୫ବର୍ଷ ପରେ ବାରବାଟୀକୁ ଫେରିଲା ଦିନିକିଆ ମ୍ୟାଚ
ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷ ପରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଦିନିକିଆ ମ୍ୟାଚ ଖେଳାଯିବ । ଏ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ବଢିଯାଇଛି । ଇଂଲଣ୍ଡ ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ୨୦୨୫ ଫେବୃଆରୀ ୯ ତାରିଖରେ ଏହି ମ୍ୟାଚ୍ ଖେଳାଯିବ । ବିସିସିଆଇ ଆଜି ୨୦୨୪-୨୫ ଘରୋଇ ସିଜିନର ମ୍ୟାଚ୍ ତାରିଖ ଓ ଭେନୁ୍ୟ ଘୋଷଣା କରିଛି । ଏହି ସିଜିନରେ ଭାରତ ଗସ୍ତରେ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଆସିବେ । ବାଂଲାଦେଶ ଭାରତରେ ୨ଟିଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଭାରତୀୟ ଟିମ ଆସନ୍ତା ବର୍ଷ ଇଂଲଣ୍ଡ ବିପକ୍ଷରୁ ନିଜର ସିରିଜ ଆରମ୍ଭ କରିବ । ଏହି ଗସ୍ତ ସମୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମେ ଟି-୨୦ ସିରିଜ ପରେ ଦିନିକିଆ ମ୍ୟାଚ ଖେଳାଯିବ । ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ବାରବାଟୀରେ ୨୦୧୯ ମସିହା ଡିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସେହିପରି ଭାରତ ଶେଷଥର ପାଇଁ ବାରବାଟୀରେ ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୨୨ ମସିହା ଜୁନ ୧୨ ତାରିଖରେ ଖେଳିଥିଲା ।