ନାହାଁନ୍ତି ଉପ-ନିବନ୍ଧକ ଅଧିକାରୀ, ଜରୁରୀ କାର୍ଯ୍ୟ ବାଧାପ୍ରାପ୍ତ
ଶିଳ୍ପନଗରୀ ତାଳଚେରର ଉପ-ନିବନ୍ଧକ କାର୍ଯ୍ୟାଳୟରେ ଉପନିବନ୍ଧକ ଅଧିକାରୀ (ରେଜିଷ୍ଟାର ଅଫିସର୍) ନ ଥିବାରୁ ଲୋକେ ଜରୁରୀ କାର୍ଯ୍ୟ ପାଇଁ ଯାଇ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜମିଜମା ବିବାଦ, ଜମିଜମା କିଣାବିକା, କଳକାରଖାନା ପାଇଁ ଆବଶ୍ୟକ ଜମି, ସରକାରୀ କାର୍ଯ୍ୟାଳୟ ପାଇଁ ଜମି ଓ ସରକାରୀ ଦପ୍ତରରେ ତାଳଚେରକୁ ଆସୁଥିବା ଜନହିତକର କାର୍ଯ୍ୟରେ ଜମିଜମାର ଆବଶ୍ୟକତା ବୃଦ୍ଧି ପାଉଥିବାବେଳେ ପ୍ରାୟ ଦୀର୍ଘବର୍ଷ ହେବ ଏଠାରେ ଉପ-ନିବନ୍ଧକ ଅଧିକାରୀ ନ ଥିବା ତାଳଚେରବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ବିଷୟ ପାଲଟିଛି । ଯାହାକୁ ନେଇ ସାଧାରଣରେ ଜନଅସନ୍ତୋଷ ବୃଦ୍ଧି ପାଉଛି ।
ତାଳଚେର ତହସିଲଦାର ଏହି ଉପନିବନ୍ଧକ ଦାୟିତ୍ୱ ତୁଲାଉଥିବାବେଳେ ସେ ଏନ୍ଏଚ୍ଏଆଇ (ଜାତୀୟ ରାଜପଥ), ତହସିଲ ଦାୟିତ୍ୱ ଓ ଉପ-ନିବନ୍ଧକ ଏପରିକି ୩ଟି ଦାୟିତ୍ୱରେ ରହୁଥିବାରୁ ସ୍ଥାନୀୟ ଲୋକଙ୍କୁ ଠିକ୍ ସମୟରେ ସେବା ଯୋଗାଇ ପାରୁନାହାନ୍ତି । ତେଣୁ ତୁରନ୍ତ ଏଠାରେ ଜଣକୁ ଉପନିବନ୍ଧକ ଅଧିକାରୀ (ରେଜିଷ୍ଟାର ଅଫିସର୍) ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ଏଠାରେ ଜମିପଞ୍ଜିକରଣ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ତହସିଲଦାର ନିଜ ପ୍ରକୋଷ୍ଟରେ ରେଜିଷ୍ଟ୍ରେସନ୍ କାର୍ଯ୍ୟ କରୁଥିବାରୁ ତହସିଲ କାର୍ଯ୍ୟାଳୟରେ ସର୍ବଦା ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳିଥାଏ । ଏପରିକି ତହସିଲ କାର୍ଯ୍ୟାଳୟକୁ ଅନ୍ୟ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ସେହିଦିନ ଗୁଡ଼ିକରେ ଜନଗହଳି ଯୋଗୁଁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ପାଇଁ ସାହାସ ଜୁଟାଇ ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଫଳରେ ସେମାନେ ନିରାଶ ହୋଇ ଘରକୁ ଫେରି ଯାଇଥାନ୍ତି । ତେବେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜନ ସରକାର ତୁରନ୍ତ ଏଠାକୁ ଜଣେ ଦକ୍ଷ ଉପ-ନିବନ୍ଧକ ଅଧିକାରୀ ଅବସ୍ଥାପିତ କରିବାକୁ ସାଧାରଣରେ ଦାବି ହେଉଛି । ସେହିଭଳି ତାଳଚେର ଉପଖଣ୍ଡ କଣିହାଁ ବ୍ଲକରେ ପୂର୍ବ ସରକାରୀ ଦୁଇବର୍ଷ ପୂର୍ବରୁ ଏହି କାର୍ଯର୍୍ୟାଳୟ ଖୋଲିବା ପାଇଁ କାଗଜପତ୍ରରେ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି ।