ହିଞ୍ଜିଳିରେ ପୁଣି ନବୀନଙ୍କ ସହଜ ବିଜୟ               

ହିଞ୍ଜିଳିରେ ପୁଣି ନବୀନଙ୍କ ସହଜ ବିଜୟ               

( ହିଞ୍ଜିଳିକାଟୁ ) ୪ା୪: ହିଞ୍ଜିଳିରେ ବିଜେଡି ପକ୍ଷରୁ ୬ଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ବିଜେପି ପକ୍ଷରୁ ସ୍ୱର୍ଗତ ଶରତ ମିଶ୍ରଙ୍କ ଭାଇ ଶିଶିର ମିଶ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ରାଜ୍ୟ ବିଜେପି । ଯାହାକୁ ନେଇ  ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ଆଇନଜୀବୀ ରଜନୀକାନ୍ତ ପାଢି ବିରୋଧ ଆରମ୍ଭ କରିଦେଇଛନ୍ତି  । କଂଗ୍ରେସ ପକ୍ଷରୁ ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ଘୋଷଣା ହୋଇନଥିବାରୁ କର୍ମୀମାନେ ହତାଶ ହୋଇଯାଇଛନ୍ତି । ୨୦୦୦ରୁ ନବୀନ ବହୁ ଭୋଟରେ ଜିତି ଆସୁଥିବାରୁ ଲଢ଼େଇ ପାଇଁ ଉଭୟ ଦଳରେ ଆଗ୍ରହ ଥିବା ଦେଖିବାକୁ ମିଳୁନାହିଁ  ।
ଏକଦା ହିଞ୍ଜିଳି ଥିଲା କଂଗ୍ରେସର ଗଡ  । କିନ୍ତୁ ଏବେ ଏହା ନବୀନଙ୍କ ଗଡ଼ରେ ପରିଣତ ହୋଇଛି  ।  ଗତ ୨୦୦୦ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ଲଢି ଆସୁଛନ୍ତି ଓ ଜିତୁଛନ୍ତି  । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୧୯୭୧ ମସିହାରେ ସ୍ୱର୍ଗତ ବୃନ୍ଦାବନ ନାୟକ ଉକ୍ରଳ କଂଗ୍ରେସରୁ ୧୪ ହଜାର ୬୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୧୯୭୪ ମସିହାରେ ପୁଣିଥରେ ଉକ୍ରଳ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨୩ହଜାର ୯୫୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ,୧୯୭୭ ମସିହାରେ ଇଣ୍ଡିଆନ ନେସନାଲ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨୪ହଜାର ୫୬୦ ଭୋଟ ପାଇ ବିଜୟୀ ହୋଇଥିଲେ । ୧୯୮୦ ମସିହାରେ ଜନତା ପାର୍ଟି ଏସ ପକ୍ଷରୁ ପ୍ରାର୍ଥୀ ହୋଇ ୨୪ହଜାର ୮୨୨ ଖଣ୍ଡ ଭୋଟ ପାଇ ହିଞ୍ଜିଳିରେ ନିଜର ଗଡ ବଜାଇ ରଖିବାରେ ସଫଳ ହୋଇଥିଲେ । ବୃନ୍ଦାବନ ନାୟକଙ୍କ ପରେ ତାଙ୍କ ଦୟାଦ ହିସାବରେ ଇଣ୍ଡିଆନ ନେସନାଲ କଂଗ୍ରେସ ପକ୍ଷରୁ ପ୍ରଥମଥର ୧୯୮୫ ମସିହାରେ ପ୍ରାର୍ଥୀ ହୋଇ ଉଦୟନାଥ ନାୟକ ୩୪ହଜାର ୭୫୫ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିଲେ । ୧୯୯୦ ମସିହାରେ ଏନଏସି ହାଇସ୍କୁଲ ଶିକ୍ଷକ ଭାବେ ପ୍ରତିଷ୍ଠିତ ହରିହର ସାହୁ ଉଦୟନାଥ ନାୟକଙ୍କୁ ହରାଇ ୩୨ହଜାର ୮୮୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୧୯୯୫ରେ ପୁଣି ଉଦୟନାଥ ନାୟକ ଇଣ୍ଡିଆନ ନେସନାଲ କଂଗ୍ରେସ ରୁ ୪୭ ହଜାର ୯୪୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଗଡ ବଜାଇ ରଖିବାରେ ସଫଳ ହୋଇଥିଲେ । ୧୯୯୭ ମସିହାରେ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଦେହାନ୍ତ ପରେ ଆସିକା ଲୋକସଭା ସାଂସଦ ଭାବେ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ପାଦ ଥାପି ଜନତା ପାର୍ଟିରୁ ବିଜୟୀ ହୋଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । 
 ୨୦୦୦ରେ ନବୀନ ହିଞ୍ଜିଳିରୁ ପ୍ରଥମ ଥର ଲଢ଼ି ୫୬ ହଜାର ୨୪୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ଉଦୟନାଥ ନାୟକଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୪ରେ ଦ୍ୱିତୀୟ ଥର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ୬୨ ହଜାର ୯୬୮ ଖଣ୍ଡ ଭୋଟ ପାଇ ବିଜୟୀ ହେବା ସହ ପୁଣି କଂଗ୍ରେସ ପ୍ରାର୍ଥୀ ଉଦୟନାଥ ନାୟକଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ  ।  ଏହିପରି ଭାବେ ନବୀନ ୨୦୦୯, ୨୦୧୪, ୨୦୧୯ରେ ମଧ୍ୟ ବହୁ ଭୋଟରେ ବାଜିମାତ କରିଛନ୍ତି  ।
୨୦୧୯ ପରଠାରୁ କଂଗ୍ରେସର ଶମ୍ଭୁ ପାଣିଗ୍ରାହୀଙ୍କୁ ହିଞ୍ଜିଳିରେ ଦେଖିବାକୁ ମିଳୁନାହିଁ ।  ହିଞ୍ଜିଳିରେ ବିରୋଧୀ ଶୂନ ହୋଇପଡ଼ିଥିବା କହିଲେ ଭୁଲ ହେବନାହିଁ । ତେବେ ବିଜେପିର ଶକ୍ତି ବଢ଼ିଥିବା ଦେଖିବାକୁ ମିଳିଛି  । ଗତ ମୁନିସପାଲଟି ନିର୍ବାଚନରେ ବିଜେପିରୁ ସନ୍ତୋଷ କୁମାର ପାଣିଗ୍ରାହୀ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଲଢି ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ପଲେଈ ଠାରୁ ମାତ୍ର ୧୬୦୦ ଭୋଟରେ ପରାଜୟ ହୋଇ ସମସ୍ତଙ୍କୁ ଚକିତ କରିଥିଲେ । ହିଞ୍ଜିଳିରୁ ଶିଶିର ମିଶ୍ର ବିଜେପି ପ୍ରାର୍ଥୀ ଘୋଷଣା ପରେ ଦଳରେ ଅସନ୍ତୋଷ ବଢ଼ିବା ଆରମ୍ଭ କଲାଣି  । ଯାହାକି ବିଜେଡ଼ିକୁ ସୁହାଇବ  । ନବୀନ ପଟ୍ଟନାୟକ ଷଷ୍ଠ ଥର ମଧ୍ୟ ହିଞ୍ଜିଳିରୁ ବିଜୟୀ ହେଇ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସ୍ପଷ୍ଟ ଜଣାପଡ଼ିଛି ।