ଦେବାଶିଷ-ନିମାଁଇ ହେବେ ନିର୍ଣ୍ଣାୟକ; ବିଜେଡ଼ିର ସ୍ଥିତି ବଜାୟ ରଖିପାରିବେ ତ ବିଶ୍ୱ?
ବରୀକୁ ସ୍ୱାଧୀନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ବୋଲି କୁହାଯାଏ । ଏନ୍ତୁଡ଼ିଶାଳର ଭୋଟର ପାଞ୍ଚ ଦଶନ୍ଧୀ ଧରି ଅନେକଙ୍କୁ ନିର୍ବାଚିତ କରି ପଠାଇଛନ୍ତି ପବିତ୍ର ବିଧାନସଭାକୁ । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଥିବା ଭୋଟର ୨୪ ନିର୍ବାଚନରେ ମଧ୍ୟ ନିଜର ଜନପ୍ରତିନିଧିଙ୍କୁ ବାଛିବାକୁ ଯାଉଛନ୍ତି । ବରୀବାସୀଙ୍କ ସେବା କରିବା ପାଇଁ ୮ଜଣ ପ୍ରତିଦ୍ୱନ୍ଦି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଯେଉଁ ମାନଙ୍କ ମଧ୍ୟରେ ବିଜେଡ଼ିର ବିଶ୍ୱରଞ୍ଜନ ମଲିକ, ବିଜେପିର ଉମେଶ ଜେନା, କଂଗ୍ରେସର ଦେବାଶିଷ ନାୟକ, ବହୁଜନ ସମାଜପାର୍ଟିର ଅଶୋକ କୁମାର ବେହେରା, ଜନତାଦରବାର ପାର୍ଟିର ଅଜୟ ଧଳ, ଆମ୍ୱେଦକରାଇଟ୍ ପାର୍ଟି ଅଫ ଇଣ୍ଡିଆବେନାଜିର ଖାତୁନ, ସ୍ୱାଧୀନ କବିର ଦାସ ଓ ନିମାଇଁ ଚରଣ ରାୟ ରହିଛନ୍ତି ।
ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ୨୨୪୩୫୯ ଭୋଟର ସେମାନଙ୍କ ଜନପ୍ରତିନିଧି ଜୁନ ୧ତାରିଖରେ ବାଛିବା ପୂର୍ବକ ମତଦାନ କରିବେ । ଯାଜପୁର ଜିଲାର ସବୁଠାରୁ ସମ୍ଭେଦନଶୀଳ ନିର୍ବାଚନମଣ୍ଡଳୀ ଭାବେ ବିବେଚିତ ହେଉଥିବା ବରୀ ଭୋଟର ଜନପ୍ରତିନିଧି ବାଛିବାରେ ଭଲ-ମନ୍ଦକୁ ତଉଲି ଥାନ୍ତି । ଏଥର କାହାକୁ ନିର୍ବାଚିତ କରିବେ ତାହା ଏବେଠାରୁ ମାପିବା ସହଜ ହୋଇନଥିଲେ ହେଁ ବର୍ତ୍ତମାନର ପାଣିପାଗ ଯାହା ବିଜୁ ଜନତା ଦଳ ଅନ୍ୟମାନଙ୍କ ଠାରୁ ନିର୍ବାଚନ ପ୍ରଚାର ଦୌଡ଼ରେ ଆଗରେ ରହିଥିବା ବେଳେ ବିଜେପି ପ୍ରଚାରକୁ ବ୍ୟାପକ କରିବାକୁ ଲାଗିପଡ଼ିଛି । ବିଜେଡ଼ି-ବିଜେପି ମଧ୍ୟରେ ଲଢେଇ ହେବ ବୋଲି ସବୁଆଡ଼େ ଚର୍ଚ୍ଚା ହେଉଥିଲେ ହେଁ କଂଗ୍ରେସର ଦେବାଶିଷ ନାୟକ ଏବଂ ସ୍ୱାଧୀନ ନିମାଁଇ ଚରଣ ରାୟଙ୍କ କଥା ମଧ୍ୟ ଉଠୁଛି । ଦେବାଶଷ ଏବଂ ନିମାଁଇ ବିଜେଡ଼ି-ବିଜେପି ଲଢେଇରେ ନିର୍ଣ୍ଣାୟକ ହେବେ ବୋଲି ରାଜନୈତିକ ମହଲ ଆଳକନ କରୁଛି । ଦେବାଶିଷ ନାୟକ ରାଜନୀତିରେ ସମସ୍ତଙ୍କ ଠାରୁ ଅଭିଜ୍ଞ । ବିଜୁ ଜନତା ଦଳରୁ ରାଜନୀତି ଆରମ୍ଭ କରି ଦେବାଶିଷ ବରୀବାସୀଙ୍କ ଆଶୀର୍ବାଦରେ ୪ଥର ନିର୍ବାଚିତ ହୋଇଛନ୍ତି । ୨୦୦୦ ମସିହାରୁ ଆରମ୍ଭ କରି ୨୦୧୪ ଯାଏ ଅନୁଷ୍ଠିତ ନିର୍ବାଚନରେ ବିଜେଡ଼ିରୁ ପ୍ରାର୍ଥୀ ହୋଇ ଦେବାଶିଷ ବିଧାୟକ ହେବା ସହ ବରୀର ଅନେକ ବିକାଶ ମୂଳକ କାର୍ଯ୍ୟ କରିବାକୁ ସମର୍ଥ ହୋଇଥିଲେ । ହେଲେ ୨୦୧୯ରେ ଦଳ ତାଙ୍କ ବଦଳରେ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଥିଲା । ପାଞ୍ଚବର୍ଷ ନିରବ ବସିଥିବା ଦେବାଶିଷ ବର୍ଷକ ତଳୁ ନିର୍ବାଚନ ଲଢିବାକୁ ଆଗଭର ହୋଇଥିଲେ । ବିଜେଡ଼ି ଟିକେଟ ଦେବନି ଭଲ ଭାବେ ବୁଝିଥିବା ଦେବାଶିଷ ବିଜେପିରେ ଯୋଗ ଦେଇଥିଲେ । ହେଲେ ବିଜେପି ଉମେଶଙ୍କୁ ପ୍ରାର୍ଥୀ କରିବା ପରେ ସେ କଂଗ୍ରେସର ଯୋଗ ଦେଇ ଟିକେଟ ହାତେଇଥିଲେ । କଂଗ୍ରେସ ପ୍ରାର୍ଥୀ ଦେବାଶିଷ ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଭୋଟରଙ୍କୁ ଭେଟି ତାଙ୍କ ସମୟରେ କରିଥିବା କାର୍ଯ୍ୟ ମନେ ପକାଇ ଭୋଟ ମାଗୁଛନ୍ତି । ବିଜୁ ଜନତା ଦଳରୁ ବିଜେପି ଏବଂ କଂଗ୍ରେସ ହୋଇଥିବା ଦେବାଶିଷ ରାଜନୀତିରେ ଅଭିଜ୍ଞ ସହ ବିଚକ୍ଷଣ ମଧ୍ୟ । ବରୀର ପାଣିପବନ ସହ ଜଡ଼ିତ ଦେବାଶିଷ କଂଗ୍ରେସ ଭୋଟ ସହ ବିଜେଡ଼ି ଭୋଟ ହାତେଇବା ଲକ୍ଷ୍ୟରେ ରହିଛନ୍ତି ।
