କ୍ଷମତାରେ ନଥିଲେବି ଓଡ଼ିଶାର ସେବା କରିବି : ନବୀନ
ମିଛ କହି ବିଜେପି କ୍ଷମତାକୁ ଆସିଛି । ହାତୀ ଦେବି, ଘୋଡ଼ା ଦେବି କହି ଭୋଟ୍ ନେଲେ । ହେଲେ ଫଳ ଶୂନ୍ । ସେମାନେ ରଙ୍ଗ ଓ ନାମ ପରିବର୍ତ୍ତନ କରିପାରନ୍ତି, କିନ୍ତୁ ଇତିହାସ ନୁହେଁ । ବିଜେପିର ମିଛ ଓ ଅପରାଗତାକୁ ଲୋକଙ୍କ ପାଖରେ ପହଁଚାଅ । ପଦଯାତ୍ରାର ଶୁଭାରମ୍ଭ କରି ଏହି ଆହ୍ୱାନ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ୫୭ ନମ୍ବର ୱାର୍ଡରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ନବୀନ । ନବୀନ କହିଛନ୍ତିଯେ, ସେବା ସ୍ୱାଭିମାନ ବିଜେଡିର ମନ୍ତ୍ର । ବିକାଶ ହେଉଛି ବିଜେଡିର ପରିଚୟ । ବିଜେଡିର ଚବିଶ ବର୍ଷ ଶାସନରେ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେଯେ, ବିକାଶର ବିଭିନ୍ନ ମାନକରେ ଓଡିଶା ବିଜେପି ଶାସିତ ବହୁ ଡବଲ ଇଞ୍ଜିନ ରାଜ୍ୟ ଠାରୁ ଆଗରେ । ଆର୍ଥିକ ସ୍ଥିରତା ଆସିଛି, ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି ଓ ଗରିବୀ ହ୍ରାସ ପାଇ ୧୦%ରେ ପହଁଚିଛି । ବିଜେପି ସରକାର ଯୋଜନାର ନାମ ପରିବର୍ତ୍ତନକୁ କଟାକ୍ଷ କରି ଶ୍ରୀ ପଟ୍ଟନାୟକ କହିଥିଲେଯେ, ଆପଣ ରଙ୍ଗ ଓ ନାମ ବଦଳାଇପାରିବେ କିନ୍ତୁ ଇତିହାସ ବଦଳାଇପାରିବେ ନାହିଁ । ବିଜେପି ମିଛ କାହାଣୀ, ମିଛ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଛି । ୩୦୦ ୟୁନିଟ ମାଗଣା ବିଜୁଳି, ମା’ମାନଙ୍କୁ ୫୦ ହଜାର ଟଙ୍କା ଓ ୩ ହଜାର ଟଙ୍କାକୁ ଭତ୍ତା ବୃଦ୍ଧି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ । କିନ୍ତୁ ଫଳ ଶୂନ । ଏବେ ବିଜେପିର ମିଛ ଧରାପଡ଼ିଯାଇଛି । ମିଛ କହି ନିର୍ବାଚନ ଜିତିପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଦରଦାମ ଉପରେ ଲଗାମ ନାହିଁ । ମା’ମାନେ ଥାନାରେ ବି ସୁରକ୍ଷିତ ନୁହନ୍ତି । ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି । ବିଜେପି ସରକାର ଉପରେ ଲୋକ ଭରସା କରି ପାରୁନାହାନ୍ତି । ବିଜେପିର ମିଛ ପ୍ରତିଶ୍ରୁତି ଓ ସରକାରର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଶ୍ରୀ ପଟ୍ଟନାୟକ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଲେ, ଲୋକଙ୍କ ଭଲ ପାଇବା ବିଜେଡିର ସବୁଠାରୁ ବଡ଼ ଶକ୍ତି । ୨୦୨୪ ନିର୍ବାଚନରେ ବିଜେପି ସରକାରକୁ ଆସିଛି କିନ୍ତୁ ବିଜେଡି ସବୁଠାରୁ ଅଧିକ ଭୋଟ ପାଇଛି । ସେ କ୍ଷମତାରେ ଥାନ୍ତୁ ବା ନ’ଥାନ୍ତୁ ଶେଷ ପର୍ଯ୍ୟନ୍ତ ଓଡିଶା ବାସୀଙ୍କର ଓ ଓଡିଶା ମାଟିର ସେବା କରିଚାଲିବେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ଜେନା, ମେୟର ସୁଲୋଚନା ଦାଶ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇଥିଲେ ।