ସୁକିନ୍ଦା ବିଧାନସଭା: ନିର୍ବାଚନ ପୂର୍ବ ମାରାଥନ ଦୌଡ଼ରେ ବିଜେଡ଼ି-ବିଜେପି ଆଗରେ; ପଛରେ କଂଗ୍ରେସ
ଯାଜପୁର: ଖଣିଖାଦାନ ଓ ଶିଳ୍ପ ସମୃଦ୍ଧରେ ବିଭବତା ସାଜିଥିବା ନିର୍ବାଚନ ମଣ୍ଡଳୀ ହେଉଛି ସୁକିନ୍ଦା । ଏହି ନିର୍ବାଚନ ମଣ୍ଡଳୀ ଉପରେ
ଶାସକ ଏବଂ ବିରୋଧୀ ଦଳର ସବୁ ବେଳେ ନଜର ଥାଏ । କିନ୍ତୁ ଯଦି ଦେଖିବା ଏଠି ଘଡ଼ାଇ ପରିବାର ଦବଦବା ଜାହିର କରି ଆସୁଛନ୍ତି । ସିନିୟର ଘଡ଼ାଇ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ ଚନ୍ଦ୍ର ଘଡ଼ାଇ ସୁକିନ୍ଦା ଭଳି କଂଗ୍ରେସ ଗଡ଼ରେ ଅଣ କଂଗ୍ରେସ ପତାକା ଉଡ଼ାଇବା ପରଠାରୁ କଂଗ୍ରେସ ଧିରେ ଧିରେ ସତ୍ତା ହରାଇ ବସିଛି । ବଦଳୁଥିବା ରାଜନୈତିକ ପାଣିପାଗରୁ ଫାଇଦା ଉଠାଇବାକୁ ବିଜେପି ପକ୍ଷରୁ ଉଦ୍ୟମ କରାଯାଉଛି । ସିନିୟର ଘଡ଼ାଇଙ୍କ ସ୍ଥାନରେ ସୁକିନ୍ଦାରୁ ପ୍ରତିନିଧିତ୍ୱ କରୁଥିବା ଜୁନିୟର ଘଡ଼ାଇ ତଥା ତାଙ୍କ ସୁୁପୁତ୍ର ପ୍ରୀତିରଂଜନ ଘଡ଼ାଇଙ୍କୁ ତୃତୀୟଥର ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରଦୀପ ବଳସାମନ୍ତଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରିଛି । ନିର୍ବାଚନ ପୂର୍ବ ମାରାଥନ ଦୈାଡ଼ରେ ବିଜେଡ଼ି ଏବଂ ବିଜେପି ଆଗରେ ଚାଲିଥିବା ବେଳେ କଂଗ୍ରେସ ପୁରା ପଛରେ ପଡ଼ିଯାଇଛି । ସୁକିନ୍ଦା ନିର୍ବାଚନ ଲଢି ବାରମ୍ବାର ପରାଜୟ ମୁହଁ ଦେଖୁଥିବା ଶରତ ରାଉତ୍ ଆଉ ନିର୍ବାଚନ ଲଢିବା ସପକ୍ଷରେ ନଥିଲେ ହେଁ ଦଳ ଯାହାକୁ ପ୍ରାର୍ଥୀ କରୁ ନା କାହିଁକି ତାଙ୍କ ସୁପାରିଶ୍ ହିଁ ଚୟନର ମାପଦଣ୍ଡ ହେବ । କିନ୍ତୁ ପ୍ରାର୍ଥୀ ଚୟନରେ ବିଳମ୍ବ ଉକ୍ତଦଳର କର୍ମୀଙ୍କୁ ହତୋସôାହିତ କରିଥିବା ବେଳେ ଏହାର ଫାଇଦା ବିଜେଡ଼ି ଏବଂ ବିଜେପି ଉଠାଇବାରେ ଲାଗିଛି । ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ସୁକିନ୍ଦାରେ ଉଭୟ ବିଜେଡ଼ି ଏବଂ ବିଜେପିରେ ଚାଲିଥିବା ମିଶ୍ରଣ ପର୍ବରେ କଂଗ୍ରେସ କର୍ମୀ ଏବଂ ସମର୍ଥକ ସାମିଲ ହେଉଥିବାର କଥା କୁହାଯିବାରେ ଲାଗିଛି । ଯଦି ଏହା ସତ ହୋଇଥାଏ ତେବେ ସୁକିନ୍ଦାରେ କଂଗ୍ରେସ ସଂକୁଚିତ ହୋଇଯାଉଛି ବୋଲି ଧରି ନିଆଯିବ । ଆଉ ୨୦୧୯ ନିର୍ବାଚନରେ କଂଗ୍ରେସକୁ ଯେଉଁ ସମର୍ଥନ ମିିଳିଥିଲା, ତାହା ୨୦୨୪ରେ କମିଯିବ । କଂଗ୍ରେସର ଦୟନୀୟ ସ୍ଥିତି ପାଇଁ ମଙ୍ଗଧରି ଆସିଥିବା ନେତା ଶରତ ରାଉତଙ୍କୁ ଅନେକ ଦାୟୀ କରୁଥିବା ବେଳେ ଶରତ କିନ୍ତୁ ଏହାକୁ ଗ୍ରହଣ କରନ୍ତିନି । ତେବେ ସେ ଯାହା ହେଉ ବିଗତ ନିର୍ବାଚନରେ ଶାସକ ବିଜେଡ଼ିକୁ କଡ଼ା ମୁକାବିଲା ଦେଇ ଆସୁଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଖସିଯାଇଥିବା ବେଳେ ବିଜେପି ଉପରକୁ ଉଠି ଯାଇଛି । ବିଜେପି ନେତା ପ୍ରଦୀପ ବଳ ସାମନ୍ତ ‘ଯେ ପର୍ଯ୍ୟନ୍ତ ବିଜୟ ନାହିଁ ସେ ପର୍ଯ୍ୟନ୍ତ ବିଶ୍ରାମ ନାହିଁ’ ନାରା ଦେଇ ନିର୍ବାଚନ ମଇଦାକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଲାଇଥିବା ବେଳେ ସୁକିନ୍ଦାରେ ପଦ୍ମ ଫୁଟେଇ ନଦେବା ପାଇଁ ଉଭୟ ସିନିୟର ଏବଂ ଜୁନିୟର ଘଡ଼ାଇ ପୁରାଦମରେ ଲାଗିବା ଆରମ୍ଭ କରି ଦେଇଛନ୍ତି । ପଞ୍ଚାୟତ ସ୍ତରୀୟ କମିଟି ହେଉ କି ୱାର୍ଡ଼ସ୍ତରୀୟ କମିଟି ଗଠନ ସହ ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତାଙ୍କୁ ଭୋଟରଙ୍କ ମୁହାଁ କଲେଣି । ନିର୍ବାଚନ ଯେତିକି ପାଖେଇ ଆସିବ ବିଜେଡ଼ି ଏବଂ ବିଜେପିର ଦୌଡ଼ ପ୍ରତିଯୋଗୀତା ସେତିକି ତିବ୍ରତର ହେବ । କଂଗ୍ରେସକୁ ପଛରେ ପକାଇ ଦେଇଥିବା ବିଜେପି ବିଜେଡ଼ି ଗଡ଼ ଦଖଲ କରିବା ଲକ୍ଷ୍ୟରେ ଦୈାଡ଼ୁଥିବା ବେଳେ ବିଜେଡ଼ି ପୁଣିଥରେ ଜମ୍ପମାରିବା ଲକ୍ଷରେ ରହିଛି । ଯଦି ରାଜନୈତିକ ଦୃଶ୍ୟପଟକୁ ଦେଖାଯାଏ, ତେବେ ଘଡ଼ାଇ ପରିବାର ହିଁ ସର୍ବାଧିକ ସମୟ ସୁକିନ୍ଦାବାସୀଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି । ଇତିହାସ କହୁଛି ସିନିୟର ଘଡ଼ାଇ ସତୁରୀ ଦଶକ ପୂର୍ବରୁ କଂଗ୍ରେସ ଦଳରୁ ରାଜନୈତିକ ଜୀବନ ଆରମ୍ଭ କରି ସେତେବେଳେର ପୂର୍ବ ଯାଜପୁର ବା ଏବେକାର କୋରେଇ ନିର୍ବାଚନ ମଣ୍ଡଳୀରୁ ୨ଥର ବିଜୟୀ ହେବା ପରେ ନବେ ଦଶକ ପୂର୍ବରୁ ସୁକିନ୍ଦାରେ ଅଣ କଂଗ୍ରେସ ରାଜନୀତି ଆରମ୍ଭ କରିଥିଲେ । ଜନ କଂଗ୍ରେସରୁ କଂଗ୍ରେସ ପରେ ଅଣ କଂଗ୍ରେସରେ ପ୍ରବେଶ କରିବା ପରେ ସୁକିନ୍ଦାରୁ ଲଗାତାର ଭାବେ ୫ ଥର ବିଜୟୀ ହୋଇ ଏକ ରେକର୍ଡ଼ କରିଛନ୍ତି । ବିରୋଧୀଙ୍କୁ ଆପଣାଇବାର ତରିକା ଏବଂ ସାଂଗଠିନିକ ଦକ୍ଷତା ଯୋଗୁ ନିଜର ଅଣକଂଗ୍ରେସ ଭୋଟ ବ୍ୟାଙ୍କ୍ ସୃଷ୍ଟି କରିପାରିଥିବା ଘଡ଼ାଇ ୧୯୯୦, ୧୯୯୫ ରେ ଜନତା, ୨୦୦୦,୨୦୦୪ ଓ ୨୦୦୯ରେ ବିଜେଡ଼ି ଦଳରୁ ବିଜୟୀ ହୋଇଥିଲେ । କିନ୍ତୁ ଏଥିପୂର୍ବରୁ ସିନିୟର ଘଡ଼ାଇ ୧୯୮୦ ଓ ୧୯୮୫ ନିର୍ବାଚନରେ ସ୍ୱାଧୀନ ଓ ଜନତା ପାର୍ଟିରୁ ଲଢିଥିଲେ ହେଁ କଂଗ୍ରେସ ଦଳର ଶରତ ରାଉତଙ୍କ ଠାରୁ ହାରିଯାଇଥିଲେ । ୨୦୧୪ ଏବଂ ୨୦୧୯ରେ ଶରତ ଜୁନିୟର ଘଡ଼ାଇଙ୍କ ଠାରୁ ହାରିଯିବା ପରେ ଆଉ ନିର୍ବାଚନ ନଲଢିବାର ଘୋଷଣା କରିଥିଲେ ।