବର୍ତ୍ତନ ହୋଇଥିବ? ତେଣୁ ଆଉ କିଛି ଖୋଜିନିଆଯାଉ । ଜଙ୍ଗଲୀ ମଣିଷକୁ ଜାଣିବାକୁ ହେଲେ କେବଳ ମଣିଷ ନୁହେଁ, ତା’ର ଆଖ ପାଖର ଗଛବୃକ୍ଷ, ଜୀବଜନ୍ତୁଙ୍କୁ ଜାଣିବାକୁ ପଡିବ । ସେ ଏମିତି ଜଙ୍ଗଲ ଭିତରେ ବହୁତ ବୁଲିଲେ । ଶୋମ୍ପେନ ବୁଲୁଥିବା ଜଙ୍ଗଲରେ ଅଛି ବହୁ ବଡ ବଡ ଗଛ ଯଥା ହ୍ୱାଇଟ ଚୁଗଲୁମ, ବ୍ଲାକ ଚୁଗଲୁମ, ଜଙ୍ଗଲୀ ଆମ୍ବ, ହ୍ୱାଇଟ ଧୂପ, ପୁନ, ରୁଦ୍ରାକ୍ଷ, ବାଦାମ ଭଳି ବଡ ଗଛମାନ ମିଳେ । କୂଳ ଆଡକୁ ମିଳେ ତଥା ଜଙ୍ଗଲ ଭିତରେ ଝରଣା କୂଳରେ ପାଣ୍ଡାନାସ ବା କେଓଡା ଗଛ ବେଶି ମିଳେ । ଜଙ୍ଗଲ ଭିତରେ ଜଙ୍ଗଲୀ ଗୁଆ ଗଛ ବହୁପରିମାଣରେ ଅଛ । ଜଙ୍ଗଲରେ ମଧ୍ୟ ଅନେକ ଫଳଗଛ ଯଥା ମହୋୱା, ଗୁଲର ଆଦି ଫଳ ଗଛ ଅଛି । ବାଉଁଶ, ବେତ ଆଦି ମଧ୍ୟ ଯଥେଷ୍ଟ ମିଳେ । ଜଙ୍ଗଲରେ ବନ୍ୟ ଶୂକର, କ୍ରାବ ଇଟିଙ୍ଗ ମାକାକ, ନିକୋବରୀ ପିଜିଅନ ବା କପୋତ, ମେଗାପଡ ଭଳି ପକ୍ଷୀ ମିଳିଥାନ୍ତି । ସେମାନେ କେଉଁ କେଉଁ ଗଛ ନିଜ ବ୍ୟବହାରରେ ଆଣୁଛନ୍ତି କେଜାଣି? ବନ୍ୟ ଶୂକର ସେମାନଙ୍କର ଭୋଜ୍ୟ ବୋଲି ସମସ୍ତେ ଜାଣନ୍ତି । ଆଉ ଅନ୍ୟ ଜୀବମାନଙ୍କୁ ସେମାନେ ଶିକାର କରନ୍ତି କି ନାହିଁ? ସେ ସବୁ ଜଣାନଥିଲା । ହୁଏତ ବୁଲୁବୁଲୁ କିଛି ଦେଖିପାରନ୍ତି । ସେମିତି ଦିନେ ବୁଲୁବୁଲୁ ଅସୀମ ଏକ ଶୋମ୍ପେନ ହଟକୁ ପୂର୍ବ ଉପକୁଳରେ ଦେଖିବାକୁ ପାଇଲେ । ହଟଟି ପ୍ରାୟ ସମୁଦ୍ରକୂଳକୁ ଲାଗିକରି ଥିଲା । ଅନ୍ୟ ହଟ୍ ଭଳି ଏ ହଟ୍ କାଠ ବାଉଁଶର ପ୍ଲାଟଫର୍ମ ଉପରେ ତିଆରି ହୋଇଥିଲା ଆଉ ଉପର ଥିଲା ପତ୍ର ଛାଉଣୀ । ଦୂରରୁ ଲାଗୁଥିଲା ଏକ ରେକଟାଙ୍ଗଲ ବା ଚତୁର୍ଭୁଜ ଉପରେ ଏକ ବୃତ୍ତକୁ ରଖିଦିଆଯାଇଛି । ଏକ ପାଣ୍ଡାନାସ ଗଛ ପାଖରେ ଆଉ ଏକ ହଟର ତିଆରି ଚାଲିଥିଲା ଏବଂ ଢାଞ୍ଚା ବନିଯାଇଥିଲା । ମାଟିରୁ କାଠର ଖୁମ୍ବମାନ ପୋତାଯାଇଥିଲା ଆଉ ପ୍ଲାଟଫର୍ମ ତିଆରି ପାଇଁ ସେମାନେ ବାଉଁଶ ଆଉ କାଠ ବ୍ୟବହାର କରିଥିଲେ ଆଉ ବେତ ପରି ରଶିରେ ଭଲକରି ବାନ୍ଧି ଦେଇଥିଲେ । ଶୋମ୍ପେନମାନେ ବେଶି ପରିମାଣରେ ପୂର୍ବ ଉପକୂଳରେ ଅଛନ୍ତି