ବିଜେଡିର ବନ୍ଧୁ ମିଳନ; ନଥିଲେ ବ୍ଲକ ସଭାପତି କି ଅଧ୍ୟକ୍ଷା, ଶକ୍ତି ପ୍ରଦର୍ଶନ କଲେ ରାଜନାରାୟଣ ଓ ଗଣେଶ୍ୱର
ଯାଜପୁର: ହାରିବା ପରେ ବି ବଡ଼ଚଣା ବିଜେଡ଼ି ଗୋଠ ଏକାଠି ହୋଇପାରୁନି । ସାଧାରଣ ନିର୍ବାଚନ ପୂର୍ବରୁ ଯେଭଳି ବିଜେଡ଼ି ନେତା ଗୋଠ ଖଣ୍ଡିଆ ହୋଇ ଏଠି ସେଠି ବୈଠକ କରୁଥିଲେ, ନିର୍ବାଚନ ପରେ ବି ସେମିତି ଚାଲିଛି । ଅକ୍ଟେବାର ୨ବିଜେଡ଼ି ପଦଯାତ୍ରା ଶୁଭାରମ୍ଭ ଦିନ ଦେଖିବାକୁ ମିଳିଥିଲା । ଗୋଟେ ପଟେ ରାଜନାରାୟଣ ମହାପାତ୍ର ତ ଅନ୍ୟ ପଟେ ବର୍ଷା ପ୍ରିୟଦର୍ଶନୀ, ବ୍ଲକ ବିଜେଡ଼ି ସଭାପତି ଅରବିନ୍ଦ ସାମଲ, ବ୍ଲକ ଅଧ୍ୟକ୍ଷା ଏକାଠି ହୋଇ ଦପଯାତ୍ରାର ଶୁଭାରମ୍ଭ କରିଥିଲେ । ବଡ଼ଚଣା ବିଜେଡ଼ି ଫାଳଫାଳ ହୋଇପଡ଼ିଥିବା କଥା ପ୍ରବଳ ଚର୍ଚ୍ଚା ହୋଇଥିଲା । ଆଶା କରାଯାଉଥିଲା କ୍ଷମତାରେ ନଥିବା ଏହି ଦଳ ଆଗକୁ ଶାସକ ଦଳର ମୁକାବିଲା କରିବାକୁ ଗୋଟିଏ ମଞ୍ଚରେ ଏକାଠି ହେବେ । ହେଲେ ବଡ଼ଚଣା ଯୋଉ ତିମିରେକୁ ସେଇ ତିମିରେ । ନିର୍ବାଚନରେ ପରାଜୟରୁ କିଛି ଶିକ୍ଷା ଯେମିତି ଏହି ଦଳର ନେତାଙ୍କୁ ମିଳିପାରିନି । ଯାହା ବୁଧବାର ଚଣ୍ଡିଖୋଲ ଶାନ୍ତି ମଣ୍ଡପ ଠାରେ ଆୟୋଜିତ ବନ୍ଧୁ ମିଳନ ଜଣାଇ ଦେଉଛି । ବଡ଼ଚଣା ବିଜେଡ଼ିର ବନ୍ଧୁ ମିଳନ । ଅତଏବ ବଡ଼ଚଣାର ସମସ୍ତ ବିଜେଡ଼ି ନେତା ଏକାଠି ହେବା କଥା । କିନ୍ତୁ ଦେଖାଗଲେନି ବ୍ଲକ ସଭାପତିଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷା ଏବଂ ଅନ୍ୟ କେଇଜଣ ନିର୍ବାଚିତ ପ୍ରତିନିଧି । ଆୟୋଜକ ବଡ଼ଚଣା ବିଜେଡ଼ି ବୋଲି ଲାଗିଥିବା ବ୍ୟାନର କହୁଥିଲେ ହେଁ ମଞ୍ଚରେ ଯେଉଁ କେତେ ଜଣ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ଥିଲେ ଜିଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, କଂଗ୍ରେସରୁ ଆସି ବିଜେଡ଼ି ନେତା ବନିଥିବା ରାଜନାରାୟଣ ମହାପାତ୍ର । ଜଣାପଡ଼ୁଥିଲା ସମ୍ଭବତ ରାଜନାରାୟଣ ଏବଂ ଗଶେଣ୍ୱରଙ୍କ ଆୟୋଜନରେ ହୋଇଥିଲା ବନ୍ଧୁ ମିଳନ । ବ୍ଲକ ସଭାପତି ହୁଅନ୍ତୁ ବା ଅନ୍ୟମାନଙ୍କ ଅନୁପସ୍ଥିତ ରହିଥିବାରୁ ରାଜନାରାୟଣ ଏବଂ ଗଶେଣ୍ୱର ଶକ୍ତି ପ୍ରଦର୍ଶନ ପାଇଁ ଏଭଳି ବରାଦି ଆୟୋଜନ କରିଥିଲେ । ଯାଜପୁର ଜିଲା ପରିଷଦ ଉପ ସଭାପତି ତଥା ବଡ଼ଚଣା ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳଙ୍କ ସଞ୍ଚାଳନରେ ଆୟୋଜିତ ବନ୍ଧୁମିଳନରେ ରାଜ ନାରାୟଣ ଆଗାମୀ ଦିନରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ କର୍ମୀ ମାନଙ୍କ ସୁଖ ଦୁଃଖରେ ସେ ଠିଆ ହେବା ସହିତ ସରକାରୀ ଦପ୍ତର ମାନଙ୍କରେ ଯଦି କେହି ଅସୁବିଧାରେ ପକାଇବାକୁ ଚେଷ୍ଟା କରାନ୍ତି ସେଥିପାଇଁ ଦୁର୍ବାର ଆନେ୍ଦାଳନ କରାଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ପ୍ରହଲ୍ଲାଦ ନନ୍ଦ, ଶୁକ୍ରମଣି ପୂର୍ତି, ଜିଲା ପରିଷଦ ସଭ୍ୟ ଜୟଶ୍ରୀ ସାମଲ, ପୂର୍ବତନ ଜିଲା ପରିଷଦ ପୂଜାରିଣୀ ବଳ, ବିନୋଦିନୀ ସାହୁ, ମାନ ଗୋବିନ୍ଦ ସେଠୀ, ଅମର ନାୟକ, ସିମନ୍ତିନୀ ଜେନା, ସରପଞ୍ଚ କିଶୋର ବେହୁରା, ରମେଶ ଚନ୍ଦ୍ର ପୃଷ୍ଟି, ଜ୍ଞାନରଞ୍ଜନ ସାହୁ,ପୂର୍ବତନ ସରପଞ୍ଚ ଦମୟନ୍ତୀ ସାମଲ, ଗଣେଶ୍ୱର ସାମଲ, ଜଗନ୍ନାଥ ମୁଦୁଲି, ନିରଞ୍ଜନ ବିଶ୍ୱାଳ, ଧନେଶ୍ୱର ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ କ୍ୟାପଟେନ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତେ କାର୍ଯ୍ୟ କରିବେ ବୋଲି ସମର୍ଥନ ଜଣାଇଥିଲେ । ତେବେ ଗତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଥିବା ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନ ମଣ୍ଡଳୀକୁ ଆସୁନଥିବା ଓ କର୍ମୀ ମାନଙ୍କୁ ସହଯୋଗ କରୁ ନଥିବା ନେଇ କେତେକ କର୍ମୀ କ୍ଷୋଭ ପ୍ରକାଶ କରିଥିଲେ । ଶକ୍ତି ପ୍ରଦର୍ଶନରେ ବ୍ଲକ ସଭାପତି ଅରବିନ୍ଦ, ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି,୧୬ ନମ୍ବର ଜିଲା ପରିଷଦ ଯତିଦ୍ର ନାୟକଙ୍କୁ ଦେଖିବାକୁ ମିଳିନଥିଲା । ଏନେଇ ବ୍ଲକ ସଭାପତି ଶ୍ରୀ ସାମଲଙ୍କ କହିବା କଥା ଥିଲା କିଏ କଣ କେଉଁଠି ବୈଠକ କରୁଥିଲା ମୁଁ ଜାଣିନାହିଁ । ରାଜନାରାୟଣ କଣ ଦଳର ସଭାପତି କି? କିଛି ଲୋକ କହିବେ ଆମେ ବିଜେଡ଼ି ଆମେ କଣ ମନା କରିବୁ । କିଏ ବୈଠକ କରିବ କାହାକୁ ମନାନାହିଁ । ବନ୍ଧୁ ମିଳନ ସଂପର୍କରେ ବ୍ଲକ ଅଧ୍ୟକ୍ଷ ଜାଣିନଥିବା କଥା ସ୍ପଷ୍ଟ ହୋଇଛି । କିନ୍ତୁ ଆଉ ଗୋଟିଏ ଆଶ୍ଚର୍ଯ୍ୟ ବିଭିନ୍ନ ସମୟରେ ବିଜେଡ଼ି ବଡ଼ଚଣା ପକ୍ଷରୁ ଯେଉଁ ଗୋଷ୍ଠି ଆୟୋଜନ କରୁ ନା କାହିଁକି କୋଉଥିରେ ଜନ୍ମେଜୟ ଲେଙ୍କାଙ୍କୁ ଦେଖିବାକୁ ମିଳିନି । ନିର୍ବାଚନର ଛଅ ମାସ ପରେ ବିଜେଡ଼ି ଗୋଠ ଖଣ୍ଡିଆ ହୋଇ କାର୍ଯ୍ୟକ୍ରମ ଆୟୋଜନ କରିବା ଘଟଣା ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ସମସ୍ତେ ଶକ୍ତି ପ୍ରଦର୍ଶନରେ ମାତିଥିବା ବଡ଼ଚଣାର ବାଟେ ଘାଟେ ଆଲୋଚନା ହେଉଛି ।