ଜିଲ୍ଲା ସମନ୍ୱୟ ଓ ମନିଟରିଂ କମିଟି ବୈଠକ

 ବାଲେଶ୍ୱର: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପଞ୍ଚମ ଜିଲ୍ଲା ସମନ୍ୱୟ ଓ ମନିଟରିଂ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସାଂସଦ ତଥା ଜିଲ୍ଲା ସମନ୍ୱୟ ଓ ମନିଟରିଂ କମିଟି ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ସାଂସଦ ଅଭିମନୁ୍ୟ ସେଠୀ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ,  ବସ୍ତା ବିଧାୟିକା ସୁବାସିନୀ ଜେନା, ସୋର ବିଧାୟକଙ୍କ ପ୍ରତିନିଧି, ଭୋଗରାଇ ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷ,  ନାରାୟଣ ପ୍ରଧାନ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ  ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାର ଗ୍ରାମୀଣ ବିକାଶ ପାଇଁ ଆସୁଥିବା ଅନୁଦାନର ଉଚିତ୍ ବିନିଯୋଗ ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବୈଠକ ପ୍ରାରମ୍ଭରେ ଶ୍ରୀ ନାୟକ ପୂର୍ବ ଦିଶା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକର କାର୍ଯ୍ୟ ରିପୋର୍ଟ ପାଠ କରିଥିଲେ । ଏହା ପରେ ଦିଶା କମିଟିର ଅଧ୍ୟକ୍ଷ ଶ୍ରୀ ଷଡ଼ଙ୍ଗୀ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିବା ସହିତ ଉପସ୍ଥିତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ଏହି ସମ୍ପର୍କରେ ପଚାରି ବୁଝିଥିଲେ । ସର୍ବପ୍ରଥମେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାର ଚାଷୀମାନଙ୍କୁ ପ୍ରଦାନ କରାଯାଉଥିବା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିଷୟରେ ତଥ୍ୟ ପ୍ରଦାନ କରିବା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଉଥିବା ମୃତ୍ତିକା ସର୍ବେକ୍ଷଣ ଓ ମୃତ୍ତିକା ନମୁନା ସଂଗ୍ରହର ବିଶ୍ଳେଷଣ ରିପୋର୍ଟ ପ୍ରଦାନ କରିଥିଲେ । ସେହିଭଳି ଜାତୀୟ ରାଜପଥ ପ୍ରାଧିକରଣ ଅନ୍ତର୍ଗତ ଜାତୀୟ ରାଜପଥ ନିର୍ମାଣର ଅଗ୍ରଗତି ଓ ରକ୍ଷଣାବେକ୍ଷଣ, ଶିକ୍ଷା ବିଭାଗ ଅନ୍ତର୍ଗତ ପିଏମ ଶ୍ରୀ ଯୋଜନା, ଛାତ୍ରଛାତୀଙ୍କ ବିଦ୍ୟାଳୟ ପୋଷାକ ବଣ୍ଟନ, ଓଏଭି ସ୍କୁଲଗୁଡିକର କାର୍ଯ୍ୟକାରିତା, ପ୍ରାଣୀଚିକିତ୍ସା ବିଭାଗ ଅନ୍ତର୍ଗତ ଦେଶବ୍ୟାପୀ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା ବିଭାଗ ଅନ୍ତର୍ଗତ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ସମାଜ ମଙ୍ଗଳ ବିଭାଗ ଅନ୍ତର୍ଗତ ପିଏମ ପୋଷଣ ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଇତ୍ୟାଦି ସମ୍ପର୍କରେ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉପରେ ମଞ୍ଚାସୀନ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟର ବ୍ୟବହାରିକ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ଷଡ଼ଙ୍ଗୀ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ବିଭିନ୍ନ ଜନପ୍ରତିନିଧିଗଣ ଯୋଗ ଦେଇ ବିଭିନ୍ନ ବିଭାଗୀୟ କାର୍ଯ୍ୟ ଉପରେ ସେମାନଙ୍କ ଅଞ୍ଚଳର ଦାବି, ସମସ୍ୟା ଓ ସମାଧାନ ଉପରେ ମତ ବିନିମୟ କରି କର୍ତ୍ତୃପକ୍ଷଙ୍କ ଠାରୁ ପ୍ରତିଶ୍ରୁତି ହାସଲ କରିଥିଲେ । ସଭା ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିଦୁ୍ୟତଳତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।