ଆଉ ନିକୋବରୀମାନେ ବେଶି ପଶ୍ଚିମ ଉପକୂଳରେ ରହୁଛନ୍ତି । ଏକ ଅତି ସାଧାରଣ ହଟ୍ । ଏକ ତରୁଣ ଥିଲା ସେ ଘରେ, ମୁହଁରେ ବୟସର ଦାଗଟିଏ ନାହିଁ, କିନ୍ତୁ ଦାନ୍ତ କଳା ପଡିଆସିଛି । ଏ ନୂଆ ଲୋକମାନଙ୍କୁ ଦେଖି ତା’ କପାଳ ସାମାନ୍ୟ କୁଞ୍ଚôତ ହୋଇଗଲା । କିନ୍ତୁ ସେ କିଛି ଆକ୍ରାମଣାତ୍ମକ ବ୍ୟବହାର କଲାନାହିଁ । ପରେ ଆଉ କିଛି ଶୋମ୍ପେନ ଦେଖାହେଲେ । ସେମାନେ କପଡା ପିନ୍ଧିଥିଲେ । ଏକ ବୁଢୀ ମଧ୍ୟ ଥିଲା ଆଉ ସେ ଅଣ୍ଟାତଳକୁ ଲୁଙ୍ଗି ଭଳି ଚେକ କପଡା ପିନ୍ଧିଥିଲ, ବେକରେ ଥିଲା ଧଳା ପ୍ଲାଷ୍ଟିକ ମାଳାରେ କେଇ ପରସ୍ତ ଆଉ କାନରେ ଏକ ପତଳା ପ୍ଲାଷ୍ଟିକ ପାଇପ ଲଗାଇଥିଲା । ସେମାନେ କାନରେ ବାଉଁଶ ପିନ୍ଧନ୍ତି । ବୋଧହୁଏ ସରୁ ପାଇପକୁ ସମୁଦ୍ରକୂଳରୁ ପାଇଯାଇଥିବ ଆଉ ସେଥିରେ କାନ ପାଇଁ ଏପଯୁକ୍ତ ଲମ୍ବ ପାଇପ କାଟିନେଇଥିବ । ଆଉ ଜଣେ ପୁରୁଷ ନିଜ ବାମ କାନରେ ମଧ୍ୟ ଏକ ସବୁଜ ରଙ୍ଗର ପାଇପ ଲଗାଇଥିଲା ଆଉ ପାଇପର ମୁହଁ ବନ୍ଦ କରିବା ପାଇଁ ସେଥିରେ ଏକ ସରୁଆ କାଠ ପୁରାଇଥିଲା । ଲୋକମାନଙ୍କ ଦେହରେ ଥିଲା ଅଣ୍ଟାତଳକୁ କପଡା, ଲେଙ୍ଗୁଟି ଭଳି ପିନ୍ଧିଥିଲେ । ସେମାନଙ୍କର ଓଠ ଆଉ ଦାନ୍ତ ଏକଦମ କଲା ପଡିଯାଇଥିଲା ।
ସେମାନଙ୍କ ପାଖରେ ଥିଲା କେଓଡାର ଫଳ । ବାହରେ ପଡିଥିଲା ଏକ ସରୁଆ ଡଗଆଉଟ ଡିଙ୍ଗି । ଭିତରେ ବସିବା ପାଇଁ କାଠ ଛକି ହୋଇ କେଉଁଠି କେଉଁଠି ଆଡା ଦିଆଯାଇଥିଲା । ସେମାନଙ୍କର ଏକ ନୂଆ ଡିଙ୍ଗି ତିଆରି ଚାଲୁଥିଲା । ଭିତରଟା ପ୍ରାୟ ଖୋଲିଦେଇଥିଲେ । ପାଖରେ ଗୋଟାଏ ଯାଗାରେ ସେମାନଙ୍କ ଶିକାରର ଅସ୍ତ୍ରଶସ୍ତ୍ର ସବୁ ରଖାଯାଇଥିଲା । ସେ ସବୁ ମୁଖ୍ୟତଃ ତେଣ୍ଟା ଥିଲା ଆଉ ଫଳି ସବୁ ଲୁହାରେ ତିଆରି ହୋଇଥିଲା । ଅନେକ ପ୍ରକାରର ତେଣ୍ଟା । ବେଣ୍ଟ ସବୁ କାଠରେ ତିଆରି ହୋଇଥିଲା ଆଉ ଲୁହାକୁ ଭଲଭାବେ ବେଣ୍ଟରେ ବାନ୍ଧି ଦିଆଯାଇଥିଲା । ଏମାନେ କଥା କହିଲାବେଳେ ସେ ଶୋମ୍ପେନମାନେ ହସୁଥିଲେ । ସେମାନେ କିଛି କଥା ବୁଝିପାରୁନଥିଲେ କିନ୍ତୁ ସମସ୍ତଙ୍କ ମୁହଁରେ ହସ ଥିଲା । ଏଥିରୁ ଜଣାପଡୁଥିଲା ଶୋମ୍ପେନମାନେ କୂଳରେ ରହି ବାହାର ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ପାଖରେ ଠିଆ ହୋଇଥିବା ଛୁଆମାନେ ମଧ୍ୟ ଡ୍ରେସ ପିନ୍ଧିଥିଲେ । ଗୋଟାଏ ଶୋମ୍ପେନ ତ ଶାର୍ଟ ମଧ୍ୟ ପିନ୍ଧିଥିଲା । କେହି ଏମାନଙ୍କୁ ଦେଇଯାଇଥିବ । ଶୋମ୍ପେନ ତରୁଣଟି ନିଜ ହଟର ମୁହଁରେ ବସି ସେମାନଙ୍କୁ ଅନାଇଥିଲା । ହଟ୍ ଉପରକୁ ଚଢିବା ପାଇଁ ଥିଲା ଏକ ଶିଡି । ତା’ ମୁହଁରେ ନିରୀହ ଅନୁସନ୍ଧିତ୍ସା ଭରିରହିଥିଲା । ଆଗରୁ ଆସୁଥିବା ସମୁଦ୍ର ପବନ ତା’ ମୁହଁରେ ପିଟିହେଉଥିଲା ।
ଏମିତି ଦିଶୁଥିବା ଜଙ୍ଗଲୀ ଶୋମ୍ପେନମାନେ ଅସୀମଙ୍କ ଭିତରର ଜଙ୍ଗଲୀ ଲୋକର ଚିତ୍ରକୁ ବହୁତ ବଦଳାଇ ଦେଉଥିଲେ । ଜଙ୍ଗଲୀ ଲୋକମାନେ ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିଲେ ବହୁତ ବଦଳି ଯାଆନ୍ତି । ଏଇଟାକୁ ସେ ପଦାର୍ଥ ବିଜ୍ଞାନର ଇଣ୍ଡକସନ ଇଫେକ୍ଟ କହିବେ । ସାମାଜିକ ବିଜ୍ଞାନରେ କ’ଣ କୁହାଯାଉଛି କେଜାଣି? ଯଦି ଏହି ଶୋମ୍ପେନମାନେ ପୁରା ବଦଳି ଗଲେ ଆଉ ଜଙ୍ଗଲୀ ରହିବେନି । ଯାହାହେଉ ସେଇଟା କେବେ ହେବ, ତାହା ଜଣାନାହିଁ । କିନ୍ତୁ ଗୋଟାଏ କଥା ପ୍ରମାଣିତ ହେଉଥିଲା ଯେ ଏଠାକାର ଜଙ୍ଗଲୀ ଲୋକ ଡିଙ୍ଗି ଧରି ମାଛମାରେ । ଏଇଟା କେଉଁ ନୃତତ୍ତ୍ୱବିଦ ଦେଇଥିବା ଚିତ୍ରରେ ସେ ପାଇନାହାନ୍ତି । ଥାଇପାରେ, କିନ୍ତୁ ତାଙ୍କ ନଜରକୁ ଆସିନି । ତାଙ୍କ ଜଣା ଜଙ୍ଗଲୀ ଲୋକର ଚିତ୍ରରେ ଜଙ୍ଗଲୀ ଲୋକଟି ଶିକାର ପଛରେ ବର୍ଚ୍ଛା ଧରି ଦୌଡୁଛି । କେଉଁଠି ମାଛ ଧରିବା କାହିଁ ମନେ ପଡୁନି । ଶୋମ୍ପେନ ଭଳି ଜଙ୍ଗଲି ଲୋକମାନେ ତାହାହେଲେ ପାଣି ଭିତରକୁ ଯାଇପାରନ୍ତି । ପାଣି ଉପରେ ବିଜୟ ପାଇବାକୁ ଚେଷ୍ଟା କରିପାରନ୍ତି । ତା’ହେଲେ ସମୁଦ୍ରକୂଳରେ ରହିଲେ ଜଙ୍ଗଲୀ ଲୋକଟିଏ ସମୁଦ୍ର ଉପରେ ବିଜୟ ପାଇବାକୁ ଚେଷ୍ଟା କରେ । ନଦୀ କୂଳରେ ରହିଲେ ନଦୀ ଉପରେ ବିଜୟ ଲାଭକରିବାକୁ ଚେଷ୍ଟା କରେ ଆଉ ଜଙ୍ଗଲ ଭିତରେ ରହିଲେ ଜଙ୍ଗଲ ଉପରେ ଜୟଲାଭ କରେ ।(କ୍ରମଶଃ)
ଭୁବନେଶ୍ୱର