ବରୀରେ ଦେବାଶିଷ ଅନେକଙ୍କ ସହ ବ୍ୟକ୍ତିଗତ ସ୍ତରରେ ବନ୍ଧୁତା ରଖିଆସିଛନ୍ତି । ଯେଉଁମାନଙ୍କ ଉପରେ ତାଙ୍କର ଭରସା ରହିଛି । ସେହି ଭରସାରେ ଦେବାଶିଷ ବରୀରେ ଚକମା ଦେଖାଇବା ଲକ୍ଷ୍ୟରେ ରହିଛନ୍ତି । କିନ୍ତୁ କଂଗ୍ରେସ ଭୋଟ ହାର ୪ରୁ ୫ ପ୍ରତିଶତ ରହିଥିବାରୁ ଲକ୍ଷ୍ୟ ସାଧନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କିନ୍ତୁ ଧୁରନ୍ଧର ଦେବାଶିଷ ବିଜେଡ଼ି ଓ ବିଜେପି ଲଢେଇରେ ନିର୍ଣ୍ଣାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦେବାଶିଷଙ୍କ ପରି ନିମାଁଇ ମଧ୍ୟ ବିଜେଡ଼ି-ବିଜେପି ଲଢେଇରେ ନିର୍ଣ୍ଣାୟକ ହେବାକୁ ଯାଉଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଚାଷୀ ନେତା ନିମାଁଇ ନାମାଙ୍କନପତ୍ର ଦାଖଲ ସମୟରେ ଯେଉଁ ଭଳି ପ୍ରଦର୍ଶନ କରିଥିଲେ ତାହା ବରୀରେ ବେଶ ଆଲୋଚନାର ବିଷୟ ହୋଇଥିଲା । ହଳଲଙ୍ଗଳ ଧରି ଶୋଭାଯାତ୍ରା କରି ସେ ଚାଷୀପୁଅ ଚାଷୀଙ୍କ ପାଇଁ ଲଢୁଛନ୍ତି ବୋଲି ବାର୍ତ୍ତା ଦେଇଥିଲେ । ଏବେ ବିଭିନ୍ନ ଗାଁ ଗଣ୍ଡା ବୁଲି ପ୍ରାକୃତିକ ବିପର୍ଯ୍ୟକୁ ସମ୍ମୁଖିନ ହେଉଥିବା ବରୀବାସୀଙ୍କ ସେବା କରିବା ସହ ଚାଷୀଙ୍କ ହକ ପୂରଣର ପ୍ରତିଶ୍ରୁତି ଦେଇ ଭୋଟରଙ୍କ ଦ୍ୱାରସ୍ଥ ହେଉଛନ୍ତି । ଯାହା ଭୋଟରଙ୍କ ମନକୁ ଛୁଇଁ ପାରୁଛି । ମତଦାତା କେତେ ମତଦାନ କରିବେ ତାହାତ ସମୟ କହିବ କିନ୍ତୁ ନିମାଁଇ ଉଭୟ ବିଜେଡ଼ି ଏବଂ ବିଜେପି ପ୍ରାର୍ଥୀଙ୍କ ପାଇଁ ଚିନ୍ତାର କାରଣ ହେବାକୁ ଯାଉଛନ୍ତି । ବିଜେପିର ଉମେଶ ଜେନା ମୋଦିଙ୍କ ଗ୍ୟାରେଣ୍ଟି ଧରି ଭୋଟରଙ୍କୁ ଭେଟିବା ସହ ବିଜେଡ଼ି ଗଡ଼କୁ ଦୋହଲାଇବା ପାଇଁ ପ୍ରାଣମୂର୍ଚା ଚେଷ୍ଟା ଚଲାଇଛନ୍ତି । ବରୀ ବିଜେଡ଼ିର ଅସନ୍ତୁଷ୍ଟଙ୍କୁ ସାମିଲ କରିବା ପାଇଁ ଗୋଟି ଚଲାଇ କେତେକାଂଶରେ ସଫଳ ହେଲେଣି । ରମ୍ପା ପଞ୍ଚାୟତର ମାନସ ଜେନା ହୁଅନ୍ତୁ କି ଅରଙ୍ଗାବାଦର ପୂର୍ବତନ ସରପଞ୍ଚ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଳମଣି ସାମଲ କିମ୍ବା ରସୁଲପୁର ବ୍ଳକ ଅନ୍ତର୍ଗତ ଅତଲାପୁର ପୂର୍ବତନ ସରପଞ୍ଚ ପ୍ରଫୁଲ ସାହୁଙ୍କ ସମେତ ପ୍ରଦୀପ ଦାସ ଏବଂ ଏକାଧିକ ବିଜେଡ଼ି ସମର୍ଥକଙ୍କୁ ପାଖକୁ ଆଣି ବରୀରେ ବିଜେପିର ମାହୋଲ ସୃଷ୍ଟି କରିବାକୁ ଲାଗିଛନ୍ତି । ୨୦୧୯ରେ କଂଗ୍ରେସରୁ ଲଢି ୭ହଜାର ଭୋଟ ପାଇଥିବା ଉମେଶ ବିଜେପି ୧୯ରେ ପାଇଥିବା ଭୋଟକୁ କରାୟତ କରିବାକୁ ଲାଗିପଡ଼ିଛନ୍ତି । ଯଦି ଏହା ହୁଏ, ତେବେ ବରୀରେ ବିଜେଡ଼ି ଏବଂ ବିଜେଡ଼ି ମଧ୍ୟରେ ବିଗ ଫାଇଟ ହେବାଟା ଥୟ ବୋଲି କୁହାଯାଇପାରେ । ବିଜେଡ଼ିର ବିଶ୍ୱ ବରୀ ବିଜୟ ପାଇଁ ପୁରାଦମରେ ଲାଗିପଡ଼ିଛନ୍ତି । ନାମାଙ୍କନପତ୍ର ଦାଖଲ ବେଳେ କରିଥିବା ଶୋଭାଯାତ୍ରା ସମସ୍ତଙ୍କ ଠାରୁ ଥିଲା ଭିନ୍ନ ।
ସ୍ୱାଧୀନ, ବିଜେପିରୁ ୨୦୧୪-୨୦୧୯ରେ ନିର୍ବାଚନ ଲଢି ସ୍ୱଳ୍ପ ଭୋଟରେ ପରାଜିତ ହୋଇଥିବା ବିଶ୍ୱ ବିଜେଡ଼ି ହାତ ଧରିବା ପରେ ନିଜର ବଳ ବଢାଇଛନ୍ତି । ଯେଉଁ ବଳ ତାଙ୍କୁ ନିର୍ବାଚନୀ ବୈତରଣୀ ପାରି କରାଇବ ବୋଲି ଧରି ନେଇଛନ୍ତି । ହେଲେ ଅନଲକି ବୋଲି କୁହାଯାଉଥିବା ବିଶ୍ୱ ୨୪ରେ ଲକି ହେବେ ବୋଲି କୁହାଯାଉଥିଲେ ହେଁ ଟିକେଟରୁ ବଞ୍ଚିତ ରହିଥିବା ବିଧାୟୀକା ସୁନନ୍ଦା ଦାସଙ୍କ ପକେଟ ଭୋଟ ଏବଂ ଦେବାଶିଷ-ନିମାଁଙ୍କ ଭୋଟ ହାର ଉପରେ ଏହା ଅନେକାଂଶରେ ନିର୍ଭର କରୁଛି । ଭୋଟ ଆହୁରି ୧୫ଦିନ ବାକିଥିବାରୁ ବିଜେପି ହେଉ କି କଂଗ୍ରେସ କି ସ୍ୱାଧୀନ ଯେତେ ଭୋଟରଙ୍କୁ ନିଜର କରିପାରିବେ, ତାହା ବିଜେଡ଼ି ପାଇଁ ଅଡ଼ୁଆ କରିବ । ବିଶ୍ୱ ବିଜେଡ଼ିର ସ୍ଥିତି ବଜାୟ ରଖି ପାରୁଛନ୍ତି କି ନାହିଁ ତାହା ଉପରେ ରହିବ ସମସ୍ତଙ୍କ ନଜର ।