ଓଡ଼ିଶାରୁ କେହି ହେଲେନି ରାଜ୍ୟପାଳ
Govrnors from Odisha

ଭୁବନେଶ୍ୱର : ପୁଣି ଓଡ଼ିଶାରୁ ଜଣେ ରାଜ୍ୟପାଳ ହେବେବୋଲି ଚର୍ଚ୍ଚା ହେଉଥିଲା । ଏଥର ଓଡ଼ିଶାରେ ବିଜେପି ସରକାର ଗଢ଼ିଥିବାବେଳେ ୨୧ରୁ ୨୦ ଲୋକସଭା ସାଂସଦ ବି ବାଜିମାତ୍ କରିଛନ୍ତି । କେନ୍ଦ୍ରରେ ଓଡ଼ିଶାର ଧାକ୍ ବଢ଼ିଥିବାରୁ ଆଉ ଜଣେ ରାଜ୍ୟପାଳ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲେବି ଆଶା ମଉଳିଯାଇଛି । ବିଜେପି ଶାସନ କାଳରେ ପ୍ରଥମେ ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ କରାଯାଇଥିଲା । ପରେ ବିଶ୍ୱଭୂଷଣ ହରିଚନ୍ଦନ ହୋଇଥିଲେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ।
ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ୨୦୧୯ ଜୁଲାଇ ୨୪ରେ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ଗତବର୍ଷ ଫେବୃଆରୀ ୨୩ରେ ତାଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ।
ରାଜସ୍ଥାନ ରାଜ୍ୟପାଳ ଭାବେ ହରିଭାଉ କିଷନରାଓ ବାଗଡେ଼, ତେଲେଙ୍ଗାନା ରାଜ୍ୟପାଳ ଭାବେ ଜିଷ୍ଣୁଦେବ ବର୍ମା ଓ ସିକିମ ରାଜ୍ୟପାଳ ଭାବେ ଓମ୍ ପ୍ରକାଶ ମାଥୁରଙ୍କୁ ନିଯୁକ୍ତି ଦିଆଯାଇଛି । ଅପରପକ୍ଷରେ ସନ୍ତୋଷ ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେନ ଡେକାଙ୍କୁ ଛତିଶଗଡ଼, ସିଏଚ ବିଜୟଶଙ୍କରଙ୍କୁ ମେଘାଳୟ ଓ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ସେହିପରି ଆସାମ ରାଜ୍ୟପାଳଙ୍କୁ ଗୁଲାବ ଚନ୍ଦ କଟାରିଆଙ୍କୁ ପଞ୍ଜାବ ରାଜ୍ୟପାଳ, ସିକିମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମ ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି ।