କେନ୍ଦ୍ରାପଡ଼ା ବିକାଶର ସ୍ବପ୍ନ, ସ୍ୱପ୍ନରେ ହିଁ ରହିଯାଇଛି

Kendrapada Development

କେନ୍ଦ୍ରାପଡ଼ା ବିକାଶର ସ୍ବପ୍ନ, ସ୍ୱପ୍ନରେ ହିଁ ରହିଯାଇଛି

ଓଡ଼ିଶାର ନଦୀ ଓ ସମୁଦ୍ର ମିଳନର ମଧୁର ଗାଥା ଗାଉଥିବା  ଉପକୂଳ ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା।ଅବିଭକ୍ତ କଟକ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିବା ଏହି ଜିଲ୍ଲା ୧୯୯୩ ମସିହା ଅପ୍ରେଲ ମାସ ୧ ତାରିଖରେ ବିଭାଜିତ ହୋଇ ନୂତନ ଜିଲ୍ଲା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ଲମ୍ବା ସମୟ ଅତିକ୍ରାନ୍ତ କରିଆସିବା ପରେ ବି ପଡୋଶୀ ଜିଲ୍ଲା ମାନଙ୍କ ତୁଳନାରେ ଏହି ଜିଲ୍ଲାର ବିକାଶ ସେଭଳି ଆଖିଦୃଶିଆ ହୋଇ ପାରିନାହିଁ ବୋଲି ସାଧାରଣରେ ଅନେକ ସମୟର ଅଭିଯୋଗ ଉଠେ।
ସିଦ୍ଧ ବଳଦେବଜୀଉଙ୍କ ପୀଠ ପାଇଁ ଏହି ଜିଲ୍ଲା ତୁଳସୀ କ୍ଷେତ୍ର ନାମରେ ମଧ୍ୟ ନାମିତ।କୁମ୍ଭୀର ପ୍ରଜନନ ଓ ଗବେଷଣା କେନ୍ଦ୍ର ଭାବେ ବଶ୍ଵସ୍ତରରେ ପ୍ରସିଦ୍ଧ ଭିତର କନିକା, ଇଂରେଜ ମାନଙ୍କ ସମୟରେ ଗଢ଼ି ଉଠିଥିବା ଉଚ୍ଚତମ ବତୀଘର,କନିକା ପ୍ୟାଲେସ ଓ ଲାଲ୍ କୋଠା ହୁକିଟାଲା ଭଳି ବିଶ୍ଵ କୀର୍ତ୍ତିରାଜ ପର୍ଯ୍ୟଟକ ମାନଙ୍କୁ ଢେର୍ ଆକୃଷ୍ଟ କରିଥାଏ।
ଯଦି ଆମେ ରାଜନୀତି କଥା କହିବା ତେବେ ରାଜନୀତି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ବେଶ୍ ଆଗୁଆ।ରାଜ୍ୟ ରାଜନୀତିରେ କେନ୍ଦ୍ରାପଡ଼ା ଜିଲ୍ଲା ବେଶ୍ ଗୁରୁତ୍ଵ ବହନ କରେ। ଏହି ଜିଲ୍ଲା ୫ଗୋଟି ବିଧାନସଭା କ୍ଷେତ୍ର,୯ଗୋଟି ବ୍ଲକ ଓ ୯ଗୋଟି ତହସିଲ ରେ ବିଭକ୍ତ। ସୁଦୀର୍ଘ ନଦୀ ଶଯ୍ୟା ସହିତ ବିସ୍ତୀର୍ଣ୍ଣ  ଜଳରାଶି ର ପୂର୍ଣ୍ଣ ସମାହାର ଏହି ଜିଲ୍ଲାର ସୋନ୍ଦର୍ଯ୍ୟ କୁ କରେ ଦ୍ଵିଗୁଣିତ।
ବାତ୍ୟା ହେଉ କି ବନ୍ୟା ବିଭୀଷିକା ଏହି ଜିଲ୍ଲାର ହେଉଛନ୍ତି ସତେ ଯେମିତି ନିମନ୍ତ୍ରିତ ଅତିଥି।ପ୍ରାକୃତିକ ଦୁର୍ବିପାକ ସହ ଅନେକ ସମୟରେ ସଂଘର୍ଷ କରୁଥିବା ଏହି ଜିଲ୍ଲାର ଅର୍ଥନୀତି ବିଶେଷ କରି କୃଷି ଉପରେ ନିର୍ଭରଶୀଳ। ଅଧିକାଂଶ ଚାଷ ଜମି ନଦୀର ଅବବାହିକାରେ ଥିବାରୁ ଧାନ ଓ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ନିମନ୍ତେ ଏହି ଜିଲ୍ଲାର କୃଷକ ଅଧିକ ପ୍ରାଧାନ୍ୟ ଦେଇଥାଏ।ଏହି ଜିଲ୍ଲାର ଅନେକ ପାରମ୍ପରିକ ମତ୍ସ୍ୟଜିବୀ ପରିବାର ସାରା ବର୍ଷ ମାଛମାରି କୁଟୁମ୍ବ ପ୍ରତିପୋଷଣ କରୁଥିବା ମଧ୍ୟ ଦେଖିବାକୁ ମିଳେ। ଜିଲ୍ଲାରେ ଶହଶହ ମତ୍ସଜିବୀ ହାତ ତିଆରି ଛୋଟ ଛୋଟ ଡଙ୍ଗା ମାଧ୍ୟମରେ ମହାନଦୀ ଓ ବିଭିନ୍ନ ଶାଖା ନଦୀ ମାନଙ୍କରେ ମାଛମାରୀ ଜୀବିକା ନିର୍ବାହ କରୁଛନ୍ତି ।
ଅଦ୍ୟାବଧି ଶିଳ୍ପ ବିହୀନ ଏହି ଜିଲ୍ଲାର ଶିକ୍ଷା ,ସ୍ବାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ର କଥା ଯଦି କହିବା ତେବେ ପଡୋଶୀ ଜିଲ୍ଲା ମାନଙ୍କ ତୁଳନାରେ ଏହି ଜିଲ୍ଲା ବହୁତ ପଛରେ ରହିଯାଇଛି ବୋଲି ଅନେକ ସମୟରେ ଅଭିଯୋଗ ହୁଏ।ଜିଲ୍ଲା ଭିତରେ କୌଣସି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନଥିବାରୁ ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାର ନଜର ମଧ୍ୟ ରହିଛି।
ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାର ଶିରୋନାମାରେ ରହୁଥିବା ଏହି ଜିଲ୍ଲା ପ୍ରଭାବଶାଳୀ ରାଜନେତା ଓ ପ୍ରଶାସନ ଦ୍ଵାରା ଚରମ ଅବହେଳାର ଶିକାର ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ।ରାଜନେତା ମାନଙ୍କ ଇଛାଶକ୍ତି ଅଭାବ ହେଉ ଅବା ପ୍ରଶାସନ ର ଅପାରଗତା ଯୋଗୁଁ ହେଉ ,କେନ୍ଦ୍ରାପଡ଼ାରେ ବିକାଶ ବାଟ ଭୁଲିଛି ବୋଲି ଧରିନେବାକୁ ହେବ,ଯାହାର ପରିଣାମ ଜିଲ୍ଲାବାସୀଙ୍କୁ ଭୋଗିବାକୁ ପଡୁଛି।
ସୁଦୀର୍ଘ ନଦୀ ଶଯ୍ୟା ସହିତ ବିସ୍ତୀର୍ଣ୍ଣ ଜଳରାଶି ଛାତିରେ ଧରି ରଖିଥିବା ଏହି ଜିଲ୍ଲାର ବିକାଶ ପାଇଁ ସମସ୍ତ ଜିଲ୍ଲାବାସୀ ଦାବି କରିଆସୁଥିଲେ ମଧ୍ୟ  ରାଜ୍ୟ ଓ କେନ୍ଦ୍ର ସରକାର ଜିଲ୍ଲାପ୍ରତି ବିମୁଖ ହେବା କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ବେଶ୍ ମର୍ମହାତ କରୁଛି।
ଦୀର୍ଘ ଦାବି ପରେ ଜିଲ୍ଲାରେ ରେଳ ଗଡିବା ଆରମ୍ଭ ହୋଇଛି ସତ ,କିନ୍ତୁ ଅଦ୍ୟାବଧି ଯାତ୍ରୀବାହୀ ରେଳ ସ୍ବପ୍ନ ଏବେ ମଧ୍ୟ ରହିଛି ଅଧୁରା। ଶିଳ୍ପ ବିହୀନ ଜିଲ୍ଲାରେ ପ୍ରାଧାନ୍ୟ ଦେଇ ମାଲ୍ ବାହି ରେଳ ଚଳାଇବା ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ଶିଳ୍ପପତି ଙ୍କ ସୁବିଧା ପାଇଁ ଚକ୍ରାନ୍ତ କରାଯାଇଛି ବୋଲି ଅଭିଯୋଗ ହୁଏ।କେନ୍ଦ୍ରାପଡ଼ା ମାଟି ଦେଇ ପଡୋଶୀ ଜିଲ୍ଲାର ଶିଳ୍ପ ପାଇଁ ମାଲ୍ ପରିବହନ ହେଉଥିଲେ ବି କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ପାଇଁ ପଡୋଶୀ ଜିଲ୍ଲାର ଶିଳ୍ପ କାରଖାନାରେ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ମିଳିବା ଆବଶ୍ୟକ ବୋଲି ମଧ୍ୟ କେଉଁଠି ନା କେଉଁଠି ସ୍ୱର୍ ଉଠେ।
ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତିକ ଦଳର ନେତାମାନେ କେନ୍ଦ୍ରାପଡ଼ାର ବିକାଶ ର ପ୍ରତିଶ୍ରୁତି ଦେଇ କେବଳ କୁମ୍ବୀର କାନ୍ଦଣା କାନ୍ଦୁଥିବା ଦେଖିବାକୁ ମିଳେ କିନ୍ତୁ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା।ବିକାଶର ସ୍ବପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଇଛି...।
ଏବେ ସମୟ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ସବୁ ସ୍ତରରୁ ପ୍ରୟାସ ହେବା ଅପରିହାର୍ଯ୍ୟ।କୃଷି ଭିତ୍ତିକ ଓ ସାମୁଦ୍ରିକ ଶିଳ୍ପ ଗଢି ଉଠିଲେ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ ଉପକୃତ ହୋଇପାରନ୍ତେ । ଜିଲ୍ଲାରେ ପ୍ରବାହିତ ମହାନଦୀ , ଶାଖାନଦୀ ,କେନାଲ୍ ଓ ଜଳାଶୟ ଗୁଡ଼ିକୁ ନଦୀ ସଂଯୋଗି କରଣ ଯୋଜନା ମାଧ୍ୟମରେ ଯୋଡ଼ି ସମୁଦ୍ର ମୁହାଣ ପୂର୍ବରୁ ଏକ ବ୍ୟାରେଜ୍ ନିର୍ମାଣ କରାଗଲେ ଅନ୍ୟାଶୟରେ ସମୁଦ୍ରକୁ ଚାଲିଯାଉଥିବା ଜଳ ସଂରକ୍ଷଣ ହୋଇପାରିବ ଓ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଜଳ କୁ ଆବଶ୍ୟକତା ମୁତାବକ କେନାଲ ମାଧ୍ୟମରେ ଛଡା ଯାଇ ଚାଷୀଙ୍କ କାମରେ ବିନିଯୋଗ କରାଯାଇ ପାରିବ ବୋଲି ଦୂରଦୃଷ୍ଟି ରଖାଯାଇପାରିବ।ନଦୀ ସଂଯୋଗୀ କରଣ ଦ୍ଵାରା ଯେଉଁ ଭିତ୍ତିଭୂମି ସୃଷ୍ଟି ହେବ ତାହାକୁ ଆଧୁନିକତାର ସ୍ପର୍ଶ ଦିଆଯାଇ ଟେକ୍ନୋଲୋଜି ବ୍ୟବହାର କରାଯାଇ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ  ନୂତନ ଦିଶା ଦେଖାଇଲେ ଅର୍ଥନୈତକ କ୍ଷେତ୍ରରେ ଜିଲ୍ଲାର ଉନ୍ନତି ହେବ ବୋଲି ଆଶା କରାଯାଇପାରେ!
ଜିଲ୍ଲା ଉପରୁ ଶିଳ୍ପ ବିହୀନ ଜିଲ୍ଲାର ଟ୍ୟାଗ୍ ହଟିବ ବୋଲି ଆଶା ସଞ୍ଚାରିତ ହୋଇଥିବା ବେଳେ ,ଏହାକୁ ଆଉ ସ୍ବପ୍ନ ନଭାବି ବାସ୍ତବରେ ଆଶା ପୂରଣ ହେଇଛି ବୋଲି ଯଦି ଗ୍ରହଣ କରାଯାଏ ତେବେ  ଜିଲ୍ଲାରେ ଶିଳ୍ପ କାର୍ଯ୍ୟ  ଗଢି ଉଠିଲେ ସ୍ଥାନୀୟ ବା କେନ୍ଦ୍ରାପଡ଼ା ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଦିଆଯାଇ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ମିଳିଲେ ଜିଲ୍ଲାର ଅର୍ଥନୈତକ ଅଗ୍ରଗତି ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ମୋଟାମୋଟି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଗଠନର ଦୀର୍ଘ ତିନି ଦଶନ୍ଧି ଅତିକ୍ରମ କରିଯାଇଥିଲେ ବି ଜିଲ୍ଲାର ବିକାଶ ଦିଗରେ ପ୍ରଶାସନ ଠାରୁ ପ୍ରଶାସକ ରାଜନୀତି ଠାରୁ ରାଜନେତା ସମସ୍ତେ ଜିଲ୍ଲାବାସୀ ଙ୍କୁ ବିକାଶର ସ୍ବପ୍ନ ଦେଖାଇବାରେ ହିଁ ସୀମିତ ରହି ଯାଇଛନ୍ତି ।

@ଉତ୍କଳ କେଶରୀ ପାହଡସିଂ, District Correspondence, Suryaprava Digital