ପ୍ରତ୍ୟାଶା ପାଇବେ ‘ଏକଲବ୍ୟ’ 

Ekalabya Award

ପ୍ରତ୍ୟାଶା ପାଇବେ ‘ଏକଲବ୍ୟ’ 

।। ପ୍ରଭାନ୍ୟୁଜ ।। ଭୁବନେଶ୍ୱର, ୨୨ା୯: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ୨୦୨୪ ମସିହାର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’ । ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କ ନାମ ଘୋଷଣା କରାଯାଇଛି  । ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ତାଙ୍କୁ ପୁରସ୍କାର ବାବଦକୁ ୭ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ।

ଏହି ଅବସରରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍‌ ଜୟରାମ ଓ ବ୍ୟାଡ୍‌ମିଣ୍ଟନ ଖେଳାଳି ତନ୍ୱୀ ପତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ସେମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ସହିତ ମାନପତ୍ର ଦିଆଯିବ ।
ଇମ୍ପାକ୍ଟ ଦ୍ୱାରା ୧୯୯୩ରେ ଏକଲବ୍ୟ ପୁରସ୍କାର ଆରମ୍ଭ ହୋଇଥିଲା  । ଏହା ଏକ ମର୍ଯ୍ୟାଦା ଜନକ କ୍ରୀଡା ସମ୍ମାନ ରୂପେ ବିବେଚିତ ହେଉଛି  । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ଚଳିତବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ । ଯାହାଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ । କ୍ରୀଡା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ୱାସ୍ଥ୍ୟସେବା ଆଦିକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଉଛି । ଯାହା ଆଗକୁ ମଧ୍ୟ ଜାରି ରହିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।