ଦେବୀଙ୍କୁ ଅଟକାଇ ପାରିବେ କି ଦେବାଶିଷ

ଦେବୀଙ୍କୁ ଅଟକାଇ ପାରିବେ କି ଦେବାଶିଷ

ଭୁବନେଶ୍ୱର: ବାଙ୍କୀରେ ବିଜେଡ଼ିର ସ୍ଥିତି ମଜବୁତ ଥିବାବେଳେ ଦେବୀ ରଞ୍ଜନ ତ୍ରିପାଠୀଙ୍କର ମଜବୁତ ସଂଗଠନ ରହିଛି । ଦେବୀଙ୍କୁ ଅଟକାଇବା ପାଇଁ କଂଗ୍ରେସରୁ ଦେବାଶିଷ ପଟ୍ଟନାୟକ ମଇଦାନକୁ ଓହ୍ଲାଇଥିବାବେଳେ ବିଜେପି ପ୍ରାର୍ଥୀ ହୋଇଛନ୍ତି ତୁଷାର ଚକ୍ରବର୍ତ୍ତୀ । ୧୯୯୫ରେ ପ୍ରଥମ ଥର ପାଇଁ ବାଙ୍କୀ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ ପ୍ରଭାତ ତ୍ରିପାଠୀ । ବିଜୁ ଜନତା ଦଳ ଗଢ଼ାହେବା ପରେ ତାଙ୍କ ସ୍ଥିତି ଆହୁରି ମଜବୁତ ହୋଇଯାଇଥିଲା । ବାଙ୍କୀରୁ ସେ ୨୦୦୦, ୨୦୦୯ ଓ ୨୦୧୪ରେ ବାଜିମାତ କରିଥିଲେ । ତେବେ ୨୦୦୪ରେ ତାଙ୍କୁ ବ୍ରେକ୍ ଦେବାରେ ସଫଳ ହୋଇଥିଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ପ୍ରଭାତଙ୍କର ଯେଭଳି ବିଜେଡ଼ିର ଦବଦବା ଥିଲା ଠିକ ସେହିଭଳି କଂଗ୍ରେସରେ ମଧ୍ୟ ଦେବାଶିଷଙ୍କର ଦବଦବା ଦେଖିବାକୁ ମିଳିଥାଏ । ୨୦୧୯ରେ କିନ୍ତୁ ବିଜେଡ଼ି ଆଉ ପ୍ରଭାତଙ୍କୁ ଟିକେଟ ଦେଇନଥିଲା । ଚିଟଫଣ୍ଡ ମାମଲାରେ ଫସି ଯାଇଥିବାରୁ ପ୍ରଭାତଙ୍କ ବଦଳରେ ବାଙ୍କୀରୁ ପ୍ରଥମ ନିର୍ବାଚନ ଲଢ଼ିଥିଲେ ଦେବୀ ରଞ୍ଜନ ତ୍ରିପାଠୀ । ବାପାଙ୍କ ସଂଗଠନ ବଳରେ ଦେବୀ ବିଧାୟକ ହେବା ପରେ ବିଜେଡ଼ି ରାଜନୀତିରେ ପତିଆରା ଜାହିର କରି ଆସୁଛନ୍ତି । ଏବେ ଛାତ୍ର ସଂଗଠନର ନେତୃତ୍ୱ ନେଉଥିବା ଦେବୀ ବାଙ୍କୀ ପାଇଁ ନିଜେ ହିଁ ରଣନୀତି କରୁଛନ୍ତି । ଦେବୀ ଧିରେଧିରେ ବାଙ୍କୀରେ ନିଜର ଚେର ମଜବୁତ କରିଚାଲିଛନ୍ତି । ଅପରପକ୍ଷରେ ବହୁଦିନ ପରେ ବିଧାନସଭା ଯିବା ପାଇଁ ଦେବାଶିଷ ବି ହରଦମ ପ୍ରୟାସ କରୁଛନ୍ତି । ବିଜେଡ଼ି ଓ କଂଗ୍ରେସ ଲଢ଼େଇ ଭିତରେ ବିଜେପି ଏବେ ପ୍ରମୁଖ ଶକ୍ତିଭାବେ ଉଭା ହୋଇସାରିଛି । ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ଦଳ ଟିକେଟ ଦେଇଛି । ବାରଙ୍ଗ ଅଞ୍ଚଳରେ ତାଙ୍କର ଢ଼େର ପ୍ରଭାବ ରହିଛି ।ତେବେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ନିଜ ଦଳରେ ହିଁ ବିରୋଧର ସାମ୍ନା କରିବାକୁ ପଡୁଛି । ଦେବାଶିଷଙ୍କୁ ଏବେ ସ୍ମୃତିରଞ୍ଜନ ଲେଙ୍କା ବିରୋଧ କରୁଥିବାବେଳେ ତୁଷାରଙ୍କୁ ଅନ୍ୟ ଆଶାୟୀ ବିଜେପି ନେତାମାନେ ବିରୋଧ କରୁଥିବା ଦେଖିବାକୁ ମିଳୁଛି । ବିଶେଷକରି ବାଙ୍କୀରୁ ପୂର୍ବରୁ ବିଜେପି ଟିକେଟରେ ଲଢ଼ିଥିବା ଶୁଭ୍ରାଂଶୁ ମୋହନ ପାଢ଼ୀ, ସୁବଳ ବେହେରା ଓ ଅଜୟ ସ୍ୱାଇଁ ସହଯୋଗ କରୁନାହାନ୍ତି । ଫଳରେ ତୁଷାରଙ୍କ ଟେନସନ ବଢ଼ିଯାଇଛି । ବିରୋଧୀ ଦଳରେ ଫାଟ ଦେବୀଙ୍କୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି ।