ଭାଇଚାରାର ଅନନ୍ୟ ପର୍ବ ବ୍ରହ୍ମବରଦା ଦୁର୍ଗାପୂଜା  ୪୯ ବର୍ଷରେ ପୂଜା,୮୯ ବର୍ଷର କର୍ତ୍ତା

 ବ୍ରହ୍ମବରଦାରୁ ନିରାକାର ବେହେରା :  ଆଗକୁ ଆସୁଛି ହିନ୍ଦୁ ଧର୍ମର ଅନ୍ୟତମ ଶ୍ରେଷ୍ଠ ଗଣପର୍ବ ଶାରଦୀୟ ଦୁର୍ଗାପୂଜା ବା ଦଶହରା । ଧରା ପୃଷ୍ଠରେ ଅବତରଣ କରିବେ ମହିଷାମର୍ଦ୍ଦିନୀ, ଦୁର୍ଗତିନାଶିନୀ, ଶକ୍ତି ପ୍ରଦାୟିନୀ ମା' ଦୁର୍ଗା । ସେଥିପାଇଁ ଏବେଠାରୁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର । ଏହି ଦୁର୍ଗାପୂଜା ଯାଜପୁର ଜିଲାର ବିଭିନ୍ନ ସ୍ଥାନ ମାନଙ୍କରେ ପାଳନ ହେଉଥିଲେ ମଧ୍ୟ ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତରେ ଏହି ପୂଜାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଏ । ପାଖାପାଖି ଅର୍ଦ୍ଧ ଶତବ୍ଦୀ ଧରି ବ୍ରହ୍ମବରଦା ମାଟି ଏହି ଧାର୍ମିକ ପରମ୍ପରାକୁ ବଜାଇ ରଖିଛି । ଏଠାରେ ବହୁ ପୁରାତନ କାଳରୁ ମାନେ ୧୯୭୫ ମସିହାର ମହାବନ୍ୟା ପରେପରେ ୧୯୭୬ ମସିହା ଠାରୁ ଅଦ୍ୟାବଧି ଏହି ଦୁର୍ଗାପୂଜା ପାଳିତ ହୋଇ ଆସୁଛି । ସେତେବେଳେ ଅଭିଭକ୍ତ ବ୍ରହ୍ମବରଦା ଅଞ୍ଚଳର ବ୍ରହ୍ମବରଦା, କାକୁଡିକୁଦ, ସାହାପଡ଼ା, ମହେଶ୍ୱରପୁର, କୋଠଢିଅର ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ପ୍ରଥମ କମିଟି ଗଠନ କରାଯାଇ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ସଭାପତି ଭାବେ ଗ୍ରାମର ମୁରବି ବିପିନ ବିହାରୀ ଦେଓ ଓ ସମ୍ପାଦକ ଭାବେ ସ୍ୱର୍ଗତ ହରିବନ୍ଧୁ ଗିରିଙ୍କୁ ଚୟନ କରାଯାଇଥିଲା । ଏଥି ସହିତ ଗ୍ରାମର ବହୁ ବଦାନ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ନିମାଇଁ ଚରଣ ଦାସ, ପରମାନନ୍ଦ ସାହୁ, ସ୍ୱର୍ଗତ ପଞ୍ଚାନନ ରାଉତ, ଶଙ୍କର ପାଢୀ, ମଦନମୋହନ ଦାସ, ଜଗବନ୍ଧୁ ସାହୁ, ସୁରେନ୍ଦ୍ର ବିଶ୍ୱାଳ, ବାସୁଦେବ ବେହେରା, ଭବାନି ମଳିକ ଓ ଭିକାରୀ ମଣ୍ଡଳ ଏମିତି ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯେଉଁମାନେ କି ଦୁର୍ଗାପୂଜା ଅୟାରମ୍ଭ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ । ସେ ସମୟରେ ଏକ ଚାଳ ଛପର ଘରେ ପ୍ରଥମ କରି ଦୂର୍ଗାପୂଜା ଆରମ୍ଭ ହୋଇଥିଲା । ଗ୍ରାମବାସୀ ମାନେ ବିପିନ ବିହାରୀ ଦେଓଙ୍କୁ କଳାସାଧୀବାସ ବାସ ବା ମୁଖ୍ୟକର୍ତ୍ତା ରୂପେ ପୂଜାକାର୍ଯ୍ୟରେ ବସାଇଥିଲେ । ଶ୍ରୀ ଦେଓ ଯିଏ କି ଆଧୁନିକ ବ୍ରହ୍ମବରଦାର ଅନ୍ୟତମ ବିନ୍ଧାଣୀ ବା ନିର୍ମାତା ସେ ଦୁର୍ଗାପୂଜାର ମୁଖ୍ୟ ପୁରୋଧା ସାଜି ସେହି ଦିନଠାରୁ ହିଁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୯ବର୍ଷ ଧରି ନିରବଚ୍ଛିନ୍ନ ଭାବେ କର୍ତ୍ତା ରୂପେ ନିଜ ଦାୟିତ୍ୱ ତୁଲାଇ ଆସୁଅଛନ୍ତି । ଯାହା ନିଶ୍ଚୟ ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବ, ଗୌରବର ଓ ସମ୍ମାନର କଥା । ଏବେ ଶ୍ରୀ ଦେଓ ୮୯ବର୍ଷରେ ପଦାର୍ପଣ କରିଛନ୍ତି ଆଗାମୀବର୍ଷ ୨୦୨୫ରେ ଦୂର୍ଗାପୂଜାର ୫୦ବର୍ଷ ପୂର୍ତ୍ତିି ଉପଲକ୍ଷେ କମିଟି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ । କର୍ତ୍ତା ଭାବେ ଶ୍ରୀଦେଓ ମଧ୍ୟ ୫୦ଟି ସୋପାନ ଅତିକ୍ରମ କରିବେ । ତାଙ୍କ କାର୍ଯ୍ୟ ଦକ୍ଷତା, ଯୁବ ସୁଲଭ ମନୋଭାବ ଓ ଗ୍ରାମବାସୀଙ୍କ ଭଲ ପାଇବା ତାଙ୍କୁ ପୂଜା କ୍ଷେତ୍ରରେ ଆହୁରି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଉ ଏହା ମା'ଦୁର୍ଗାଙ୍କ ପାଦପଦ୍ମରେ ଗୁହାରି । ଏହି କ୍ରମରେ ୧୯୮୫ଶ୍ରୀ ଦେଓ ଗ୍ରାମର ସରପଞ୍ଚ ଥିବା ସମୟରେ ଚାଳ ଛପର ଘର ସ୍ଥାନରେ ଏକ ପକାଘର ନିର୍ମାଣ କରାଯାଇ ଥିଲା ଓ ଦୂର୍ଗାପୂଜା ଆଉ ଦୁଇ ପାଦ ଆଗକୁ ବଢ଼ିଥିଲା । ଦୁର୍ଗାପୂଜା ଆରମ୍ଭ ହେବା ଦିନରୁହିଁ ସମଗ୍ର ବ୍ରହ୍ମବରଦା ଅଞ୍ଚଳ ପାଇଁ ଏହା ଏକ ଗଣ ପର୍ବରେ ପରିଣତ ହୋଇଆସିଛି । ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ସମ୍ପୂର୍ଣ୍ଣ ଭାଇଚାରା ସହକାରେ ମିଳିମିଶି ଏହି ପର୍ବକୁ ପାଳନ କରିଥାନ୍ତି । ପୂଜାସମୟ ପାଖେଇ ଆସିଲେ ସମଗ୍ର ଗାଁ ଚଳଚଞ୍ଚଳ ହୋଇଉଠେ । ସୁସଜ୍ଜିତ ପୂଜା ମଣ୍ଡପ ସାଙ୍ଗକୁ ଆକର୍ଷଣୀୟ ତୋରଣ ଓ ନାଲି, ନେଳି ରଙ୍ଗିନ ଆଲୁଅରେ ଗାଁ ନବବଧୂ ପରି ସଜେଇ ହୁଏ । ଏଠାରେ ମା' ଦୁର୍ଗା ମୃଣ୍ମୟୀ ରୂପରେ ପୂଜା ପାଇଥାନ୍ତି । ଦୁର୍ଗାପୂଜାର ଠିକ ଏକ ମାସ ପୂର୍ବରୁ ଗ୍ରାମର ଗ୍ରାମଦେବତୀ ମା' ଶିଦ୍ଧ ଚଣ୍ଡିଙ୍କ ନିକଟରୁ ମାଟି ଅନୁକୂଳ କରାଯାଇ ଦୁର୍ଗା ମଣ୍ଡପ ନିକଟକୁ ଆସିଲା ପରେ ଯାଇ କାରିଗର ମା'ଙ୍କ ମୂର୍ତୀ ଗଢ଼ିବା କାର୍ଯ୍ୟ ଆରମ୍ଭ କରିଥାନ୍ତି । ମହାଳୟା ଅବସରରେ ମୃଣ୍ମୟୀ ମୂର୍ତ୍ତିରେ ଖଡି ଚଢ଼ାଯାଏ । ସେହି ଦିନଠାରୁ ହିଁ ପ୍ରକୃତରେ ଦୁର୍ଗାପୂଜା ଆରମ୍ଭହୁଏ । କାରଣ ମହଳୟା ଠାରୁ ଦୁର୍ଗା ପୂଜା ମଧ୍ୟରେ୧୦ଦିନ ସମୟ ରହିଥାଏ । ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି ବିବେଚନା କରାଯାଏ, କିନ୍ତୁ ପ୍ରକୃତ ପୂଜାବିଧି ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ । ଏହିପରି ଭାବେ ପୂଜା ଆରମ୍ଭ ହୁଏ ଓ କଳାସାଧୀବାସ କରି ଆସୁଥିବା ମୁଖ୍ୟ କର୍ତ୍ତା ଶ୍ରୀଦେଓ ପୂଜାକାର୍ଯ୍ୟ ସମ୍ପାଦନ କରିଥାନ୍ତି । ଏଠାରେ ଦୁର୍ଗା ମାଆଙ୍କୁ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବ୍ରାହ୍ମଣୀ ନଦୀରୁ ପାଣି ଉଠାଇ ମା'ଙ୍କ ମଣ୍ଡପ ନିକଟରେ ଥିବା ବେଲଗଛ ନିକଟରେ ବେଲବରଣୀ ପୂଜା ସମ୍ପନ୍ନ କରାଯାଏ । ରାତ୍ରି କାଳରେ ମା’ଙ୍କ ଚକ୍ଷୁଦାନ କାର୍ଯ୍ୟ ସମାପନ କରାଯାଏ । ସପ୍ତମୀରେ ବ୍ରାହ୍ମଣୀ ନଦୀରୁ କଳସଯାତ୍ରା ଆରମ୍ଭ ହୋଇ ପୂଜା ମଣ୍ଡପ ନିକଟରେ କଳସ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଏ । ଏଠାରେ ବିଶେଷ ଆକର୍ଷଣ ନବମୀ ଦିନ ୯ଜଣ କୁଆଁରୀ କନ୍ୟା ମାନଙ୍କୁ ନେଇ ମା' ଜୀବନ୍ତ ପ୍ରତିମା ରୂପେ ନବ ଦୁର୍ଗାପୂଜା ପାଳନ କରାଯାଏ । ଅଷ୍ଟମୀରେ ମା'ଙ୍କ ସମ୍ମୁଖରେ ପାଣି କଖାରୁ ବଳି ଚଢାଯାଏ । ଏହିପରି ଭାବେ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦୁର୍ଗାପୂଜା ମହାସମାରୋହରେ ପାଳନ କରାଯାଏ । ଗ୍ରାମବାସୀଙ୍କ ସହଯୋଗରେ ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ ବଣ୍ଟନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୁଏ । ବିଭିନ୍ନ ପ୍ରକାରର ଦୋଳି ଓ ମୀନାବଜାର ସହ ବହୁ ଦୋକାନ ବଜାର ପଡେ । ଏହି ଦୁର୍ଗାପୂଜା ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହୁଏ । ଆଖପାଖ ଅଞ୍ଚଳର ୧୫ ଖଣ୍ଡ ଗାଁରୁ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ନିମିତ ଆସି ମା'ଙ୍କ ଆଶିଷ ଲଭିଥାନ୍ତି । ଦଶହରା ପରଦିନ ଭଷାଣି ମହୋତ୍ସବ ଅନୁଷ୍ଠିତ ହୁଏ । ଏକ ବିରାଟ ଶୋଭାଯାତ୍ରାରେ ମା'ଙ୍କ ମୃଣ୍ମୟୀ ପ୍ରତିମାକୁ ବ୍ରାହ୍ମଣୀ ନଦୀରେ ବିସର୍ଜନ କରାଯାଏ । ଚଳିତ ବର୍ଷ ଅକ୍ଟୋବର ୯ ତାରିଖରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ  । ଏ ବର୍ଷ ବ୍ରହ୍ମବରଦା ଦୁର୍ଗାପୂଜା ଏକ ନିଆରା ଢଙ୍ଗରେ ପାଳନ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଅଧିକରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ମାନଙ୍କ ସମାଗମ ନିମନ୍ତେ ପାଇଁ ଆକର୍ଷଣୀୟ ତୋରଣ ସାଜ୍ଜସଜ୍ଜାକୁ ଅଧିକ ଗୁରତ୍ତ୍ୱ ଦିଆଯାଇଛି ।